ଅନୁଗୁଳ ସଦର ଥାନା ଏନ୍ଏଚ୍ ୫୫ ପଞ୍ଚମହଲା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ; ଟ୍ରକ୍ ଧକ୍କାରେ ୩ ବାଇକ ଆରୋହୀ ଯୁବକଙ୍କ ମୃତ୍ୟୁ

ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ ପଞ୍ଚମହଲାରେ ଟ୍ରକ୍ ଧକ୍କାରେ ୩ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଡେରେଜାଙ୍ଗ ଗାଁର ରୁପା ଦେହୁରୀ (୪୮), ରାଜେନ୍ଦ୍ର ପ୍ରଧାନ (୨୨) ଏବଂ ସୁବ୍ରତ ପ୍ରଧାନ (୧୭)। ଏମାନଙ୍କ ମଧ୍ୟରେ ଦୁଇଜଣ ମାଛ ବେପାରୀ ଓ ଜଣେ କଲେଜ ଛାତ୍ର ଅଛନ୍ତି। ଏହି ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। କ୍ଷତିପୂରଣ ଦାବିରେ ଲୋକେ ରାସ୍ତାରୋକ କରିଛନ୍ତି।

ଅନୁଗୁଳ ଦେଇ ଯାଇଥିବା ୫୫ନମ୍ବର ଜାତୀୟ ରାଜପଥରେ ପୁଣି ମୁଣ୍ଡ ଗଡ଼ିଛି। ଟ୍ରକ ଚାପାରେ ଏକା ଥରକେ ୩ଜଣଙ୍କ ଜୀବନ ଚାଲି ଯାଇଛି। ସୂଚନା ମୁତାବକ, ଜରପଡା ଥାନା ଡେରେଜାଙ୍ଗ ଗାଁର ରୁପା ଦେହୁରୀ (୪୮), ରାଜେନ୍ଦ୍ର ପ୍ରଧାନ (୨୨) ଓ ସୁବ୍ରତ ପ୍ରଧାନ (୧୭) ଆଜି ସକାଳୁ ଏକ ବାଇକରେ ଅନୁଗୁଳ ବଜାରକୁ କୌଣସି କାମରେ ଆସୁଥିଲେ। ତେବେ ପଞ୍ଚମହଲା ନିକଟରେ ପଛ ପାର୍ଶ୍ୱରୁ ଆସୁଥିବା ଏକ ଟ୍ରକ (ଏମ ପି -୦୯-ଏଚ ଏଚ -୮୨୭୬)ବାଇକକୁ ଧକ୍କା ଦେଇ ଘୋଷାଡ଼ି ନେଇଥିଲା। ଫଳରେ ବାଇକରେ ଥିବା ତିନିଜଣଙ୍କ ଜୀବନ ଚାଲି ଯାଇଥିଲା। ଘଟଣାସ୍ଥଳରେ ଉତ୍ତେଜନା ଲାଗିରହିଥିବା ବେଳେ ସଦର ଥାନା ପୁଲିସ ସେଠାରେ ପହଞ୍ଚିଛି। ରାସ୍ତାରେ ଶହ ଶହ ଗାଡ଼ି ମଟର ଅଟକି ରହିଛି। ଏଥି ମଧ୍ୟରେ ଦୁଇଜଣ ମାଛ ବ୍ୟବସାୟୀ ରହିଥିବା ବେଳେ କଲେଜ ଛାତ୍ର ସୁବ୍ରତ ଟିଉସନ ହେବାକୁ ଯାଉଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *