ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ସମାରୋହ ଅବସରରେ ଅହିଂସା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ସମାରୋହ ପ୍ରଦର୍ଶନୀ ପଡ଼ିଆ ଠାରେ ଆୟୋଜିତ ହୋଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ। ଏହା ସହିତ ପ୍ରଦର୍ଶନୀ ପଡ଼ିଆରୁ ଏକ ଫଟୋଚିତ୍ର ପ୍ରଦର୍ଶନୀ ସହ ଅହିଂସା ରଥର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ସାରା ରାଜ୍ୟରେ ପରିକ୍ରମା କରିବାକୁ ଥିବା ଫଟୋ ପ୍ରଦର୍ଶନୀ ରଥ ଅଭିଯାନ ‘ଅହିଂସା ରଥ’ର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ମହାତ୍ମା ଗାନ୍ଧିଙ୍କ ବାର୍ତ୍ତା ‘ଅହିଂସା ମଣିଷର ସବୁଠୁ ବଡ଼ ଶକ୍ତି । ମଣିଷ ନିଜର ବୁଦ୍ଧିମତା ବଳରେ ବିକାଶ କରିଥିବା ସବୁଠାରୁ ଶକ୍ତିଶାଳୀ ବିଧ୍ୱଂସୀ ମାରଣାସ୍ତ୍ର ଅପେକ୍ଷା ଆହୁରି ବେଶୀ ଶକ୍ତିଶାଳୀ।

ସ୍ବାଧୀନତାର ସଙ୍ଘର୍ଷ କାହାଣୀ କହିବ ଏହି ଫଟୋ ପ୍ରଦର୍ଶନୀ । ରାଜ୍ୟବାସୀଙ୍କୁ ସ୍ବାଧିନତାର ସଙ୍ଘର୍ଷ କାହାଣୀ ବିଷୟରେ ଜାଣିବାକୁ ଏହା ଏକ ସୁଯୋଗ । ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ରାଜ୍ୟସ୍ତରୀୟ ଫଟୋ ଚିତ୍ର ପ୍ରଦର୍ଶନୀରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କଠୁ ନେଇ ଅନେକ ସ୍ବାଧୀନତା ସଂଗ୍ରାମୀଙ୍କ ଫଟୋ ରହିଛି।

ସ୍ବାଧିନତା ସଂଗ୍ରାମରେ ବଳିଦାନ ଦେଇଥିବା ସଂଗ୍ରାମୀମାନଙ୍କ ଫଟୋ ସହ ସେମାନଙ୍କର ବଳିଦାନର ତଥ୍ୟ ପ୍ରଦର୍ଶନୀ ହୋଇଛି। ଗାନ୍ଧିଜିଙ୍କ ଓଡ଼ିଶା ଗସ୍ତ ସମୟର କାହାଣୀ ମଧ୍ୟ ଫଟୋରେ ରହିଛି। ଓଡ଼ିଶାର ସଂଗ୍ରାମୀ ନେତାମାନଙ୍କର ସଂଗ୍ରାମର ଭୂମିକା ବିଷୟରେ ବଖାଣୁଛି ଫଟୋ ଚିତ୍ର। ଲବଣ ସତ୍ୟାଗ୍ରହଠୁ ଆରମ୍ଭ କରି ଭାରତଛାଡ଼ ଆନ୍ଦୋଳନ, ପାଇକ ବିଦ୍ରୋହ, ଅସହଯୋଗ ଆନ୍ଦୋଳନ, କ୍ରାନ୍ତି ଆନ୍ଦୋଳନ, ଆଇନ ଅମାନ୍ୟ ଆନ୍ଦୋଳନ ଭଳି କନ୍ଧ ଜନଜାତିଙ୍କ ଘୁମୁସୁର ବିଦ୍ରୋହ ସମ୍ପର୍କରେ ଅବଗତ କରାଯାଇଛି। ଏପରିକି ରାଜ୍ୟର ବିଭିନ୍ନ ସଂଗ୍ରାମୀ ସ୍ମୃତିପୀଠ ଖଦୀରେ ନିର୍ମିତ ବସ୍ତ୍ର ମଧ୍ୟ ବିକ୍ରୟ ହେଉଛି।

ସୂଚନା ଓ ଲୋକସଂପର୍କ ବିଭାଗ ଆନୁକୂଲ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ଏହି ଅହିଂସା ରଥ ପରିକ୍ରମା କାର୍ଯ୍ୟକ୍ରମ ଅକ୍ଟୋବର ୨ ତାରିଖ ଦିନ ପର୍ଯ୍ୟନ୍ତ ଚାଲିବ। ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ ସ୍ଥଳରୁ ଏଲ୍‌ଇଡ଼ି ଭିଡ଼ିଓ ୱାଲ୍‌ରେ ସଜ୍ଜିତ ୪ଟି ରଥ ସମଗ୍ର ରାଜ୍ୟ ପରିକ୍ରମା ନିମନ୍ତେ ଯାତ୍ରା ଆରମ୍ଭ କରିଛି। ପ୍ରତି ଜିଲ୍ଲା ମୁଖ୍ୟାଳୟରେ ପହଞ୍ଚିବା ପରେ ଏହି ରଥଗୁଡ଼ିକ ଜିଲ୍ଲାର ବିଭିନ୍ନ ବ୍ଲକ୍‌ ଗସ୍ତ କରିବ। ଏହି ଅବସରରେ ଜିଲ୍ଲା ଓ ବ୍ଲକ୍‌ ସ୍ତରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ଓ ଏଥିରେ ଜିଲ୍ଲାର ବିଭିନ୍ନ ଗୋଷ୍ଠୀ, ସ୍ଥାନୀୟ ଲୋକପ୍ରତିନିଧି, ସାଧାରଣ ଜନତା ଯୋଗ ଦେବେ।

