ଆର୍ଥିକ ସାକ୍ଷରତା ସଚେତନତା ପାଇଁ ମହିଳା ମାନଙ୍କ ଦ୍ୱାରା ସଚେତନତା ପଦଯାତ୍ରା
ଭୁବନେଶ୍ୱର : ଭାରତୀୟ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ଚାଲିଛି ଆର୍ଥିକ ସାକ୍ଷରତା ସପ୍ତାହ | ଫେବୃଆରୀ ୨୪ ରୁ ୨୮ ପର୍ଯ୍ୟନ୍ତ ଚାଲୁଥିବା ଏହି ଅଭିଯାନରେ ମହିଳା ମାନଙ୍କ ଆର୍ଥିକ ପରିଚାଳନା ଦକ୍ଷତାର ବିକାଶ ଓ ସଚେତନତା ପାଇଁ ସ୍ୱତନ୍ତ୍ର ଭାବେ ଧ୍ୟାନ ଦିଆଯାଇଅଛି | ଆଜି ରାଜଧାନୀ ଭୁବନେଶ୍ୱରରେ ଏନେଇ ଏକ ସଚେତନତା ପଦଯାତ୍ରା ସାମାଜିକ ଅନୁଷ୍ଠାନ ମଦର ପକ୍ଷରୁ ଆୟୋଜିତ ହୋଇଯାଇଛି | ମହାତ୍ମାଗାନ୍ଧୀ ମାର୍ଗରେ ଆୟୋଜିତ ହୋଇଥିବା ଏହି ସଚେତନତା ପଦଯାତ୍ରାରେ ବହୁ ସଂଖ୍ୟାରେ ଗୃହିଣୀ, କର୍ମଜୀବୀ ମହିଳା ଏବଂ ମହିଳା ଉଦ୍ୟୋଗୀ ମାନେ ସାମିଲ ହୋଇଥିଲେ | ମଦର ଅନୁଷ୍ଠାନର କର୍ମକର୍ତ୍ତା ମାନେ ଆର୍ଥିକ ସାକ୍ଷରତା ସମ୍ବନ୍ଧୀୟ ସଚେତନତା ପ୍ଲାକାର୍ଡ଼ ପ୍ରଦର୍ଶନ କରିବା ସହ ଲୋକମାନଙ୍କୁ ବୁଝାଇଥିଲେ |
ଏହି ଅବସରରେ ମଦର ମୁଖ୍ୟ ପରିଚାଳନା ଅଧିକାରୀ ପ୍ରମୋଦ କୁମାର ଦାସ କହିଥିଲେ କି, ସମାଜରେ ମହିଳାଙ୍କ ବହୁମୁଖୀ ଭୂମିକାକୁ ଦୃଷ୍ଟିରେ ରଖି ସେମାନଙ୍କ ପାଇଁ ଆର୍ଥିକ ସାକ୍ଷରତାକୁ ପ୍ରାଥମିକତା ଦେବା ଏହି ଅଭିଯାନର ଉଦ୍ଦେଶ୍ୟ। ଏହି ଅଭିଯାନରେ ବିପଦ ବିବିଧତା, ଦାୟିତ୍ୱପୂର୍ଣ୍ଣ ଋଣ, ଭଲ କ୍ରେଡିଟ୍ ସ୍କୋର ବଜାୟ ରଖିବା ଏବଂ ଘରୋଇ ବଜେଟ୍ ଭଳି ବିଷୟକୁ ଅନ୍ତର୍ଭୁକ୍ତ କରାଯିବ ଏବଂ ଗୃହିଣୀ, କର୍ମଜୀବୀ ମହିଳା ଏବଂ ମହିଳା ଉଦ୍ୟୋଗୀଙ୍କ ଉପରେ ବିଶେଷ ଧ୍ୟାନ ଦିଆଯାଇ ସେମାନଙ୍କୁ ସଚେତନ କରାଯିବ । ସମାଜ ଓ କର୍ମକ୍ଷେତ୍ରରେ ମହିଳାମାନେ ବିଭିନ୍ନ ଭୂମିକା ଗ୍ରହଣ କରୁଥିବାରୁ ଆର୍ଥିକ ଶିକ୍ଷା ପୂର୍ବାପେକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି। ମଦର ପକ୍ଷରୁ ଯେଉଁସବୁ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି ରାଜ୍ୟ ଜନସଂଖ୍ୟାର ଏକ ନିର୍ଦ୍ଦିଷ୍ଟ ପ୍ରତିଶତ ମହିଳାଙ୍କୁ ନିଶ୍ଚିତ ଭାବେ ଆର୍ଥିକ ସାକ୍ଷରତା ଦିଗରେ ସଚେତନ କରିବା ଆମର ଲକ୍ଷ୍ୟ ରହିଛି
