ଈଶ୍ୱରଙ୍କ ସାନିଧ୍ୟ ପାଇବାରେ କଳା ଏକ ଉତ୍କୃଷ୍ଟ ମାଧ୍ୟମ : ଶିଳ୍ପୀ କେଶବ ଚନ୍ଦ୍ର ନାଥ

ସପ୍ତମ ଶ୍ରେଣୀରେ ପଢ଼ୁଥିବା ସମୟରେ ନିଜର ଜଣେ ସାଙ୍ଗ ସହିତ ମିଶି ଏକ ସିଂହର ନକଲ କରିବା ପାଇଁ ଉଭୟଙ୍କ ମଧ୍ୟରେ ପ୍ରତିଯୋଗିତା କଲେ।କିନ୍ତୁ ସାଙ୍ଗଟି ଭଲ ଚିତ୍ର ଆଙ୍କିବାରୁ ଅନ୍ୟ ସହପାଠୀଙ୍କ ଥଟ୍ଟା ପରିହାସର ଶିକାର ହୋଇଥିଲେ ଏହି ଶିଳ୍ପୀ ଜଣକ । ସେହି ଘଟଣାଟି  ତାଙ୍କୁ ଖୁବ୍ ମର୍ମାହତ କରିଥିଲା ମାତ୍ର ଆଗକୁ ବଢିବା ପାଇଁ ଯୋଗାଇଥିଲା ପ୍ରେରଣା ଓ ଉତ୍ସାହ। ସେହି ଯୁବ ଚିତ୍ରଶିଳ୍ପୀ ହେଉଛନ୍ତି ଚିତ୍ରକାର କେଶବ ଚନ୍ଦ୍ର ନାଥ । ମୟୁରଭଞ୍ଜ ଜିଲ୍ଲାରେ ଜନ୍ମିତ ଏହି ଯୁବଶିଳ୍ପୀ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି । ବର୍ତ୍ତମାନ ବୃତ୍ତିଗତ ଜୀବନରେ ସାଇ ଇଣ୍ଟରନ୍ୟାସନାଲ୍ ବିଦ୍ୟାଳୟରେ କଳା ଶିକ୍ଷକ ରୂପେ କାର୍ଯ୍ୟରତ କେଶବ ଚନ୍ଦ୍ର।ପ୍ରାରମ୍ଭିକ ସମୟରେ ବମ୍ବେ ଓ କଲିକତାରେ କିଛି ଦିନ କାର୍ଯ୍ୟ କରିବା ପରେ ଆଞ୍ଚଳିକ ଲଳିତକଳା ଏକାଡେମୀରେ କାର୍ଯ୍ୟ କଲେ ଏହି ଯୁବଶିଳ୍ପୀ।
କେଶବ ଚନ୍ଦ୍ରଙ୍କ ମତରେ ସାଧାରଣରେ ଭାସ୍କର୍ଯ୍ୟ କଳାର ଅର୍ଥ  “ଯାହାକୁ ଆମେ ସ୍ପର୍ଶ ଓ ଅନୁଭବ କରିବା ସହିତ ସ୍ୱଚକ୍ଷୁରେ ଦେଖି ପାରିବା”।ତେବେ ମାର୍ବଲ,ପଥର,ଫାଇବାର୍ ଆଦିକୁ ନିଜର ନିହାଣ ମୁନରେ ବାଡେଇ ଏକ ସୁନ୍ଦର ପ୍ରତିକୃତିର ରୂପ ଦିଅନ୍ତି ଶ୍ରୀଯୁକ୍ତ ନାଥ।ତାଙ୍କର ଭାସ୍କର୍ଯ୍ୟ କଳା ଟିକେ ନିଆରା କାରଣ ତହିଁରେ ଥାଏ “ସଙ୍ଗୀତର ଯାନ୍ତ୍ରିକ ସ୍ୱରର ଅନୁଭବ”।ଏହି ପ୍ରତିକୃତି ଦେଖିଲେ ଯେ କେହିବି ହାର୍ମୋନିୟମର ଶବ୍ଦ ଓ ଧୂନ୍ କୁ ଅନୁଭବ କରିପାରିବେ।
ଗୁରୁଶିଳ୍ପୀ ଦାମୋଦର ବେହେରା,ରାମ କିଙ୍କରବେଜ୍ ଓ ଅଦ୍ୱୈତ ଗଡନାୟକଙ୍କୁ ନିଜର ଆଦର୍ଶ ମଣୁଥିବା କେଶବ ଚନ୍ଦ୍ର ନିଜର ଛାତ୍ରଛାତ୍ରୀଙ୍କୁ ଅବକାଶ ସମୟରେ କଳାକୁ ନିଜର ବନ୍ଧୁ ରୂପେ ଗ୍ରହଣ କରିବାକୁ କହିଥାନ୍ତି କାରଣ ଯେକୌଣସି ସୃଜନାତ୍ମକ କଳାର ଅଭ୍ୟାସ କରିବା ଦ୍ୱାରା ଜଣେ ଶିଶୁର ବ୍ୟକ୍ତିତ୍ୱ ଓ ପୂର୍ଣ୍ଣାଙ୍ଗ ବିକାଶରେ ସହାୟକ ହୋଇଥାଏ।

