ଏସ୍ ସି ଏସ୍ ଟି ଆକ୍ଟ ରଦ୍ଦ ଦାବିରେ ଓଡ଼ିଶା ବ୍ରାହ୍ମଣ ମହାସଂଘର ବିକ୍ଷୋଭ : ଦିନକୁ ଦିନ ବଢ଼ି ଚାଲିଛି ଅତ୍ୟାଚାର ନାଁରେ ମିଛ ଅଭିଯୋଗ ।

ଭୁବନେଶ୍ୱର : ଏସ୍ ସି ଏସ୍ ଟି ଅତ୍ୟାଚାର ନିବାରଣ ଆଇନ୍ ନାଁରେ ଚାଲିଛି ଓବିସି ଓ ସାଧାରଣ ବର୍ଗର ଲୋକଙ୍କ ଉପରେ ଅତ୍ୟାଚାର । ମିଛ ମାମଲାରେ ଲୋକଙ୍କୁ ଫସାଇ ଦେଶବ୍ୟାପୀ ଚାଲିଛି କୋଟି କୋଟି ଟଙ୍କାର ବ୍ୟାପାର । ରାଜକୋଷର କୋଟି କୋଟି ଟଙ୍କା ହରିଲୁଟ୍ କରିବା ପାଇଁ ଏକାଠି ହୋଇଛନ୍ତି ଦଳେ ଦୁର୍ବୃତ୍ତ । ସାଧାରଣ ବର୍ଗର ଲୋକଙ୍କ ଜୀବନଯାତ୍ରାକୁ ଅସହ୍ୟ କରି ପକାଇଛନ୍ତି ଏହି ଦୁର୍ବୃତ୍ତମାନେ। ତୁରନ୍ତ ଏହି ଭଣ୍ଡ ଆଇନ୍ ରଦ୍ଦ କରିବା ସହ ଏହାର ଦୁରୁପଯୋଗ ରୋକିବା ଦିଗରେ କଡ଼ା ଆଭିମୁଖ୍ୟ ଗ୍ରହଣ ଦାବିରେ ରାସ୍ତାକୁ ଓହ୍ଲାଇଛି ଓଡ଼ିଶା ବ୍ରାହ୍ମଣ ମହାସଂଘ। ଏହି ଆଇନ୍ ଜରିଆରେ ସିଧାସଳଖ ଓବିସି ଓ ସାଧାରଣ ବର୍ଗର ଲୋକଙ୍କୁ ଜନ୍ମତଃ ମିଥ୍ୟାବାଦୀ, ଅପରାଧୀ ଓ ଅତ୍ୟାଚାରୀ ମାନସିକତାର ଦର୍ଶାଇ ନିୟମ ପ୍ରଣୟନ କରାଯାଇଛି । ଏହା ଏକ ଦାନବୀୟ ଓ ଦେଶ ବିଭାଜନକାରୀ ଆଇନ୍ କହିଲେ ଅତ୍ୟୁକ୍ତି ହେବନାହିଁ । ଆଜି ଦିନରେ ସରକାରୀ ବିଭାଗରେ ମଧ୍ୟ ଓବିସି ଓ ସାଧାରଣ ବର୍ଗ କର୍ମଚାରୀଙ୍କ ଭିତରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଏପରିକି ପୋଲିସ୍ ବିଭାଗରେ ସାଧାରଣ ବର୍ଗର କର୍ତ୍ତବ୍ୟନିଷ୍ଠ ଅଧିକାରୀଙ୍କ ବିରୁଦ୍ଧରେ ହୋମ୍ ଗାର୍ଡ ଆଦିଙ୍କ ଜରିଆରେ ମିଛ ମାମଲା ରୁଜୁ କରାଯାଉଛି । ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କ ପାଇଁ ସମାନ ଆଇନ୍ ବ୍ୟବସ୍ଥାର ସାମ୍ବିଧାନିକ ଆଶ୍ୱାସନାକୁ ଏଭଳି କଳା ଆଇନ୍ ପାଦରେ ଦଳି ମକଚି ନଷ୍ଟ କରିବା ସହ ସମ୍ୱିଧାନର ଗରିମା କ୍ଷୁର୍ଣ୍ଣ କରୁଛି । ସାରା ଦେଶରେ ଏକ ଜାତିଭିତ୍ତିକ ଭେଦଭାବ ସୃଷ୍ଟି କରି ଅନେକ ସ୍ଥାନରେ ଗୃହଯୁଦ୍ଧର ପରିସ୍ଥିତି ସୃଷ୍ଟି କଲାଣି ବୋଲି କହିଛନ୍ତି ଓଡ଼ିଶା ବ୍ରାହ୍ମଣ ମହାସଭାର ଭୁବନେଶ୍ୱର ସାଂଗଠନିକ ଜିଲ୍ଲାର ସାଧାରଣ ସମ୍ପାଦକ ପଣ୍ଡିତ ସୁନୀଲ କୁମାର ନନ୍ଦ।
ବିଧାନସଭା ସମ୍ମୁଖରେ ଆଜି ଏକ ବିକ୍ଷୋଭ ପ୍ରଦର୍ଶନ ସମୟରେ ଏହି ଦେଶ ବିଭାଜନକାରୀ ଆଇନର ଦୁରୁପଯୋଗ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହି ଆଇନ ଆଳରେ ମିଥ୍ୟା ମାମଲା କରି ନିର୍ଦ୍ଦୋଷ ବ୍ୟକ୍ତିଙ୍କୁ ଫସାଇବା, ଆର୍ଥିକ ଓ ସାମାଜିକ ଭାବେ ହଇରାଣ ହରକତ କରିବା ଏବଂ ମାମଲା ମିଥ୍ୟା ବୋଲି ପ୍ରମାଣିତ ହେବା ପରେ ମଧ୍ୟ ଅଭିଯୋଗକାରୀଙ୍କୁ ଏଭଳି ମିଛ ଅଭିଯୋଗ କରିବା ପାଇଁ ଦିଆ ଯାଇଥିବା ସରକାରୀ ଅର୍ଥର ଫେରସ୍ତ ନ ହେବା ଏଭଳି ମିଥ୍ଯା ଅଭିଯୋଗକାରୀଙ୍କ ଉତ୍ସାହକୁ ଦ୍ୱିଗୁଣିତ କରିଛି ବୋଲି କହିଛନ୍ତି ଅବିଭକ୍ତ ସାଧାରଣ ବର୍ଗର ଆବାହକ ଜେନେରାଲ ଦୀନବନ୍ଧୁ ଷଡ଼ଙ୍ଗୀ । କାର୍ଯ୍ଯକ୍ରମରେ ଯୋଗ ଦେଇ ସେ ଏହି ପ୍ରସଙ୍ଗରେ ଗଭୀର କ୍ଷୋଭ ପ୍ରକଟ କରିଛନ୍ତି । ଏଭଳି ଏକ ଦୁନିଆ ବାହାର ଆଇନର ବିରୋଧ କରିବା ପାଇଁ ସମସ୍ତ ସଚେତନ ନାଗରିକ ଆଗକୁ ଆସିବାକୁ ସେ ଅନୁରୋଧ କରିଛନ୍ତି । ଏହି ଆଇନର ଦୁରୁପଯୋଗ ରୋକିବା ଏବଂ ପୀଡ଼ିତ ବର୍ଗର ଲୋକଙ୍କୁ ନ୍ୟାୟ ଦେବା ପାଇଁ ଓବିସି ଓ ସାଧାରଣ ବର୍ଗର ଲୋକମାନଙ୍କୁ ଏକାଠି ହୋଇ ଗଣତାନ୍ତ୍ରିକ ଉପାୟରେ ଲଢ଼େଇ କରିବାକୁ ସେ ଆହ୍ୱାନ ଦେଇଛନ୍ତି। ଆଇନର ଉଦ୍ଦେଶ୍ୟ ଯାହା ହେଉନା କାହିଁକି, ଏହାର ଆଳରେ କୌଣସି ନିର୍ଦ୍ଦୋଷ ବ୍ୟକ୍ତି ଯେପରି ଅନ୍ୟାୟର ଶିକାର ନ ହୁଅନ୍ତି, ସେଥିପାଇଁ ଦୃଢ଼ ବ୍ୟବସ୍ଥା ରହିବା ଆବଶ୍ୟକ ବୋଲି କହିଛନ୍ତି ବରିଷ୍ଠ ସାମାଜିକ କର୍ମୀ ଟାଇଫୁନ୍ ଦାସ। ସେ ଆହୁରି କହିଛନ୍ତି