ଏସ୍ ସି ଏସ୍ ଟି ଆଟ୍ରୋସିଟି ଆଇନ ରଦ୍ଦ ଦାବିରେ ଅବିଭକ୍ତ ସାଧାରଣ ବର୍ଗର ବିକ୍ଷୋଭ

ଭୁବନେଶ୍ୱର, ୨୫/୧୦ : SC/ST ଅତ୍ୟାଚାର ନିବାରଣ ଆଇନ୍ ନାଁରେ ଚାଲିଛି ଓବିସି ଓ ସାଧାରଣ ବର୍ଗର ଲୋକଙ୍କ ଉପରେ ଅତ୍ୟାଚାର । ମିଛ ମାମଲାରେ ଲୋକଙ୍କୁ ଫସାଇ ଚାଲିଛି ଲକ୍ଷ ଲକ୍ଷ ଟଙ୍କାର ବ୍ୟାପାର । ଏକାଠି ହୋଇଛନ୍ତି ଦଳେ ଦୁର୍ବୃତ୍ତ। ସରକାରୀ ରାଜକୋଷର କୋଟି କୋଟି ଟଙ୍କା ହରିଲୁଟ୍ କରିବା ସହ ସାଧାରଣ ଲୋକଙ୍କ ଜୀବନଯାତ୍ରାକୁ ଅସହ୍ୟ କରି ପକାଇଛନ୍ତି ଏହି ଦୁର୍ବୃତ୍ତମାନେ। ତୁରନ୍ତ ଏହି କଳା ଆଇନ୍ ରଦ୍ଦ କରିବା ସହ ଏହାର ଦୁରୁପଯୋଗ ରୋକିବା ଦାବିରେ କଡ଼ା ଆଭିମୁଖ୍ୟ ଗ୍ରହଣ ଦାବିରେ ରାସ୍ତାକୁ ଓହ୍ଲାଇଛି ଅବିଭକ୍ତ ସାଧାରଣ ବର୍ଗ । ଉଭୟ ଓବିସି ଓ ସାଧାରଣ ବର୍ଗର ଲୋକଙ୍କୁ ନେଇ ଗଠିତ ଏହି ସଙ୍ଗଠନ ପକ୍ଷରୁ ଆଜି ବିଧାନସଭା ସମ୍ମୁଖରେ ଏକ ବିକ୍ଷୋଭ ପ୍ରଦର୍ଶନ ସମୟରେ ଏସ୍ ସି ଏସ୍ ଟି ଅତ୍ୟାଚାର ନିବାରଣ ଆଇନର ଦୁରୁପଯୋଗ ନେଇ ତୀବ୍ର ଉଦ୍‌ବେଗ ପ୍ରକାଶ ପାଇଛି। ଏହି ଆଇନ ଆଳରେ ମିଥ୍ୟା ମାମଲା କରି ନିର୍ଦ୍ଦୋଷ ବ୍ୟକ୍ତିଙ୍କୁ ଫସାଇବା, ଆର୍ଥିକ ଓ ସାମାଜିକ ଭାବେ ହଇରାଣ ହରକତ କରିବା ଏବଂ ମାମଲା ମିଥ୍ୟା ବୋଲି ପ୍ରମାଣିତ ହେବା ପରେ ମଧ୍ୟ ଅଭିଯୋଗକାରୀଙ୍କୁ ଏଭଳି ମିଛ ଅଭିଯୋଗ କରିବା ପାଇଁ ଦିଆ ଯାଇଥିବା ସରକାରୀ ଆର୍ଥିକ ସହାୟତା ଫେରସ୍ତ ନ ହେବା ଭଳି ପ୍ରସଙ୍ଗରେ ଗଭୀର କ୍ଷୋଭ ପ୍ରକାଶ ପାଇଛି। ପ୍ରକାରାନ୍ତରେ ଓବିସି ଓ ସାଧାରଣ ବର୍ଗର ଲୋକଙ୍କୁ ଜନ୍ମତଃ ଅପରାଧୀ ଓ ମିଥ୍ୟାବାଦୀ ପ୍ରବୃତ୍ତିର ବୋଲି ସଜେଇ ଦିଆଯାଇଛି ଏହି କଳା ଆଇନ୍ ମାଧ୍ୟମରେ ବୋଲି ଅଭିଯୋଗ କରିଛନ୍ତି ଅବିଭକ୍ତ ସାଧାରଣ ବର୍ଗର ଆବାହକ ଜେନେରାଲ ଦୀନବନ୍ଧୁ ଷଡ଼ଙ୍ଗୀ । ଆଜି ବିଧାନସଭା ସମ୍ମୁଖରେ ଧାରଣାରେ ବସିରହିଥିବା ଓବିସି ଓ ସାଧାରଣ ବର୍ଗର ଲୋକଙ୍କୁ ସମ୍ବୋଧିତ କରି ଏହି ଆଇନର ଦୁରୁପଯୋଗ ରୋକିବା ଏବଂ ନିଜ ବର୍ଗର ଲୋକଙ୍କୁ ନ୍ୟାୟ ପାଇଁ ଓବିସି ଓ ସାଧାରଣ ବର୍ଗର ଲୋକମାନଙ୍କୁ ଏକାଠି ହୋଇ ଗଣତାନ୍ତ୍ରିକ ଉପାୟରେ ଲଢ଼େଇ କରିବାକୁ ସେ ଆହ୍ୱାନ ଦେଇଛନ୍ତି। ଆଇନର ଉଦ୍ଦେଶ୍ୟ ଯାହା ହେଉନା କାହିଁକି, ଏହାର ଆଳରେ କୌଣସି ନିର୍ଦ୍ଦୋଷ ବ୍ୟକ୍ତି ଯେପରି ଅନ୍ୟାୟର ଶିକାର ନ ହୁଅନ୍ତି, ସେଥିପାଇଁ ଦୃଢ଼ ବ୍ୟବସ୍ଥା ରହିବା ଆବଶ୍ୟକ ବୋଲି କହିଛନ୍ତି ବରିଷ୍ଠ ସାମାଜିକ କର୍ମୀ ଟାଇଫୁନ୍ ଦାସ।
ସେ ଆହୁରି କହିଛନ୍ତି ଯେ, ଅପରାଧୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଶ୍ଚିତ ହେବା ଉଚିତ; କିନ୍ତୁ ନିର୍ଦ୍ଦୋଷଙ୍କୁ ମିଥ୍ୟା ମାମଲାରେ ଫସାଇବାର କୌଣସି ବି ଉଦ୍ୟମକୁ ସହ୍ୟ କରାଯିବା ଉଚିତ ନୁହେଁ। ଏହି କଳା ଆଇନ୍ ଭୟରେ ଅଧିକାରୀମାନେ ଅଧୀନସ୍ଥ କର୍ମଚାରୀ ମାନଙ୍କୁ ନିଜ କର୍ତ୍ତବ୍ୟ ପାଳନ କରିବା କିମ୍ବା ଅନିୟମିତତା ବିରୋଧରେ ପଦକ୍ଷେପ ନେବାକୁ ପଛଘୁଞ୍ଚା ଦେଉଥିବା ପରିସ୍ଥିତି ସୃଷ୍ଟି ହୋଇଛି । ଏହା ପ୍ରଶାସନିକ ବ୍ୟବସ୍ଥା ପାଇଁ ଏକ ଚିନ୍ତାଜନକ ପରିସ୍ଥିତି ବୋଲି ସେ କହିଛନ୍ତି ।
ବସୁନ୍ଧରା ପରିବାରର ରାଜ୍ୟ ସଂଯୋଜକ ସୁଶାନ୍ତ କୁମାର ମିଶ୍ର କହିଛନ୍ତି ଯେ, ଜାତିଭିତ୍ତିକ ଆରକ୍ଷଣ ବ୍ୟବସ୍ଥା ସହିତ ଏହି କଳା ଆଇନର ଦୁରୁପଯୋଗ ସମ୍ପର୍କିତ ଅଭିଯୋଗ ମିଶି ସମାଜରେ ଅବିଶ୍ୱାସ ଓ ଅସନ୍ତୋଷର ବାତାବରଣ ସୃଷ୍ଟି କରିଛି । ଆଇନର ନିରପେକ୍ଷ ପ୍ରୟୋଗ, ନ୍ୟାୟର ସମାନତା ଓ ନିର୍ଦ୍ଦୋଷ ନାଗରିକଙ୍କ ସୁରକ୍ଷା ଉପରେ ସରକାର ଗୁରୁତ୍ୱ ଦେବା ଆବଶ୍ୟକ। ବରିଷ୍ଠ ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ତଥା ସ୍ନେହୀ ସମାଜର ସକ୍ରିୟ ସଭ୍ୟ ଅମରେନ୍ଦ୍ର ପ୍ରସାଦ ସାହୁ ଅଭିଯୋଗ କରିଛନ୍ତି ଯେ, ଏଭଳି ମାମଲାରେ ପଛୁଆ ବର୍ଗର ଅନେକ ବ୍ୟକ୍ତି ମଧ୍ୟ ଅଭିଯୁକ୍ତ ହେଉଥିବା ବେଳେ ଓବିସି ବର୍ଗର ଲୋକଙ୍କୁ ନେଇ ରାଜନୀତି କରୁଥିବା କୌଣସି ବି ସଙ୍ଗଠନ ନିଜର