ସହରର ସୌନ୍ଦର୍ଯ୍ୟକରଣରେ ଶିଳ୍ପୀ ହାତର ଯାଦୁକରୀ ସ୍ପର୍ଶ ; ଏକ ନିଆରା ଲକ୍ଷ୍ୟରେ ସତ୍ୟଭାମା

ହାତରେ ତାଙ୍କର ସତେ ଯେମିତି ରହିଛି ଅପୂର୍ବ ଯାଦୁ । ତୁଳୀ ଓ ରଙ୍ଗର ପ୍ରୟୋଗରେ ସେ ଭୁବନେଶ୍ୱର ଭଳି ବିକଶିତ ଓ ଆଧୁନିକ ସହରକୁ ଏକ ସୁନ୍ଦର ତରୁଣୀର ରୂପ ଦେଇଥାନ୍ତି ଏବଂ ନିଜର ଚିତ୍ରକଳା ମାଧ୍ୟମରେ ଦ୍ରୁତ ସହରୀକରଣ ଓ ଆଦିବାଦୀ ଜନଜାତିର ନିଚ୍ଛୁକ ରୂପକୁ ମଧ୍ୟ ଆଙ୍କିଥାନ୍ତି। ସେହି ଚିତ୍ରଶିଳ୍ପୀ ଜଣଙ୍କ ହେଉଛନ୍ତି ସତ୍ୟଭାମା ମାଝୀ। ତେବେ ମାତ୍ର ଚତୁର୍ଥ ଶ୍ରେଣୀରେ ପଢ଼ୁଥିବା ସମୟରେ ଚିତ୍ରକଳା ପ୍ରତି ଆସକ୍ତ ହୋଇଥିଲେ ସତ୍ୟଭାମା । ପ୍ରାରମ୍ଭିକ ସମୟରୁ ବାପାଙ୍କର ଖୁବ୍ ପ୍ରେରଣା ପାଇଥିବା ସତ୍ୟଭାମା କାଗଜ ଓ ଘରର କାନ୍ଥରେ ଚିତ୍ର ଆଙ୍କି ନିଜର ପ୍ରତିଭା ପ୍ରଦର୍ଶନ କରୁଥିଲେ। ପିଲାଟି ଦିନରୁ ଅନେକ ଚିତ୍ର ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରୁଥିବା ଶିଳ୍ପୀ ସତ୍ୟଭାମା ପରବର୍ତ୍ତୀ ସମୟରେ ଚିତ୍ରକଳାରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବା ବେଳେ ବର୍ତ୍ତମାନ “ଜନଜାତିଙ୍କ ଶରୀର ଚିତ୍ର(ଟାଟୁ)”ଉପରେ ଗବେଷଣା କରୁଛନ୍ତି। କାଗଜ,ତଳୀୟ ରଙ୍ଗରେ କାନ୍ଭାସ୍ ପ୍ରସ୍ତୁତ କରୁଥିବା ସତ୍ୟଭାମା ନିଜ ଚିତ୍ରରେ ବଢନ୍ତି ସହରୀକରଣ ସହିତ ଡଙ୍ଗରିଆ,କନ୍ଧ ଆଦିବାସୀଙ୍କ ଜୀବନଚର୍ଯ୍ୟାର ବାର୍ତା ଦେଇଥାନ୍ତି।
ଅନ୍ୟପକ୍ଷରେ କଲେଜ ପଢାସରିବା ପରେ ଅଭିଜ୍ଞତା ସାଉଁଟିବା ପାଇଁ ଦିଲ୍ଲୀ ଚାଲି ଯାଇଥିଲେ ଏହି ଶିଳ୍ପୀ ଜଣକ।ମାତ୍ର ନିଜର ରାଜ୍ୟରେ ରହି ଚିତ୍ରକଳାର ବିକାଶ ଓ ପ୍ରସାର କରିବାର ଚିନ୍ତାଧାରାକୁ ପୋଷଣ କରି ଓଡ଼ିଶାକୁ ଫେରି ନିଜର ଏକ “ଶସତ୍ୱ” ନାମକ ଫାଉଣ୍ଡେସନ ଗଢିଲେ ସତ୍ୟଭାମା। ଏହାପରେ ଆଉ ପଛକୁ ଚାହିଁ ନଥିଲେ ଏହି ଯୁବ ଶିଳ୍ପୀ ଜଣକ । “ଗ୍ରାମ ବିକାଶ” ପ୍ରକଳ୍ପ  ଜରିଆରେ ପିଲାଙ୍କ ମଧ୍ୟରେ କର୍ମଶାଳା କରି ଶୈକ୍ଷିକ ଚେତନାର ସୃଷ୍ଟି,ରାଜମହଲ ଉପର ସେତୁ ପ୍ରକଳ୍ପ,ରସୁଲଗଡ଼ ଉପର ସେତୁ ପ୍ରକଳ୍ପ,ପୋଗୋ ମହୋତ୍ସବ ଗୋପାଳପୁର,ହକି ବିଶ୍ୱକପ ପ୍ରକଳ୍ପ ଜରିଆରେ ସହରର ସୌନ୍ଦର୍ଯ୍ୟକରଣ ଭଳି କାର୍ଯ୍ୟକରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି ଶିଳ୍ପୀ ସତ୍ୟଭାମା।

ଶିଳ୍ପୀ ସତ୍ୟଭାମାଙ୍କ କିଛି କୃତି ଓ ପ୍ରଦର୍ଶନୀ ବିଷୟରେ ପଦେ-

ଚିତ୍ର ପ୍ରତିଯୋଗିତା-ପ୍ରଥମ ସ୍ଥାନ ଅନ୍ତର୍ଜାତୀୟ ରେଡ଼କ୍ରସ୍
ଲଳିତକଳା ଏକାଡେମୀ ବୃତ୍ତି
ରାଜ୍ୟ ପୁରସ୍କାର ଲଳିତ କଳା ଏକାଡେମୀ
ଆର୍ଟ ଫେୟାର ଇତ୍ୟାଦି।

ଶିବିର/ପ୍ରଦର୍ଶନୀ/ମହୋତ୍ସବ-

ସରଗିଫୁଲ ଶିଶୁ ମହୋତ୍ସବ-୨୦୧୮
ଆଞ୍ଚଳିକ ଚିତ୍ରକଳା ଶିବିର ରଘୁନାଥପୁର,ଲଳିତକଳା ଏକାଡେମୀ ଦିଲ୍ଲୀ-୨୦୧୭
ଓଡ଼ିଶା ଶିଳ୍ପୀ ଶିବିର,ଶୌର୍ଯ୍ୟ ଆର୍ଟ-ମୁମ୍ବାଇ ୨୦୧୫
ଜାତୀୟ ଶିବିର,ବଡ଼ବିଲ,ଉତ୍ତ୍ସା ଫାଉଣ୍ଡେସନ୍-୨୦୧୨
କଳା ପ୍ରଦର୍ଶନୀ,ପର୍ଯ୍ୟଟନ ବିଭାଗ,କାମଲିନ୍ ଆର୍ଟ ଫାଉଣ୍ଡେସନ୍,କୋଲକାତା-୨୦୦୫
ଆଦିବାସୀ ଚିତ୍ରକଳା ଶିବିର ଓ ତାଲିମ,ସମ୍ବଲପୁର-୨୦୦୪ ପ୍ରମୁଖ।

ତେବେ ଓଡ଼ିଶା ଭଳି ରାଜ୍ୟରେ ଚିତ୍ରକଳା କ୍ଷେତ୍ରରେ ଦେଖାଯାଉଥିବା ବୈମାତୃକ ମନୋଭାବ ଉପରେ ନିଜର ରୋଷ ଜାହିର୍ କରିଛନ୍ତି ସତ୍ୟଭାମା।ତାଙ୍କ ମତରେ “ରାଜ୍ୟରେ ଶିଳ୍ପୀଙ୍କୁ ତାଙ୍କର ଚିତ୍ର କାର୍ଯ୍ୟ ପାଇଁ ସ୍ୱୀକୃତି ମିଳୁନାହିଁ ଏବଂ ଗଣମାଧ୍ୟମ ମଧ୍ୟ ଏହି ଦିଗ ପ୍ରତି ଯଥେଷ୍ଟ ଧ୍ୟାନ ଦେଉନାହିଁ । ସରକାର ଏଥିପ୍ରତି ସଚେତନ ହେଲେ ରାଜ୍ୟର ଚିତ୍ରଶିଳ୍ପୀ କୂଳ ଉପକୃତ ହେବେ।”
ଆଗାମୀ ଦିନରେ ଏହି କ୍ଷେତ୍ରକୁ ଆସୁଥିବା ଯୁବ ବର୍ଗଙ୍କୁ ସତ୍ୟଭାମା ଏହି ଉପଦେଶ ଦିଅନ୍ତି ଯେ-“ସଭିଙ୍କ ମଧ୍ୟରେ ସ୍ୱତନ୍ତ୍ର ଜ୍ଞାନ ରହିଛି।ନିଜର ମୂଳଦୁଆକୁ ପ୍ରଥମେ ସୁଦୃଢ କରନ୍ତୁ।ପିଲାମାନେ ନିଜର କଳା ବୁଦ୍ଧିକୁ ବିକାଶ କରନ୍ତୁ।ଏଥିପାଇଁ ଅଭ୍ୟାସ ଓ ବଜାର ଜ୍ଞାନ ସମ୍ପର୍କରେ ଜାଣିବା ଆବଶ୍ୟକ । ଆଗାମୀ ଦିନରେ ନିଜର ୧୦୦୦ ଚିତ୍ରକୁ ନେଇ “ଏକ ସହରର ପରିବର୍ତ୍ତନର ସ୍ୱର”କୁ ଦର୍ଶାଇବାକୁ ଲକ୍ଷ୍ୟ ରଖିଛନ୍ତି ଶିଳ୍ପୀ ସତ୍ୟଭାମା।

Leave a Reply

Your email address will not be published. Required fields are marked *