ଯେ, ଅପରାଧୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଶ୍ଚିତ ହେବା ଉଚିତ; କିନ୍ତୁ ନିର୍ଦ୍ଦୋଷଙ୍କୁ ମିଥ୍ୟା ମାମଲାରେ ଫସାଇବାର କୌଣସି ବି ଉଦ୍ୟମକୁ ସହ୍ୟ କରାଯିବା ଉଚିତ ନୁହେଁ। ଏହି କଳା ଆଇନ୍ ଭୟରେ ଅଧିକାରୀମାନେ ଅଧୀନସ୍ଥ କର୍ମଚାରୀ ମାନଙ୍କୁ ନିଜ କର୍ତ୍ତବ୍ୟ ପାଳନ କରିବା କିମ୍ବା ଅନିୟମିତତା ବିରୋଧରେ ପଦକ୍ଷେପ ନେବାକୁ ପଛଘୁଞ୍ଚା ଦେଉଥିବା ପରିସ୍ଥିତି ସୃଷ୍ଟି ହୋଇଛି । ଏହା ପ୍ରଶାସନିକ ବ୍ୟବସ୍ଥା ପାଇଁ ଏକ ଚିନ୍ତାଜନକ ପରିସ୍ଥିତି ବୋଲି ସେ କହିଛନ୍ତି ।
ବରିଷ୍ଠ ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ତଥା ସ୍ନେହୀ ସମାଜର ସକ୍ରିୟ ସଭ୍ୟ ଅମରେନ୍ଦ୍ର ପ୍ରସାଦ ସାହୁ ବ୍ରାହ୍ମଣ ସମାଜ ପକ୍ଷରୁ ଆୟୋଜିତ ଏହି ବିକ୍ଷୋଭ ପାଇଁ ସାଧୁବାଦ ଜଣାଇବା ସହ ଏଥିରେ ସମସ୍ତ ଓବିସି ଓ ସାଧାରଣ ବର୍ଗର ଲୋକ ଯୋଗ ଦେବା ପାଇଁ ଆହ୍ୱାନ କରିଛନ୍ତି । ଅଧିକନ୍ତୁ ଏହି ଆଇନ୍ ଜାଲରେ ସର୍ବାଧିକ ଓବିସି ବା ପଛୁଆ ବର୍ଗର ବ୍ୟକ୍ତି ଛନ୍ଦି ହୋଇଥିବା ବେଳେ ଓବିସି ବର୍ଗର ଲୋକଙ୍କୁ ନେଇ ରାଜନୀତି କରୁଥିବା କୌଣସି ବି ସଙ୍ଗଠନ ବା ଦଳ ନିଜର ବକ୍ତବ୍ୟଟିଏ ବି ନରଖିବା ଦୁର୍ଭାଗ୍ୟଜନକ। ଏପରିକି ସମସ୍ତ ପ୍ରମୁଖ ରାଜନୈତିକ ଦଳମାନଙ୍କର ସ୍ୱତନ୍ତ୍ର ଭାବରେ ଓବିସି ମୋର୍ଚ୍ଚା ଥିବାବେଳେ ଏହି କଳା ଆଇନ୍ ଉପରେ ଚର୍ଚ୍ଚା ନହେବା ଆଶ୍ଚର୍ଯ୍ୟଜନକ ବୋଲି ସେ କହିଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ନିହାର ପାଣି, କମଳାକାନ୍ତ ପ୍ରହରାଜ, ପୟୋଧର ପାଢ଼ୀ, ବଳରାମ ପଟ୍ଟନାୟକ, ନୀଳାମ୍ବର ଦାଶ, କୃଷ୍ଣଚନ୍ଦ୍ର ଷଡ଼ଙ୍ଗୀ, ଅଶୋକ ଚନ୍ଦ୍ର ପଣ୍ଡାଙ୍କ ସମେତ ଅନେକ ବୁଦ୍ଧିଜୀବୀ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *