ନୂଆଦିଲ୍ଲୀରେ ବି.ଜେ.ପି ଓ ବି.ଜେ.ଡି ମଧ୍ୟରେ ମେଣ୍ଟ ଚୂଡ଼ାନ୍ତ

ନୂଆଦିଲ୍ଲୀ : (କିଶୋର ଦ୍ବିବେଦୀଙ୍କ ଠାରୁ) ଏଠାରେ ଭାରତୀୟ ଜନତା ପାର୍ଟି ଓ ବିଜୁ ଜନତା ଦଳ ମଧ୍ୟରେ ନିର୍ବାଚନୀ ମେଣ୍ଟ ଚୂଡ଼ାନ୍ତ କରାଯାଇଥିବା ଜଣାଯାଇଛି।ଏନେଇ ଆନୁଷ୍ଠାନିକ ଘୋଷଣା ଖୁବଶୀଘ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେଡି ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ହେବାକୁ ଯାଉଛି।ଏଠାରେ ଉଲ୍ଲେଖଯୋଗ୍ୟ ଯେ ପ୍ରଧାନମନ୍ତ୍ରୀଙ୍କର ଆସନ୍ତା ସପ୍ତାହ ରେ ଓଡ଼ିଶା ଗ୍ରସ୍ତ ସମୟରେ ଉଭୟ ନେତା ଙ୍କର ସାକ୍ଷାତ ହେବାର କାର୍ଯ୍ୟକ୍ରମ ଅଛି।ବିଜେଡି ମଧ୍ୟ ଖୁବ ଶୀଘ୍ର ଜାତୀୟ ଗଣତାନ୍ତ୍ରିକ ସମ୍ମୁଖ୍ୟ(ଏନ.ଡି.ଏ)ରେ ଯୋଗ ଦେବାକୁ ଯାଉଥିବାର ସୂଚନା ମିଳିଛି। ଉଭୟ ଦଳର ବହୁ ପ୍ରଭାବଶାଳୀ ସୂତ୍ରରୁ ପ୍ରାପ୍ତ ଖବରରୁ ପ୍ରକାଶ ଯେ ଦୁଇ ଦଳ ଆସନ ଭାଗବଣ୍ଟା ଫର୍ମୁଲା କୁ ମଧ୍ୟ ଅନ୍ତିମ ରୂପରେଖ ଦିଆଯାଇସାରିଛନ୍ତି।ସେହି ଅନୁଯାୟୀ ଲୋକସଭା ନିର୍ବାଚନରେ ଓଡ଼ିଶାର ମୋଟ ୨୧ଟି ଆସନ ମଧ୍ୟରୁ ବିଜେପି ୧୪ଟିରେ ପ୍ରତିଦ୍ୱନ୍ଦୀତା କରିବା କୁ ଯାଉଥିବା ବେଳେ ବିଜେଡିକୁ ୭ଟି ଆସନ ଛାଡିଦେଇଛି।ସେହିପରି ରାଜ୍ୟ ବିଧାନସଭାର ୧୪୭ଟି ନିର୍ବାଚନୀ ମଣ୍ଡଳୀ ମଧ୍ୟରୁ ଶାସକ ବିଜେଡିର ପାର୍ଥି ୧୦୬ଟିରେ ଓ ସହଯୋଗୀ ଦଳ ବିଜେପିର ପାର୍ଥି ୪୧ଟି ଆସନ ରେ ଛିଡ଼ା ହେବାକୁ ଯାଉଛନ୍ତି। ନବୀନ ପଟ୍ଟନାୟକଙ୍କୁ ଏହି ମେଣ୍ଟର ନେତା ଏବଂ ଭାବି ମୁଖ୍ୟମନ୍ତ୍ରୀ ଭାବରେ ଭୋଟଦାତା ମାନଙ୍କ ସାମନା ରେ ଉପସ୍ଥାପନ କରାଯିବା ପାଇଁ ସ୍ଥିର କରାଯାଇଛି।ନିର୍ବାଚନ ବିଶେଷଜ୍ଞମାନଙ୍କ ମତାମତ ଅନୁଯାୟୀ ଏହି ନୂଆ ମେଣ୍ଟ ଆସନ୍ତା ସାଧାରଣ ଓ ରାଜ୍ୟ ନିର୍ବାଚନ ରେ ବିପୁଳ ସଫଳତା ହାସଲ କରିବାକୁ ଯାଉଛି।ନିର୍ବାଚନ ପରବର୍ତ୍ତୀ କାଳରେ ନବୀନ ପଟ୍ଟନାୟକ ରେକର୍ଡ ହାସଲ କରି ଷଷ୍ଠ ଥର ପାଇଁ ଲୋକସେବା ଭବନ ର ତୃତୀୟ ମହଲା ସ୍ଥିତ ମୁଖ୍ୟମନ୍ତ୍ରୀ ଗାଦୀ ଅଧିକାର କରିବାକୁ ଯାଉଥିବା ନିଶ୍ଚିତ ମନେହେଉଛି।ଶ୍ରୀ ପଟ୍ଟନାୟକଙ୍କ ଅଧୀନରେ ବିଜେଡି ଓ ବିଜେପି ମଧ୍ୟରୁ ଜଣେ କରି ୨ ଜଣ ଉପ ମୁଖ୍ୟମନ୍ତ୍ରୀ ରହିବେ।ଏଠାରେ ପ୍ରକାଶ ଥାଉକି ୨୦୦୯ ମସିହାରେ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟାକାଣ୍ଡ ବିବାଦ ଯୋଗୁଁ ବିଜେପି-ବିଜେଡି ମଧ୍ୟରେ ମେଣ୍ଟ ଭାଙ୍ଗି ଯାଇଥିଲା।

Leave a Reply

Your email address will not be published. Required fields are marked *