ଶିଳ୍ପୀ କେଶବ ନାଥଙ୍କ କିଛି କୃତି ଓ ପ୍ରଦର୍ଶନୀ ବିଷୟରେ ପଦେ-

ରଙ୍ଗାରଙ୍ଗ ଓଡିଶା କଳା ପ୍ରଦର୍ଶନୀ,ଓଡ଼ିଶା ଲଳିତକଳା ଏକାଡେମୀ,ରାଜ୍ୟସ୍ତରୀୟ କଳା ପ୍ରଦର୍ଶନୀ ଯାଜପୁର ଓ ମୟୁରଭଞ୍ଜ,ପୂର୍ବସ୍ତରୀୟ ଜୋନ୍ ଯୁବ ମହୋତ୍ସବ,ଜାତୀୟ ସ୍ତରୀୟ ବସୁଧା କଳାଚିତ୍ର ମହୋତ୍ସବ,ଜୋନାଲ୍ ସ୍ତରୀୟ କିଶୋର ଶିବିର- କଲିକତା।

ପୁରସ୍କାର-
ଜୋନାଲ ସ୍ତରୀୟ କିଶୋର ଶିବିର- କଲିକତା ୨୦୧୩
ପୂର୍ବ ଜୋନ୍ ଯୁବ ମହୋତ୍ସବ-୨୦୦୭
ରଙ୍ଗାରଙ୍ଗ ଓଡିଶା କଳା ପ୍ରଦର୍ଶନୀ-୨୦୦୮
ଓଡିଶା ଲଳିତକଳା ଏକାଡେମୀ-୨୦୦୮ ଇତ୍ୟାଦି ଅନେକ।

ଏହି ଯୁବଶିଳ୍ପୀଙ୍କ ମତରେ “ଆମ ଚତୁଃପାର୍ଶ୍ୱରେ ବହୁଳ ଭାବରେ ଭାସ୍କର୍ଯ୍ୟ ରହିଛି।କିନ୍ତୁ ଏହାର ମହତ୍ଵ ଓ ମାହାତ୍ମକୁ ବୁଝିବାରେ ଟିକେ ଅବହେଳା ପ୍ରତୀୟମାନ ହେଉଛି”।ଜଣେ ଶିକ୍ଷକ ରୂପେ କେଶବ ନାଥ ଏହା କୁହନ୍ତି ଯେ ଖୁବ୍ ବାଲ୍ୟ ସମୟରୁ ପିଲାଙ୍କ ମନରେ ଏହି କଳାପ୍ରତି ରୁଚି ଦେଲେ ଏହି ଶିଳ୍ପର ଭବିଷ୍ୟତ ଖୁବ୍ ଉଜ୍ଜ୍ୱଳ ହେବ।ତାଙ୍କ ମତରେ “ଈଶ୍ୱରଙ୍କ ସାନିଧ୍ୟ ପାଇବାରେ କଳା ଏକ ଉତ୍କୃଷ୍ଟ ମାଧ୍ୟମ”।ତେଣୁ ଆଗାମୀ ଦିନରେ ଏହି କ୍ଷେତ୍ରକୁ ଆସୁଥିବା ନବାଗତଙ୍କୁ ଶିଳ୍ପୀ କେଶବ ନାଥ ନିଜ ମନ୍ତବ୍ୟ ଜରିଆରେ ଏହା କୁହନ୍ତି ଯେ “କଳାକ୍ଷେତ୍ର ପାଇଁ ଆବଶ୍ୟକ ଧୈର୍ଯ୍ୟ ଓ ସାଧନା।ଏହି ଶିଳ୍ପରେ ଜଣେ ପେଶାଗତ ଜୀବନ ଅତିବାହିତ କଲେ ମଧ୍ୟ ତାହାକୁ ନିଷ୍ଠାର ସହିତ ସମ୍ପାଦନା କରିବା ଦରକାର”।ଆଗାମୀ ଦିନରେ ଜଣେ ସଫଳ ଭାସ୍କର୍ଯ୍ୟବିତ୍ ହେବା ସହିତ ନିଜ ରାଜ୍ୟ ତଥା ଦେଶରେ ନିଜର କଳାକୁ ପ୍ରଦର୍ଶନ କରିବାର ଲକ୍ଷ୍ୟ ରଖିଛନ୍ତି।

Leave a Reply

Your email address will not be published. Required fields are marked *