ବକ୍ତବ୍ୟଟିଏ ବି ନରଖିବା ଦୁର୍ଭାଗ୍ୟଜନକ। ଏପରିକି ସମସ୍ତ ପ୍ରମୁଖ ରାଜନୈତିକ ଦଳମାନଙ୍କର ସ୍ୱତନ୍ତ୍ର ଭାବରେ ଓବିସି ମୋର୍ଚ୍ଚା ଥିବାବେଳେ ଏହି କଳା ଆଇନ୍ ଉପରେ ଚର୍ଚ୍ଚା ନହେବା ଆଶ୍ଚର୍ଯ୍ୟଜନକ ବୋଲି ସେ କହିଛନ୍ତି । କୌଣସି ବି ମାମଲାର ନିରପେକ୍ଷ ତଦନ୍ତ, ପ୍ରମାଣଭିତ୍ତିକ ନ୍ୟାୟ ଏବଂ ମିଥ୍ୟା ଅଭିଯୋଗ ଦ୍ୱାରା କ୍ଷତିଗ୍ରସ୍ତ ବ୍ୟକ୍ତିଙ୍କୁ ନ୍ୟାୟ ପ୍ରଦାନ ପାଇଁ ସ୍ପଷ୍ଟ ବ୍ୟବସ୍ଥା ରହିବା ଆବଶ୍ୟକ ବୋଲି ସେ କହିଛନ୍ତି।
ଅବିଭକ୍ତ ସାଧାରଣ ବର୍ଗ ପକ୍ଷରୁ ଏହି ବିଚିତ୍ର ଆଇନର ଦୁରୁପଯୋଗ ସମ୍ପର୍କିତ ଅଭିଯୋଗ ଗୁଡ଼ିକର ନିରପେକ୍ଷ ସମୀକ୍ଷା ସହ ମିଥ୍ୟା ମାମଲାରେ ଅଭିଯୁକ୍ତ ନିର୍ଦ୍ଦୋଷଙ୍କୁ ଶୀଘ୍ର ନ୍ୟାୟ ମିଳୁ, ସରକାରୀ ଆର୍ଥିକ ସହାୟତାର ବଣ୍ଟନ ଓ ବ୍ୟବହାରରେ ଉତ୍ତରଦାୟିତ୍ୱ ସୁନିଶ୍ଚିତ ହେଉ ଏବଂ ସମସ୍ତ ନାଗରିକଙ୍କ ପାଇଁ ସମାନ ନ୍ୟାୟର ବ୍ୟବସ୍ଥା ସୁନିଶ୍ଚିତ କରିବା ପାଇଁ ସରକାରଙ୍କୁ ଆହ୍ୱାନ କରାଯାଇଛି । ଅବିଭକ୍ତ ସାଧାରଣ ବର୍ଗ ପକ୍ଷରୁ ଅନୁଗୁଳ ଜିଲ୍ଲାମୁଖ୍ୟ ଚାରୁଶ୍ରୀ ମିଶ୍ର କହିଛନ୍ତି ଯେ, ନ୍ୟାୟ କୌଣସି ଜାତିର ସୀମାରେ ବନ୍ଧା ନ ହେଉ। ଦୋଷୀ ଦଣ୍ଡ ପାଉ ଓ ନିର୍ଦ୍ଦୋଷ ସୁରକ୍ଷା ପାଉ। ଏହା ହିଁ ଏକ ସୁସ୍ଥ ଗଣତନ୍ତ୍ରର ମୂଳମନ୍ତ୍ର। ତେଣୁ ଓବିସି ଓ ସାଧାରଣ ବର୍ଗର ସମସ୍ତ ନାଗରିକ ଜାତିଗତ ଭେଦଭାବରୁ ଊର୍ଦ୍ଧ୍ୱରେ ରହି ନ୍ୟାୟ, ସମାନ ଅଧିକାର ଓ ନିର୍ଦ୍ଦୋଷଙ୍କ ସୁରକ୍ଷା ପାଇଁ ଏକଜୁଟ ହେବାକୁ ସେ ଆହ୍ୱାନ ଦେଇଛନ୍ତି। ଅନ୍ୟ ମାନଙ୍କ ମଧ୍ୟରେ ପଦ୍ମନ ଷେଣ୍ଢ, ଆଶିଷ ମିଶ୍ର, ଅଶୋକ ପଣ୍ଡା, ସୁଶାନ୍ତ ମହାନ୍ତି, ସୌଦାମିନୀ ସାମନ୍ତରାୟ, କମଳାକାନ୍ତ ପ୍ରହରାଜ, ନରେଶ ପଣ୍ଡା, ବାବୁଲି ସ୍ୱାଇଁଙ୍କ ସମେତ ଅନେକ ବୁଦ୍ଧିଜୀବୀ ପ୍ରମୁଖ ଉପସ୍ଥିତ ଥିଲେ

Leave a Reply

Your email address will not be published. Required fields are marked *