ମମିତାଙ୍କ ଶବ ଚିହ୍ନଟ ପାଇଁ ହେବ ଡିଏନ୍‌ଏ ଟେଷ୍ଟ ; ମମିତାଙ୍କ ବାପା-ମାଆଙ୍କ ରକ୍ତ ନମୂନା ସଂଗ୍ରହ

ବଲାଙ୍ଗିର : ଉତ୍ତରାଞ୍ଚଳ ଡିଆଇଜି ଓ ବଲାଙ୍ଗିର ଏସ୍‌ପିଙ୍କୁ ଭେଟି ଗୁହାରି କଲେ ହତ୍ୟାର ଶିକାର ହୋଇଥିବା ଶିକ୍ଷୟିତ୍ରୀ ମମିତା ମେହେରଙ୍କ ପରିବାର ଲୋକ । ମମିତାଙ୍କ ବାପା, ମାଆ ଓ ବଡ଼ବାପା ଆଜି ଏସ୍‌ପିଙ୍କ ଅଫିସକୁ ଯାଇ ଦୋଷୀକୁ ମୃତ୍ୟୁଦଣ୍ଡ ଦେବାକୁ ଦାବି କରିଛନ୍ତି। ଏମିତିକି ମମିତାଙ୍କ ଶବ ଚିହ୍ନଟ ପାଇଁ ଆଜି ତାଙ୍କ ବାପା-ମାଆ ଡିଏନଏ ପରୀକ୍ଷା ଲାଗି ରକ୍ତ ନମୁନା ନିଆଯାଇଛି।

ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିବା କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନସାଇନ ଇଂରାଜୀ ମିଡ଼ିୟମ୍‌ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡର ଖୁଲାସା କରିଛନ୍ତି ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାର। ଗଣମାଧ୍ୟମ ସମ୍ମିଳନୀରେ ସେ କହିଛନ୍ତି, ସ୍କୁଲ ମାଲିକ ଗୋବିନ୍ଦ ସାହୁର ପରକୀୟା ପ୍ରୀତି ସଂପର୍କରେ ଜାଣି ଯାଇଥିଲେ ମମିତା। ଏମିତିକି ଏହାକୁ ପ୍ରଘଟ କରିଦେବାର ଧମକ ମଧ୍ୟ ଦେଇଥିଲେ ମମିତା। ଯେଉଁଥିରେ ଘାବରେଇ ଯାଇଥିଲା ଗୋବିନ୍ଦ। ତେଣୁ ସବୁଦିନ ପାଇଁ ମମିତାଙ୍କୁ ରାସ୍ତାରୁ ହଟାଇବାକୁ ରଚିଥିଲା ସୁଚିନ୍ତିତ ଯୋଜନା। ଗତ ୮ତାରିଖ ଦିନ ମମିତାଙ୍କୁ ଭବାନୀପାଟଣା ବସଷ୍ଟାଣ୍ଡରୁ ନିଜ କାରରେ ବସାଇ କେ.ଗାଁ ଆଣୁଥିଲା ଗୋବିନ୍ଦ। ତେବେ ବାଟରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଯେଉଁଥିରେ ରାଗିଯାଇ ସେହି କାରରେ ମମିତାଙ୍କୁ ହତ୍ୟା କରିଥିଲା ଗୋବିନ୍ଦ। ତେବେ ଗୋବିନ୍ଦ ତଣ୍ଟିଚିପି ମାରିଛି କି ନାହିଁ ତାର ତଦନ୍ତ ଚାଲିଥିବା କହିଛନ୍ତି ଡିଆଇଜି।

ହତ୍ୟା ପରେ ସିଧା ମମିତାଙ୍କ ମୃତଦେହକୁ ମହାଲିଙ୍ଗ କ୍ୟାମ୍ପସରେ ନିର୍ମାଣାଧୀନ ଷ୍ଟାଡ଼ିୟମ୍‌ ନେଇଯାଇଥିଲା ଗୋବିନ୍ଦ। ଯେଉଁଠି ପୂର୍ବ ଯୋଜନା ମୁତାବକ ଖୋଳାଯାଇଥିବା ଗାତରେ ଫିଙ୍ଗି କାର୍ଡବୋର୍ଡ ଓ ଟାୟାର ସାହାଯ୍ୟରେ ନିଆଁ ଲଗାଇ ଦେଇଥିଲା। ପରଦିନ ଉକ୍ତ ଗାତରେ ମାଟି ପକାଇ ପୋତି ଦିଆଯାଇଥିଲା। ତେବେ ଏତେବଡ଼ ଘଟଣାକୁ ଗୋବିନ୍ଦ ଏକାକୀ ଅଂଜାମ ଦେଇଛି ନା ଅନ୍ୟ କେହି ସଂପୃକ୍ତ ଅଛନ୍ତି ତା’ର ଖୋଳତାଡ଼ ଚାଲିଛି ବୋଲି ଡିଆଇଜି ଦୀପକ କୁମାର କହିଛନ୍ତି।

Leave a Reply

Your email address will not be published. Required fields are marked *