‘ସମାଜବାଦୀ ଅତର’ ନାଁରେ ଗୋଟିଏ ସେଣ୍ଟ୍‌ର ଶୁଭାରମ୍ଭ କଲେ ଅଖିଲେଶ ଯାଦବ

ଲକ୍ଷ୍ନୌ: ଆସନ୍ତାବର୍ଷ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହାପୂର୍ବରୁ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଭୋଟରଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବା ପାଇଁ ନିଆରା ପଦକ୍ଷେପ ନେଇଛନ୍ତି। ଭୋଟରଙ୍କ ପାଇଁ ଆଜି ଅଖିଲେଶ ଯାଦବ ‘ସମାଜବାଦୀ ଅତର’ ନାଁରେ ଗୋଟିଏ ସେଣ୍ଟ୍‌ର ଶୁଭାରମ୍ଭ କରିଛି। ଏହାକୁ ଦଳ ତରଫରୁ ଲୋକଙ୍କୁ ଦିଆଯିବ। ସେଣ୍ଟ ଦେଇ ସମାଜବାଦୀ ପାର୍ଟି ଲୋକଙ୍କୁ ନିଜ ଆଡ଼କୁ ଆଣିବାକୁ ଲକ୍ଷ୍ୟ ରଖିଛି।

ନାଲି ଓ ଗ୍ରୀନ କାଚ ବୋତଲ ଭିତରେ ଏହି ଅତର ରହିଛି। ୨୨ଟି ପ୍ରାକୃତିକ ସେଣ୍ଟର ମିଶ୍ରରେ ଏହାକୁ ପ୍ରସ୍ତୁତ କରାଯାଇଛି। ଏହା ଉପରେ ସମାଜବାଦୀ ପାର୍ଟି ଲେଖାଯାଇଛି ଓ ସାଇକେଲ ଚିହ୍ନ ବି ରହିଛି। ସେହିପରି ବୋତଲର ଖୋଳ ଉପରେ ଅଖିଲେଶ ଯାଦବଙ୍କ ଫଟୋ ଓ ଦଳୀୟ ଚିହ୍ନ ଦେଖିବାକୁ ମିଳିଛି।

ଏହି ସେଣ୍ଟ୍‌ ୨୦୨୨ ନିର୍ବାଚନରେ ତା’ର ମ୍ୟାଜିକ ଦେଖାଇବ ବୋଲି ଅଖିଲେଶ ଯାଦବ କହିଛନ୍ତି। ଆଜି ଏହି ସେଣ୍ଟକୁ ସମାଜବାଦୀ ପାର୍ଟି ନେତା ପୁଷ୍କରାଜ ଜୈନ ବିଧିବଦ୍ଧ ଭାବେ ଲଞ୍ଚ କରିଛନ୍ତି। ସେ କହିଛନ୍ତି, ଲୋକମାନେ ଯେତେବେଳେ ଏହି ସେଣ୍ଟକୁ ବ୍ୟବହାର କରିବେ ସେତେବେଳେ ସମାଜବାଦ ଅନୁଭବ କରିବେ। ସମାଜବାଦୀ ସେଣ୍ଟ ୨୦୨୨ରେ ଘୃଣାର ବିନାଶ କରିବ ବୋଲି ସେ କହିଛନ୍ତି।

ଭୋଟରଙ୍କ ପାଇଁ ସମାଜବାଦୀ ପାର୍ଟି ପ୍ରଥମଥର ଏପରି ଅତର ବା ସେଣ୍ଟର ବ୍ୟବସ୍ଥା କରିନି। ୨୦୧୬ରେ ମଧ୍ୟ ଅଖିଲେଶ ଯାଦବ ନିଜ ସରକାରର ୪ ବର୍ଷ ପୂରଣ ଉପଲକ୍ଷେ ସମାଜବାଦୀ ସୁଗନ୍ଧ ନାଁରେ ସେଣ୍ଟର ପ୍ରଚଳନ କରିଥିଲେ। ଆଗ୍ରା, ଲକ୍ଷ୍ନୌ, ବାରାଣସୀ ଓ କନ୍ନୁଜରେ ପଚଳିତ ସୁଗନ୍ଧକୁ ଏକାଠି କରି ସମାଜବାଦୀ ସୁଗନ୍ଧ ପ୍ରସ୍ତୁତ କରାଯାଇଥିଲା। ଏହି ସେଣ୍ଟ ଲୋକଙ୍କ ମଧ୍ୟରେ ବଣ୍ଟା ଯାଇଥିଲା। କିନ୍ତୁ ୨୦୧୭ ବିଧାନସଭା ନିର୍ବାଚନରେ ସମାଜବାଦୀ ପାର୍ଟି ଶୋଚନୀୟ ପରାଜୟବରଣ କରିଥିଲେ।

ଏହି ବିଧାନସଭା ନିର୍ବାଚନରେ ବିଜେପି ୩୦୦ରୁ ଅଧିକ ଆସନରେ ଏକତରଫା ବିଜୟ ହାସଲ କରି ରାଜ୍ୟରେ ସରକାର ଗଠନ କରିଛି। ଏଥର କିନ୍ତୁ ବିଜେପିକୁ ଗାଦିଚ୍ୟୁତ କରିବାକୁ ସପା ଜୋରଦାର ଉଦ୍ୟମ କରୁଛି।

Leave a Reply

Your email address will not be published. Required fields are marked *