ସାହିତ୍ୟ ଦ୍ୱାରା ସମାଜରେ ସକରାତ୍ମକ ପରିବର୍ତ୍ତନ ଆଣିବା ଚେଷ୍ଟାରେ ସୁଜାତା
କୋରାପୁଟର ସେହି ପ୍ରାକୃତିକ ସୌନ୍ଦର୍ଯ୍ୟଭରା ପରିବେଶରେ ତାଙ୍କର ଜନ୍ମ । ପ୍ରକୃତିର ସେହି ଶାନ୍ତ ଶୀତଳ ପରିବେଶ,ସ୍ଥାନୀୟ ଆଦିବାସୀଙ୍କ ଜୀବନଚର୍ଯ୍ୟା ମଧ୍ୟରେ ତାଙ୍କୁ ମିଳିଥିଲା ସାହିତ୍ୟର ଅନୁସନ୍ଧାନ । ଗୋଟାପଣ ଭାବେ କହିବାକୁ ଗଲେ ସ୍ଵତଃସ୍ପୁର୍ତ୍ତ ଭାବେ ସେ ପ୍ରେରଣା ପାଇଥିଲେ କଲମ ଧରିବା ପାଇଁ । ସେହି ଯୁବ ଲେଖିକା ଜଣକ ହେଉଛନ୍ତି ଶ୍ରୀମତୀ ସୁଜାତା ମହାପାତ୍ର । ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ କମ୍ପ୍ୟୁଟର ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ଓ ଗ୍ରାମୀଣ ବିକାଶରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି ସୁଜାତା।
ସେ ଜଣେ ସାହିତ୍ୟାନୁରାଗୀ । ତାଙ୍କ ପାଇଁ ସାହିତ୍ୟ ଜୀବନ ସଦୃଶ୍ୟ । ସୁଜାତା ମହାବିଦ୍ୟାଳୟରେ ଅଧ୍ୟୟନ କରୁଥିବା ସମୟରେ ସମାଜ, ସମ୍ବାଦ,ପ୍ରମେୟରେ ନିଜର ଲେଖା ପ୍ରକାଶ କରି ବିଧିବଦ୍ଧ ଭାବେ ସାହିତ୍ୟ ରଚନା କ୍ଷେତ୍ରରେ ପାଦ ଥାପିଥିଲେ । ତେବେ ଓଡ଼ିଆ ଭାଷା ସାହିତ୍ୟରେ (ପ୍ରବନ୍ଧ ସାହିତ୍ୟ) ଲେଖିବାକୁ ଖୁବ୍ ପସନ୍ଦ କରନ୍ତି ଏହି ଯୁବ ଲେଖିକା ଜଣକ।କାରଣ ସୁଜାତାଙ୍କ ମତରେ “ପ୍ରବନ୍ଧ ଲେଖିବାର ଶୈଳୀ ଟିକେ ନିଆରା କାରଣ ଏହା ଏମିତି ଏକ ସାହିତ୍ୟ,ଯାହା ମାଧ୍ୟମରେ ଜଣେ ଲେଖକ ସମାଜର କୁସଂସ୍କାର, ରାଜନୀତି,ରୀତିନୀତି ବିଷୟରେ ଅବଗତ କରାଇବା ସହ ନିଜସ୍ୱ ସାହିତ୍ୟ ଦ୍ୱାରା ରସାଳ କରି ସମାଜରେ ଚାଲିଆସୁଥିବା ପାରମ୍ପରିକ ଓ କଳୁଷିତ ଚିନ୍ତାଧାରକୁ ପରିବର୍ତ୍ତନ କରିପାରିବ।”ତେବେ ଓଡ଼ିଆ ଭାଷା ସାହିତ୍ୟରେ ଗୋପୀନାଥ ମହାନ୍ତି,ମାୟାଧର ମାନସିଂହ,ଗୁରୁ ପ୍ରସାଦ ମହାନ୍ତିଙ୍କ କୃତିକୁ ବେଶ୍ ଗୁରୁତ୍ୱ ଦେବା ସହିତ ତାଙ୍କ ଲେଖାରୁ ଖୁବ୍ ପ୍ରେରଣା ପାଇଥାଆନ୍ତି ଲେଖିକା ସୁଜାତା।
ସୁଜାତାଙ୍କ କିଛି କୃତି ଓ ପୁରସ୍କାର ବିଷୟରେ ପଦେ-
ଦେବୀପକ୍ଷ ଓ ସୁତାଖିଅର ସମ୍ପର୍କ (କବିତା ସଙ୍କଳନ)
ବିନ୍ଦୁ ସାହିତ୍ୟ ସମାଜ,ଭୁବନେଶ୍ୱର-୨୦୨୧
ବ୍ରହ୍ମପୁର ପୁସ୍ତକ ମେଳା-୨୦୨୦
ଶ୍ରେଷ୍ଠ ବିକ୍ରେତା ପୁରସ୍କାର-୨୦୧୯ (ରାଜଧାନୀ ପୁସ୍ତକ ମେଳା)
ଶାନ୍ତିଲତା ଦେବୀ ପୁରସ୍କାର-୨୦୧୭
ନିଜ ସାହିତ୍ୟରେ ସର୍ବଦା ସମାଜଧର୍ମୀ ଲେଖାକୁ ପ୍ରାଧାନ୍ୟ ଦିଅନ୍ତି ସୁଜାତା ଏବଂ ସାହିତ୍ୟ ଦ୍ୱାରା ସମାଜରେ କିପରି ସକରାତ୍ମକ ପରିବର୍ତ୍ତନ ଆସିପାରିବ ସେଥିପ୍ରତି ସର୍ବଦା ଯତ୍ନବାନ୍ ଏହି ଯୁବ ଲେଖିକା ଜଣକ।ତେବେ ଆଗାମୀ ଦିନରେ ଓଡ଼ିଆ ସାହିତ୍ୟ କ୍ଷେତ୍ରକୁ ଯେଉଁ ନବାଗତମାନେ ଆସୁଛନ୍ତି ସେମାନଙ୍କୁ ସୁଜାତା ଏହା ପରାମର୍ଶ ଦିଅନ୍ତି ଯେ “ଜଣେ ଲେଖକଙ୍କୁ ପ୍ରଥମେ ସତ୍ ସାହସୀ ହେବା ଆବଶ୍ୟକ।କେବଳ ସେତିକି ନୁହେଁ ସମାଜରେ ଘଟୁଥିବା ପ୍ରତ୍ୟେକ ଘଟଣା ଉପରେ ନିଜର ଦୃଷ୍ଟି ଦେବା ମଧ୍ୟ ଦରକାର।ସମାଲୋଚନା ଆସିବ! କିନ୍ତୁ ଯଦି ଆମେ ଅନୁଭବ କରିବା କି ଆମ ଲେଖାରେ ସତ୍ୟତା ଅଛି ତେବେ ନିର୍ଭୀକ ଭାବେ ତାକୁ ଲେଖକ ସାହିତ୍ୟରେ ପ୍ରକାଶ କରନ୍ତୁ”।ଜୀବନର ଶେଷ ନିଶ୍ୱାସ ଯାଏଁ ସାହିତ୍ୟରେ ବୁଡି ରହିବାକୁ ଚାହାଁନ୍ତି ଏହି ଯୁବ ସାହିତ୍ୟିକା ଜଣକ।