ରିଲିଜ୍‌ ଅର୍ଡର ପରେ ବି ଆଜି ଜେଲରେ ରାତି କାଟିବେ ଆର୍ଯ୍ୟନ ଖାନ ; ଜାଣନ୍ତୁ କାହିଁକି

ମୁମ୍ବାଇ: ଲିଗାଲ ଟିମ୍‌ର ପ୍ରୟାସ ଓ ଜୁହି ଚାୱଲାଙ୍କ ସ୍ୟୁରିଟି ଦାଖଲ ସତ୍ତ୍ୱେ ଆଜି ବି ଜେଲରୁ ମୁକୁଳି ପାରିଲେନି ମେଗାଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ। ଜୁହିଙ୍କ ପାଖରେ ଦୁଇଟି ପାସପୋର୍ଟ ସାଇଜ୍‌ ଫଟୋ ନଥିବାରୁ ଆର୍ଯ୍ୟନଙ୍କ ରିଲିଜ୍‌ ଅର୍ଡର ଜାରି ହେବାରେ ବିଳମ୍ବ ହୋଇଥିବା କୁହାଯାଉଛି। ଗୁରୁବାର ବମ୍ବେ ହାଇକୋର୍ଟ ଆର୍ଯ୍ୟନଙ୍କ ଜାମିନ ଆବେଦନ ଉପରେ ମୋହର ମାରିଥିଲେ। କିନ୍ତୁ ଆଜି ମଧ୍ୟାହ୍ନ ସମୟରେ ହିଁ କୋର୍ଟ ଜାମିନ ସଂକ୍ରାନ୍ତ ନିର୍ଦ୍ଦେଶନାମା ଜାରି କରିଥିଲେ। ଏହାପରେ ଏନଡିପିଏସ୍‌ କୋର୍ଟରେ ପେପର କାମ କରାଯାଇଥିଲା।

ରିଲିଜ୍‌ ଅର୍ଡର ବାହାରିବା ପରେ ଆର୍ଯ୍ୟନଙ୍କ ଲିଗାଲ ଟିମ୍‌ ଆର୍ଥର ଜେଲକୁ ଯାଇଥିଲେ। ହେଲେ ସେତେବେଳକୁ ସନ୍ଧ୍ୟା ୫.୩୦ର ଧାର୍ଯ୍ୟ ସମୟ ଅତିକ୍ରମ କରି ସାରିଥିଲା। ଜେଲ କର୍ତ୍ତୃପକ୍ଷଙ୍କ ନିକଟରେ ଆର୍ଯ୍ୟନଙ୍କ ରିଲିଜ୍‌ ଅର୍ଡର ଆଜି ଦାଖଲ କରାଯାଇଛି। ହେଲେ ସେ ଆସନ୍ତାକାଲି ହିଁ ଜେଲରୁ ବାହାରିବେ। ତାଙ୍କ ସହ ବନ୍ଧୁ ଅରବାଜ ଓ ମୁନମୁନ ଧମେଚା ମଧ୍ୟ ଆଜି ଜେଲରେ ରାତି କାଟିବେ।

ନିୟମ ଅନୁସାରେ, ହାଇକୋର୍ଟରୁ ଜାମିନ ମିଳିବା ପରେ ଜଣେ ଅଭିଯୁକ୍ତ ଏହାକୁ ତଳ କୋର୍ଟରେ ଦାଖଲ କରିବେ। ଏହାପରେ ତଳ କୋର୍ଟ ସ୍ୟୁରିଟି ବଣ୍ଡ ଗ୍ରହଣ କରି ରିଲିଜ ଅର୍ଡର ଜାରି କରିବେ। ଆର୍ଯ୍ୟନଙ୍କ କ୍ଷେତ୍ରରେ ମଧ୍ୟ ସମାନ ନିୟମ ଲାଗୁ କରାଯାଇଥିଲା। ହାଇକୋର୍ଟ ନିର୍ଦ୍ଦେଶନାମା ଜାରି କରିବା ପରେ ତାଙ୍କ ଓକିଲ ସତୀଶ ମାନସିନ୍ଦେ ଏହାକୁ ନେଇ ଏନଡିପିଏସ୍‌ କୋର୍ଟରେ ହାଜର ହୋଇଥିଲେ।

ସେଠାରେ ଶାହରୁଖଙ୍କ ସହ ଅନେକ ଫିଲ୍ମରେ ଅଭିନୟ କରିଥିବା ଜୁହି ଚାୱଲା ୧ ଲକ୍ଷ ଟଙ୍କାର ସ୍ୟୁରିଟି ବଣ୍ଡ ଦାଖଲ କରିଥିଲେ। ତେବେ ସ୍ୟୁରିଟି ଦାଖଲ ବେଳେ ଜୁହି ନିଜର ଦୁଇଟି ପାସପୋର୍ଟ ସାଇଜ ଫଟୋ ଦେବାକୁ ଭୁଲି ଯାଇଥିଲେ। ଏହାକୁ ନେଇ କୋର୍ଟର ଜଣେ କର୍ତ୍ତୃପକ୍ଷ କହିଥିଲେ ଯେ “ଆପଣମାନେ କେବେ ହେଲେ ପୂର୍ବରୁ ସ୍ୟୁରିଟି ଦାଖଲ କରିନାହାନ୍ତି?”

ଜୁହି ତାଙ୍କ ବ୍ୟାଗ ଖୋଜିଥିଲେ ମଧ୍ୟ ପାସପୋର୍ଟ ସାଇଜ ଫଟୋ ହଠାତ୍‌ ପାଇ ନଥିଲେ। ଶେଷରେ ବାହାରୁ ଫଟୋ ଅଣାଯାଇଥିଲା। ଏଥିପାଇଁ ରିଲିଜ୍‌ ଅର୍ଡର ଜାରି ହେବାରେ ବିଳମ୍ବ ହୋଇଛି। ସ୍ୟୁରିଟି ବଣ୍ଡ ଦାଖଲ କରିବାକୁ ନିଜେ ଜୁହି ଏନଡିପିଏସ୍‌ କୋର୍ଟରେ ହାଜର ହୋଇଥିଲେ। ଜୁହି ସ୍ୟୁରିଟି ବାବାଦ ଅର୍ଥ ଦାଖଲ କରିବା ପରେ ଏହାକୁ କୋର୍ଟ ଗ୍ରହଣ କରିବା ସହ ଅନ୍ୟାନ୍ୟ ପେପର କାମ ଶେଷ କରିଥିଲେ।

ଶେଷରେ ଏନଡିପିଏସ୍‌ ଆର୍ଯ୍ୟନ, ମୁନମୁନ ଓ ଅରବାଜଙ୍କ ରିଲିଜ୍‌ ଅର୍ଡର ଜାରି କରିଥିଲେ। ଏହାକୁ ଧରି ଆର୍ଯ୍ୟନ ରହୁଥିବା ଆର୍ଥର ରୋଡ ଜେଲକୁ ତାଙ୍କ ଲିଗାଲ ଟିମ୍‌ ଯାଇଥିଲା। ହେଲେ ସେତେବେଳେକୁ ସନ୍ଧ୍ୟା ୫.୩୦ ହୋଇ ସାରିଥିଲା। ତେଣୁ ଜେଲ କର୍ତ୍ତୃପକ୍ଷ ଆଜି ପେପର କାମ ସାରିବା ସହ ରିଲିଜ୍‌ ଅର୍ଡରକୁ କେବଳ ଗ୍ରହଣ କରିବେ।

ହେଲେ ଆର୍ଯ୍ୟନ ଆଜି ଜେଲରୁ ବାହାରିବେ ନାହିଁ। ସବୁ ପ୍ରକାରର କାଗଜପତ୍ର କାମ ଆଜି ଶେଷ ହେବା ପରେ ସେ ଆସନ୍ତାକାଲି ଜେଲରୁ ମୁକୁଳିବେ ବୋଲି ଜଣାପଡ଼ିଛି। ଯଦି ୫.୩୦ ପୂର୍ବରୁ ଆର୍ଯ୍ୟନଙ୍କ ରିଲିଜ୍‌ ଅର୍ଡର ଜେଲ କର୍ତ୍ତୃପକ୍ଷଙ୍କ ପାଖରେ ପହଞ୍ଚି ପାରି ଥାଆନ୍ତା, ତା’ହେଲେ ଆର୍ଯ୍ୟନ ଆଜି ହିଁ ନିଜ ଘରକୁ ଯାଇପାରି ଥାଆନ୍ତେ। କିନ୍ତୁ ଏପରି ହୋଇନାହିଁ।

ଅନ୍ୟପକ୍ଷରେ ଆର୍ଯ୍ୟନଙ୍କୁ ଜେଲରୁ ଘରକୁ ଆଣିବା ପାଇଁ ନିଜେ ଶାହରୁଖ ଆର୍ଥର ରୋଡ ଯିବେ ବୋଲି କୁହାଯାଉଛି। ଏଥିପାଇଁ ଆଜି ଠାରୁ ହିଁ ଆର୍ଥର ରୋଡ ଜେଲର ଆଖପାଖ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

Leave a Reply

Your email address will not be published. Required fields are marked *