ମଦରର ସମ୍ପାଦିକା ସସ୍ମିତା ଦାସ କହିଥିଲେ କି, ନ୍ୟାସନାଲ ସେଣ୍ଟର ଫର ଫାଇନାନ୍ସିଆଲ ଏଜୁକେସନ (ଏନସିଏଫଇ) ଅନୁଯାୟୀ, ଭାରତରେ ମାତ୍ର ୨୧% ମହିଳା ଆର୍ଥିକ ଭାବେ ସାକ୍ଷର ଥିବା ବେଳେ ପୁରୁଷଙ୍କ ସାକ୍ଷରତା ହାର ୨୯% ରହିଛି । ଏହି ଅସମାନତା ଭାରତରେ ମହିଳାମାନଙ୍କ ପାଇଁ ଆର୍ଥିକ ଶିକ୍ଷାରେ ଉନ୍ନତି ଆଣିବାର ଜରୁରୀ ଆବଶ୍ୟକତା ଉପରେ ଆଲୋକପାତ କରୁଛି । ଦୈନନ୍ଦିନ ଖର୍ଚ୍ଚ ପରିଚାଳନାଠାରୁ ଆରମ୍ଭ କରି ଅବସର ପାଇଁ ଯୋଜନା କରିବା ପର୍ଯ୍ୟନ୍ତ, ଆର୍ଥିକ ସାକ୍ଷରତା ଏକ ଗୁରୁତ୍ୱପୂର୍ଣ୍ଣ ଦକ୍ଷତା ଯାହା ମହିଳାମାନଙ୍କୁ ସେମାନଙ୍କ ଆର୍ଥିକ ବିଷୟରେ ସଚେତନ ନିଷ୍ପତ୍ତି ନେବାକୁ ସଶକ୍ତ କରେ | ଆର୍ଥିକ ସାକ୍ଷରତା ବ୍ୟକ୍ତି ବିଶେଷ ଏବଂ ପରିବାରମାନଙ୍କୁ ସେମାନଙ୍କର ଅର୍ଥକୁ ପ୍ରଭାବଶାଳୀ ଭାବରେ ପରିଚାଳନା କରିବା, ସେମାନଙ୍କ ଭବିଷ୍ୟତ ପାଇଁ ଯୋଜନା କରିବା ଏବଂ ସୂଚିତ ଏବଂ ଦାୟିତ୍ୱବାନ ଆର୍ଥିକ ନିଷ୍ପତ୍ତି ନେବାକୁ ସଶକ୍ତ କରେ ଯାହା ଆର୍ଥିକ କଲ୍ୟାଣ କୁ ଆଗେଇ ନେଇଥାଏ | ଆର୍ଥିକ ସାକ୍ଷରତା ସେମାନଙ୍କୁ ଆର୍ଥିକ ଉତ୍ପାଦ ଏବଂ ସେବାର ଉପଭୋକ୍ତା ଭାବରେ ସେମାନଙ୍କ ଅଧିକାର ବିଷୟରେ ସଚେତନ କରୁଅଛି ଯାହା କି ମଦର ପକ୍ଷରୁ ଏନେଇ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଉଅଛି |
ଅନ୍ୟମାନଙ୍କ ମଧ୍ୟରେ ମଦର ଅନୁଷ୍ଠାନ ଦ୍ୱାରା ପରିଚାଳିତ ଫାଇନାନସିଆଲ ଲିଟେରାସି ପ୍ରୋଗ୍ରାମର ଜୋନାଲ କୋର୍ଡିନେଟର ପ୍ରଶାନ୍ତ ରାଉତରାୟ, ଦୁର୍ଗାପ୍ରସାଦ ମହାପାତ୍ର, ମଣ୍ଟୁ ମଲ୍ଲିକ, ଚିନ୍ମୟ ସାହୁ, ପୁରବୀ ଶତପଥି, ଦିପ୍ତୀଶ୍ରୀ ନାୟକ, ନବକାନ୍ତି ମାଝୀ, ଲଗ୍ନଜିତା ପରିଡା ଉପସ୍ଥିତ ଥିଲେ |