ବ୍ଲୁ- ହୁଇଲ ହସ୍ପିଟାଲ ଡାକ୍ତରମାନଙ୍କ ଦ୍ଵାରା ଆଉ ଏକ ବିରଳ ଅସ୍ତ୍ରୋପଚାର

ବ୍ଲୁ -ହୁଇଲ ହସ୍ପିଟାଲ ର ବରିଷ୍ଠ କର୍ଣ୍ଣ, ନାସା, ଗଳା ବିଶେଷଜ୍ଞ ଡାକ୍ତର ସୁକମଳ ଦାସ ଖପୁରି ହାଡ ତଳେ ଏବଂ ମାଢି ଓ ଗଳା ମଧ୍ୟରେ ଥିବା ଏକ ଟେନିସ ବଲ ସାଇଜ ର ଟ୍ୟୁମରକୁ ଅସ୍ତ୍ରୋପଚାର କରି ବାହାର କରିବାରେ ସଫଳ ହେଇଛନ୍ତି | କଟକ ଜିଲ୍ଲା ନୂଆପାଟଣା ଅଞ୍ଚଳର ୩୬ ବର୍ଷୀୟ ଯୁବକ ବିଶ୍ୱଜିତ ସାହୁ ଦୀର୍ଘ ଚାରି ମାସ ଧରି ମୁହଁରେ ଯନ୍ତ୍ରଣା ଅନୁଭବ କରୁଥିଲେ ଏବଂ ପ୍ରାୟ ଏକମାସ ହେଲା ପାଟି ଖୋଲି ପାରୁନଥିଲେ | ଏହା ମଧ୍ୟରେ ବିଭିନ୍ନ ବୁଲି ବହୁ ଡାକ୍ତର ଙ୍କୁ ଦେଖାଇ ନିରାଶ ହେଵା ପରେ ମଞ୍ଚେଶ୍ୱର ସ୍ଥିତ ବ୍ଲୁ ହୁଇଲ ହସ୍ପିଟାଲ ରେ ଇଏନଟି, ମୁଣ୍ଡ ଓ ବେକ ବିଶେଷଜ୍ଞ ଡାକ୍ତର ଦାସଙ୍କ ପାଖରେ ପହଞ୍ଚିଥିଲେ | ଡାକ୍ତର ଦାସ ପରୀକ୍ଷା କରି ଜାଣି ପାରିଲେ ଯେ ଏକ ବିଶାଳ ଟ୍ୟୁମର ଖପୁରି ହାଡ ତଳେ ଓ ମାଢି ଆଉ ବେକ ମଧ୍ୟରେ ରହିଛି ଏବଂ ଯଦି ତୁରନ୍ତ ଅପରେସନ ନ କରାଯାଏ ତେବେ ଏହା ରୋଗୀର ଜୀବନ ପ୍ରତି ବିପଦ ସୃଷ୍ଟି କରିବ | ସଙ୍ଗେ ସଙ୍ଗେ ଡାକ୍ତର ସୁକମଳ, ଡାକ୍ତର ଚିତ୍ତ ରଞ୍ଜନ ପଣ୍ଡିତ ଓ ଡାକ୍ତର ଚନ୍ଦ୍ରିମା କୁଣ୍ଡୁ ରୋଗୀକୁ ଅପେରସନ ଥିଏଟର କୁ ନେଇ ଅପରେସନ ଆରମ୍ଭ କରିଥିଲେ | ଟ୍ୟୁମର ଟି ମୁଖ୍ୟ ସ୍ନାୟୁ ଗ୍ରନ୍ଥି ଓ ଧମନୀ ସହ ସଂଶ୍ଲିଷ୍ଟ ହୋଇ ରହିଥିବାରୁ ଏହା ଏକ ଜଟିଳ ଓ ବିରଳ ଅସ୍ତ୍ରୋପଚାର ଥିଲା | ବହୁ ସତର୍କତାର ସହ ଦୀର୍ଘ ୨ ଘଣ୍ଟା ଧରି ଚେଷ୍ଟା କରି ଏହି ବୃହତ ଟ୍ୟୁମରଟିକୁ ବେକ ବାଟ ଦେଇ ବାହାର କରିଥିଲେ | ଅପରେସନ ପରେ ରୋଗୀ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି ଏବଂ ବର୍ତ୍ତମାନ ପାଟି ବାଟେ ଖାଦ୍ୟ ଖାଇ ପାରୁଛନ୍ତି | ବ୍ଲୁହୁଇଲ ହସ୍ପିଟାଲ କର୍ତ୍ତ୍ତୃପକ୍ଷ ଏହି ବ୍ୟୟ ବହୁଳ ଅପରେସନ କୁ ସଂପୂର୍ଣ୍ଣ ମାଗଣାରେ ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ କଲ୍ୟାଣ ଯୋଜନା ଅଧୀନରେ କରିଥିବାରୁ ରୋଗୀ ଅତ୍ୟନ୍ତ ଖୁସୀ ଏବଂ ମାତ୍ର ୫ ଦିନ ଭିତରେ ଭଲ ହୋଇ ଘରକୁ ଯାଉଥିବାରୁ ସେ ଡାକ୍ତର ସୁକମଳ ଦାସ ଓ ଅନ୍ୟ ଡାକ୍ତର, କୁଶଳୀ ସେବିକା ମାନଙ୍କ ପ୍ରତି କୃତଜ୍ଞତା ଜଣାଇଛନ୍ତି |

Leave a Reply

Your email address will not be published. Required fields are marked *