ବିଶ୍ଵ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ଅଖଣ୍ଡ ଭାରତ ଦିବସ ପାଳିତ

ଭୁବନେଶ୍ଵର : ମହାନଗର ବଜରଙ୍ଗ ଦଳ ଓ ବିଶ୍ବ ହିନ୍ଦୁ ପରିଷଦ ପକ୍ଷରୁ ଅଖଣ୍ଡ ଭାରତ ଦିବସ ଆଜି ସନ୍ଧ୍ୟାରେ ଭୁବନେଶ୍ୱର ୟୁନିଟ୍ -୩ ରାମ ମନ୍ଦିର ନିକଟରେ ପାଳିତ ହୋଇଯାଇଛି । ୧୯୪୭ ମସିହା ଅଗଷ୍ଟ ୧୪ ତାରିଖରେ ଇଂରେଜ ସରକାର ଭାରତ ଛାଡ଼ିବାର ଅବ୍ୟବହିତ ପୂର୍ବରୁ ବିଶାଳ ଭାରତ ବର୍ଷର ବିଭାଜନ ଘଟାଇ ଭାରତ ମାତାକୁ କ୍ଷତବିକ୍ଷତ କରି ଯେଭଳି ଏକ ବିଖଣ୍ଡିତ ଭାରତ ଛାଡ଼ି ଚାଲିଗଲେ ତାର ଦୁର୍ଦ୍ଦଶା ଅବର୍ଣ୍ଣନୀୟ। ଭାରତ ମାତାଙ୍କ ଉଭୟ ପାର୍ଶ୍ଵରୁ ପକ୍ଷ ଛେଦନ କରି ପାକିସ୍ତାନ ନାମରେ ଏକ ଆତଙ୍କବାଦୀ ଭୂଖଣ୍ଡ ସୃଷ୍ଟି କରି କିଛି ଜହ୍ଲାଦଙ୍କ ପାଇଁ ଛାଡ଼ି ଦେଲେ। ଏହି ଗୋଟିଏ ଦିନରେ ଭାରତର ଜାତୀୟ ମାନଚିତ୍ର ବଦଳି ଯାଇଥିଲା। ମୁସଲିମ ଲିଗ୍ ଓ ବ୍ରିଟିଶ୍ ନେତୃତ୍ୱରେ ଏ ବିଭାଜନ ସଂଘଟିତ ହେଉଥିବା ବେଳେ କଂଗ୍ରେସ୍ ଏହାର ନୀରବ ସମର୍ଥକ ରହିଥିଲା। ୨ ଲକ୍ଷରୁ ଉର୍ଦ୍ଧ୍ବ ହିନ୍ଦୁଙ୍କର ଗଣହତ୍ୟା ହୋଇଥିଲା ବେଳେ ଲକ୍ଷ ଲକ୍ଷ ହିନ୍ଦୁ ମହିଳାଙ୍କ ବଳାତ୍କାର ଏବଂ ୨୨ଲକ୍ଷରୁ ଉର୍ଦ୍ଧ୍ବ ଲୋକ ବାସଚ୍ୟୁତ ହୋଇଥିଲେ। ଏଣୁ ଅଖଣ୍ଡ ଭାରତ ଦିବସ ଆମ ପାଇଁ କୌଣସି ଉତ୍ସବ ନୁହେଁ ବରଂ ଗଭୀର ଦୁଃଖ ଓ ଅବସାଦ ଭିତରେ ଆମେ ହରାଇଥିବା ଭୂଭାଗ ଅକ୍ତିଆର କରି ପୁନଃ ଅଖଣ୍ଡ ଭାରତ ସ୍ଥାପନା କରି ପରମ ବୈଭବଶାଳୀ ବିଶ୍ୱଗୁରୁ ଭାରତ ନିର୍ମାଣ କରିବାକୁ ସଂକଳ୍ପ ନେବାର ଦିବସ ବୋଲି ବିଶ୍ୱ ହିନ୍ଦୁ ପରିଷଦର ଭୁବନେଶ୍ଵର ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଲକ୍ଷ୍ମୀ ନାରାୟଣ ରଥ କହିଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ୧୯୪୬ ରେ ସଂଘଟିତ ନୌସେନା ବିଦ୍ରୋହ ଯେଉଁଥି ପାଇଁ ବ୍ରିଟିଶ୍ ଶାସନ ଭାରତ ଛାଡ଼ିବା ପାଇଁ ଗମ୍ଭୀର ଭାବରେ ଚିନ୍ତା କଲା ଏବଂ ଶେଷରେ ବ୍ରିଟିଶ୍ ପାର୍ଲିଆମେଣ୍ଟରେ ଇଂରେଜଭକ୍ତ ନେହେରୁଙ୍କୁ ଶାସନ ଦାୟିତ୍ୱ ଦେବାର ପ୍ରସ୍ତାବ ଅନୁମୋଦିତ କରାଇ ଭାରତକୁ ଯେଭଳି ବିଭାଜିତ କରି ସ୍ଵାଧୀନତା ଦେବାର ପ୍ରକ୍ରିୟା ଆରମ୍ଭ କରାଯାଇଥିଲା ତାହା ପାଠ୍ୟ ପୁସ୍ତକର ବଳୟକୁ ଏପର୍ଯ୍ୟନ୍ତ ଆସି ପାରିନାହିଁ। ସୂଚନା କ୍ରାନ୍ତି ପ୍ରଭାବରେ ଧୀରେ ଧୀରେ ତଥ୍ୟ ସାମ୍ନାକୁ ଆସିଲା ପରେ ସାଧାରଣ ଗ୍ରାମୀଣ ହିନ୍ଦୁ ଏବେ ସଚେତନ ହେଉଛନ୍ତି ଏବଂ ଏହାର ପ୍ରଭାବ ଦେଖିବାକୁ ମିଳୁଛି ବୋଲି ସେ କହିଥିଲେ। ତେବେ ଆଜିର ପାକିସ୍ତାନ ଏବଂ ବାଂଲାଦେଶ ନାମରେ ନାମିତ ଭୂଭାଗ ଭାରତର ଓ ହିନ୍ଦୁମାନଙ୍କର ସମ୍ପତ୍ତି। ଏହାକୁ ଅକ୍ତିଆର କରି ଅଖଣ୍ଡ ଭାରତ ସ୍ଥାପନା କରାଯିବ ବୋଲି ସେ କହିଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସଙ୍ଗଠନର ପ୍ରାନ୍ତ ସହ ସଂଯୋଜକ ପ୍ରଭାତ ଭୂଷଣ ତ୍ରିପାଠୀ, ପ୍ରିୟରଞ୍ଜନ ସାହୁ , ଦୀନବନ୍ଧୁ ଷଡ଼ଙ୍ଗୀ, ମହାନଗର ସଂଯୋଜକ ପ୍ରତ୍ୟୁଷ ରାଉତରାୟ, ଚିନ୍ମୟ ସାମଲ, ଅର୍ଜୁନ ପ୍ରଧାନ, ପ୍ରଦୀପ କୁମାର ମହାନ୍ତି, ବିପିନ କୁମାର ସାମଲ, ଅଭିମନ୍ୟୁ ପାତ୍ର, ହିମାଂଶୁ ଭୁଷଣ ଦାସ, ବିଶେଷ ଚୈତନ୍ୟ ମହାରାଜଙ୍କ ସମେତ ଶତାଧିକ କର୍ମକର୍ତ୍ତା ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *