କେନ୍ଦ୍ରାପଡ଼ା ଜିଲ୍ଲାର ଡ. ପ୍ରସନ୍ନ କୁମାର ଆଚାର୍ଯ୍ୟ ନେଭେଲିସ୍ଥିତ ଏନ୍ଏଲ୍ସି ଇଣ୍ଡିଆର ନୂଆ ଅଧ୍ୟକ୍ଷ
କେନ୍ଦ୍ରାପଡ଼ା ଜିଲ୍ଲାର ବାସିନ୍ଦା ଡ. ପ୍ରସନ୍ନ କୁମାର ଆଚାର୍ଯ୍ୟ ନେଭେଲିସ୍ଥିତ ଏନ୍ଏଲ୍ସି ଇଣ୍ଡିଆ ଲିମିଟେଡ୍ର କର୍ପୋରେଟ୍ କାର୍ଯ୍ୟାଳୟରେ ଅଧ୍ୟକ୍ଷ ତଥା ପ୍ରବନ୍ଧ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ପ୍ରାୟ ତିନି ଦଶନ୍ଧିର ପେସାଗତ ଅଭିଜ୍ଞତା ଥିବା ଡ. ଆଚାର୍ଯ୍ୟ ବିଦ୍ୟୁତ, ଖଣି ଓ ଭିତ୍ତିଭୂମି କ୍ଷେତ୍ରର ବିଭିନ୍ନ ପ୍ରତିଷ୍ଠିତ ସଂସ୍ଥାରେ ଦାୟିତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟ କରିଛନ୍ତି।
ଏହା ପୂର୍ବରୁ ସେ ଏନ୍ଏଲ୍ସି ଇଣ୍ଡିଆର ନିର୍ଦ୍ଦେଶକ (ଅର୍ଥ) ଭାବେ କାର୍ଯ୍ୟରତ ଥିଲେ। ଉତ୍କଳ ବିଶ୍ୱବିଦ୍ୟାଳୟରୁ ବାଣିଜ୍ୟରେ ସ୍ନାତକ ଓ ପିଏଚ୍ଡି ଡିଗ୍ରୀସହିତ ସେ ଆଇନରେ ସ୍ନାତକ, ବାଣିଜ୍ୟରେ ସ୍ନାତକୋତ୍ତର ଓ ବ୍ୟବସାୟ ପ୍ରଶାସନରେ ସ୍ନାତକୋତ୍ତର ଡିଗ୍ରି ହାସଲ କରିଛନ୍ତି। ସେ ଭାରତୀୟ ଖର୍ଚ୍ଚ ଓ ପରିଚାଳନା ହିସାବ ସଂସ୍ଥାର ଫେଲୋ ସଦସ୍ୟ ଓ ଭାରତୀୟ କମ୍ପାନୀ ସଚିବ ସଂସ୍ଥାର ସହଯୋଗୀ ସଦସ୍ୟ।