ଜନସାଧାରଣ, ବିଶେଷ କରି ଛାତ୍ରଛାତ୍ରୀଙ୍କୁ ସ୍ୱାଧୀନତା ସଂଗ୍ରାମ ଓ ସଂଗ୍ରାମୀଙ୍କ ଅବଦାନ ସଂପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ପ୍ରସ୍ତୁତ ଏହି ରଥଗୁଡ଼ିକ ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗ, ଭୁବନେଶ୍ୱର ପକ୍ଷରୁ ଆଜି ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ପରିକ୍ରମା କରିବ। ପରେ ଅଗଷ୍ଟ ୧୬ରେ ପୁରୀରେ ପହଞ୍ଚି ସେଠାରେ ଏହି ରଥଗୁଡ଼ିକ ୪ ଦିନ ପର୍ଯ୍ୟନ୍ତ ପୁରୀ ସଦର ମହକୁମା ଓ ଜିଲ୍ଲା ଅଧୀନସ୍ଥ ବିଭିନ୍ନ ବ୍ଲକ୍‌ ପରିକ୍ରମା କରିବ।

ସେହିପରି ଅଗଷ୍ଟ ୨୦ରୁ ୨ ଦିନ ପର୍ଯ୍ୟନ୍ତ ନୟାଗଡ଼ ଜିଲ୍ଲା ଓ ଏହାର ସମସ୍ତ ବ୍ଲକ୍‌ ଅଞ୍ଚଳ, ଅଗଷ୍ଟ ୨୨ରୁ ୩ ଦିନ ପର୍ଯ୍ୟନ୍ତ ଫୁଲବାଣୀ ଜିଲ୍ଲା ଓ ଏହାର ସମସ୍ତ ବ୍ଲକ୍‌ ଅଞ୍ଚଳ, ଅଗଷ୍ଟ ୨୫ରୁ ୨ ଦିନ ପର୍ଯ୍ୟନ୍ତ ବୌଦ୍ଧ ଜିଲ୍ଲା, ୨୭ ଅଗଷ୍ଟରୁ ୩ ଦିନ ପର୍ଯ୍ୟନ୍ତ ବଲାଙ୍ଗୀର ଜିଲ୍ଲା, ସେପ୍ଟେମ୍ବର ୧ ତାରିଖରୁ ୨ ଦିନ ପର୍ଯ୍ୟନ୍ତ ନୂଆପଡ଼ା ଜିଲ୍ଲା, ସେପ୍ଟେମ୍ବର ୩ ତାରିଖରୁ ୪ ଦିନ ପର୍ଯ୍ୟନ୍ତ କଳାହାଣ୍ଡି ଜିଲ୍ଲା, ସେପ୍ଟେମ୍ବର ୭ ତାରିଖରୁ ୩ ଦିନ ପର୍ଯ୍ୟନ୍ତ ନବରଙ୍ଗପୁର ଜିଲ୍ଲା, ସେପ୍ଟେମ୍ବର ୧୦ ତାରିଖରୁ ୩ ଦିନ ପର୍ଯ୍ୟନ୍ତ ମାଲକାନଗିରି ଜିଲ୍ଲା, ସେପ୍ଟେମ୍ବର ୧୩ ତାରିଖରୁ ୪ ଦିନ ପାଇଁ କୋରାପୁଟ ଜିଲ୍ଲା, ସେପ୍ଟେମ୍ବର ୧୭ ତାରିଖରୁ ୪ ଦିନ ପର୍ଯ୍ୟନ୍ତ ରାୟଗଡ଼ା ଜିଲ୍ଲା, ସେପ୍ଟେମ୍ବର ୨୧ ତାରିଖରୁ ୨ ଦିନ ପାଇଁ ପାରଳାଖେମୁଣ୍ଡି ଜିଲ୍ଲା, ସେପ୍ଟେମ୍ବର ୨୩ ତାରିଖରୁ ୫ ଦିନ ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲା, ସେପ୍ଟେମ୍ବର ୨୮ ତାରିଖରୁ ୪ ଦିନ ପର୍ଯ୍ୟନ୍ତ ଖୋର୍ଦ୍ଧା ଜିଲ୍ଲା ଓ ଏହା ଅନ୍ତର୍ଗତ ସମସ୍ତ ବ୍ଲକ୍‌ ଅଞ୍ଚଳ ପରିଦର୍ଶନ କରିବ। ଅକ୍ଟୋବର ୨ ତାରିଖ ଦିନ ଏହି ରଥ ଭୁବନେଶ୍ୱର ଫେରିବା ସହ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳର ବିଭିନ୍ନ ସ୍ଥାନରେ ପରିକ୍ରମା କରିବ।

Leave a Reply

Your email address will not be published. Required fields are marked *