ଫେବୃଆରି ୧୭ରେ ଆସିବ ‘ମାମା ୱେଡ୍‌ସ୍ ପାପା’

ଭୁବନେଶ୍ୱର: ୧୭ ଫେବୃଆରିରେ ମୁକ୍ତିଲାଭ କରିବାକୁ ଯାଉଛି ଚଳିତ ବର୍ଷର ବହୁପ୍ରତୀକ୍ଷିତ ଓଡିଆ ସିନେମା ‘ମାମା ୱେଡ୍‌ସ୍ ପାପା’ । ପ୍ରଯୋଜନା ସଂସ୍ଥା ଶ୍ରୀହାନ ସିନେକ୍ରିଏସନ ପକ୍ଷରୁ ସ୍ଥାନୀୟ ପ୍ରେସ୍ କ୍ଳବ୍ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହା ଘୋଷଣା କରାଯାଇଛି । ଏହି ଅବସରରେ ଚଳଚ୍ଚିତ୍ରର କଳାକାର ଓ ଟେକ୍ନିସିଆନଙ୍କ ସମେତ ଚଳଚ୍ଚିତ୍ର ଶିଳ୍ପ ସହ ସମ୍ପୃକ୍ତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ। ‘ମାମା ୱେଡ୍‌ସ୍‌ ପାପା’ ପ୍ରାୟ ୩୦ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ବୋଲି ଉକ୍ତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ଶ୍ରୀହାନ ସିନେ କ୍ରିଏସନ ନିବେଦିତ ତଥା ବି.ଚନ୍ଦ୍ରପ୍ରିୟ ସୁବୁଦ୍ଧିଙ୍କ ପ୍ରଯୋଜିତ ଓ ଆପୁ କାନୁନଗୋ ନିର୍ଦ୍ଦେଶିତ ‘ ମାମା ୱେଡ୍‌ସ୍ ପାପା’ର କାହାଣୀ ବେଶ୍ ନିଆରା। ସାଧାରଣତଃ ବାପା ମାଆମାନେ ପିଲାଙ୍କ ବାହାଘର କରିଥାନ୍ତି। କିନ୍ତୁ ଏଠି ଜଣେ କୁନିଝିଅ ତା’ ବାପା ମା’ଙ୍କର ବାହାଘର କରାଉଛି। ଏମିତି ଏକ ରୋଚକ କଥାବସ୍ତୁକୁ ଆଧାର କରି ନିର୍ମିତ ହୋଇଛି ଚଳଚ୍ଚିତ୍ର ‘ ମାମା ୱେଡ୍‌ସ୍ ପାପା’ । ପ୍ରେମ ଓ ପାରିବାରିକ ପୃଷ୍ଠଭୂମି ଆଧାରିତ ଏହି ଚଳଚ୍ଚିତ୍ରରେ ଆକ୍ସନ, ଇମୋସନ, ରୋମାନ୍ସ ସବୁକିଛି ଭରପୂର ରହିଛି ଯାହା ଦର୍ଶକଙ୍କୁ ବାନ୍ଧିରଖିବ। ଚଳଚ୍ଚିତ୍ରର ନାୟକ ଭୂମିକାରେ ଅଭିଷେକ ଥିବା ବେଳେ ନାୟିକା ଭୂମିକାରେ ଅଛନ୍ତି ରୀତିଶା । ଅନ୍ୟତମ ନାୟିକା ସାଜିଛନ୍ତି ପ୍ରିୟଙ୍କା ପାଣିଗ୍ରାହୀ। ବଲିଉଡ ଅଭିନେତା କ୍ରିଷ୍ଣା ଅଭିଷେକଙ୍କୁ ଏକ ଗୁହୁତ୍ଵପୂର୍ଣ ଭୂମିକାରେ ଦେଖିବାକୁ ମିଳିବ ଯାହା ଚଳଚ୍ଚିତ୍ର ପାଇଁ ୟୁଏସପି ସାଜିବ। ଅନ୍ୟାନ୍ୟ ଚରିତ୍ରରେ ଜ୍ୟୋତି ମିଶ୍ର, ଦେବୁ ପଟ୍ଟନାୟକ, ପ୍ରଜ୍ଞା, ଡ. ରଜନୀରଞ୍ଜନ, ଗୁଡୁ ଐଶ୍ବର୍ଯ୍ୟା ଏବଂ ଶିଶୁ କଳାକାର ମୁକ୍ତି ଅଭିନୟ କରିଛନ୍ତି । ଚଳଚ୍ଚିତ୍ରର କାହାଣୀ ଓ ଚିତ୍ରନାଟ୍ୟ ଚଳଚ୍ଚିତ୍ରର କାହାଣୀ ଓ ଚିତ୍ରନାଟ୍ୟ ପ୍ରସ୍ତୁତ କରିଛନ୍ତି ଯୁବ ନିର୍ଦ୍ଦେଶକ ଆପୁ କାନୁନଗୋ । ସଂଳାପ ରଚନା କରିଛନ୍ତି ଚିନ୍ମୟ ଦାସ |

Leave a Reply

Your email address will not be published. Required fields are marked *