ଅଲ୍ ଓଡ଼ିଶା ଭେଟେରାନ୍ ସୈନିକ ସଂଘ ତରଫରୁ ମାର୍ଚ୍ଚ ୧୦ରେ ମହାସମାବେଶ

ଭୁବନେଶ୍ୱର : ଜୀବନକୁ ବାଜି ଲଗାଇ ଦେଶମାତୃକାର ରକ୍ଷାକରି ସେବାନିବୃତ ହୋଇଥିବା ସୈନିକଟିଏ ଆଜି ନିଜ ମାଟିରେ ଅସୁରକ୍ଷିତ | ନିଜର ସୁରକ୍ଷା, ଅଧିକାର ପାଇଁ ସେ ଆଜି ସଂଘର୍ଷ କରୁଛି | ପୋଲିସ ଠାରୁ ଆରମ୍ଭ କରି ଉଚ୍ଚ ପ୍ରଶାସନିକ ଅଧିକାରୀ ମାନେ ସେମାନଙ୍କ କଥା ବୁଝିବା ପରିବର୍ତ୍ତେ ସ୍ଥାନ ବିଶେଷରେ ବେସମ୍ମାନ ଓ ଦୁର୍ବ୍ୟବହାର ମଧ୍ୟ କରୁଛନ୍ତି | ଚାକିରିରୁ ଅବସର ନେଇ ଆସିବା ପରେ ଆମକୁ ଦିଆଯାଉଥିବା ଜମି ଖଣ୍ଡେ ମଧ୍ୟ ଆମଠାରୁ ଛଡାଇ ନିଆଯାଇଛି |ସରକାରଙ୍କ ଦ୍ୱାରା ଆମକୁ ଦିଆଯାଉଥିବା ଜମି ଲିଜ ରଦ୍ଦ କରି ଅନ୍ୟମାନଙ୍କୁ ଆବଣ୍ଟନ କରାଯାଇଛି | ଏଭଳି କିଛି ନିଜର କ୍ଷୋଭ ପ୍ରକାଶ କରିଛନ୍ତି ରାଜ୍ୟର ଅବସର ପ୍ରାପ୍ତ ସେନାବାହିନୀର ଯବାନ ମାନେ |

ଆମର ଜଣେ ଶହୀଦଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଥିବା ବାଙ୍କୀ ତହସିଲଦାର ଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, ଶହୀଦ ପରିବାରକୁ ସରକାରୀ ସହାୟତା ୧ କୋଟିକୁ ବୃଦ୍ଧି କରିବା, ରାଜ୍ୟର ସହିଦ/ସ୍ୱାଧୀନତା ସଂଗ୍ରାମୀଙ୍କ ନାମରେ ସ୍ମାରକୀ ମାନ ପ୍ରତିଷ୍ଠା କରିବା, ପ୍ରତି ଜିଲ୍ଲା ମୁଖ୍ୟାଳୟରେ ଅମର ଯବାନଙ୍କ ସ୍ମାରକୀ ତିଆରି କରିବା ଭଳି ପ୍ରାୟ ୧୦ ଗୋଟି ଦାବି ନେଇ ଆସନ୍ତା ମାର୍ଚ୍ଚ ୧୦ ତାରିଖରେ ରାଜଧାନୀ ଭୁବନେଶ୍ୱର ଠାରେ ଏକ ମହାସମାବେଶ ଆୟୋଜନ କରାଯିବାର ବ୍ୟବସ୍ଥା ହୋଇଅଛି | ଏଥିରେ ସାରା ରାଜ୍ୟର ସମସ୍ତ ଅବସରପ୍ରାପ୍ତ ସୈନ୍ୟ ବାହିନୀର କର୍ମଚାରୀ ମାନେ ଯୋଗ ଦେବେ | ଏନେଇ ସ୍ଥାନୀୟ ମାଷ୍ଟରକ୍ୟାଣ୍ଟିନ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅଲ୍ ଓଡ଼ିଶା ଭେଟେରାନ୍ ସୈନିକ ସଂଘ ତରଫରୁ ସବିଶେଷ ସୂଚନା ଦିଆଯାଇଛି | ଏହି ସାମ୍ବାଦିକ ସମ୍ମିଳନୀରେ ଅଲ୍ ଓଡ଼ିଶା ଭେଟେରାନ୍ ସୈନିକ ସଂଘ ସଭାପତି ମହେଶ୍ୱର ବେହେରା, ସମ୍ପାଦକ ଉମେଶ କୁମାର ଚଇନି, ରାଜ୍ୟ ସଂଯୋଜକ ରଞ୍ଜନ କର, ହାଇକୋର୍ଟର ବରିଷ୍ଠ ଆଇନୀଜୀବୀ ସୁରେଶ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ |

Leave a Reply

Your email address will not be published. Required fields are marked *