ପ୍ରଥମଥର ପାଇଁ ସିଙ୍ଗାପୁର ଓପନ ଜିତିଲେ ବ୍ୟାଡମିଣ୍ଟନ ଷ୍ଟାର୍‌ ପିଭି ସିନ୍ଧୁ

ନୂଆଦିଲ୍ଲୀ: ସିଙ୍ଗାପୁର ଓପନ୍‌ରେ ଇତିହାସ ରଚିଲେ ବ୍ୟାଡମିଣ୍ଟନ ଷ୍ଟାର୍‌ ପିଭି ସିନ୍ଧୁ। ପ୍ରଥମଥର ପାଇଁ ସିଙ୍ଗାପୁର ଓପନ ଜିତିଲେ ସେ। ଦୁଇ ଦୁଇ ଥର ଅଲିମ୍ପିକ ପଦକ ବିଜେତା ସିନ୍ଧୁ ଫାଇନାଲରେ ଚୀନ୍‌ର ଷ୍ଟାର୍‌ ଖେଳାଳିଙ୍କୁ ଦେଲେ ମାତ୍‌। ସିଙ୍ଗାପୁର ଓପନ୍‌ ଫାଇନାଲ୍‌ ରାଉଣ୍ଡରେ ସିନ୍ଧୁ ଚୀନ୍‌ର ୱାଙ୍ଗ ଝି ୟିଙ୍କୁ ୨୧-୯, ୧୧-୨୧, ୨୧-୧୫ରେ ହରାଇଛନ୍ତି।

ସିନ୍ଧୁଙ୍କ ପାଇଁ ବିଶ୍ୱର ନଂ ୧୧ର ମାନ୍ୟତା ୱାଙ୍ଗ ଝି ୟିଙ୍କୁ ପରାସ୍ତ କରିବା ସହଜ ନଥିଲା। ତିନି ସେଟ୍ ଧରି ଚାଲିଥିବା ମ୍ୟାଚରେ ସିନ୍ଧୁ ପ୍ରଥମେ ବିଜୟରୁ ଆରମ୍ଭ କରିଥିଲେ। ସେ ପ୍ରଥମ ସେଟରେ ଚାଇନାର ଖେଳାଳି ୱାଙ୍ଗଙ୍କୁ ୨୧-୯ ରେ ପରାସ୍ତ କରିଥିଲେ। ୱାଙ୍ଗ ତା’ପରେ ପ୍ରତ୍ୟାବର୍ତ୍ତନ କରି ଦ୍ୱିତୀୟ ସେଟ୍ ୨୧-୧୧ରେ ଜିତି ମ୍ୟାଚ୍‌କୁ ବରାବର ସ୍ଥିତିକୁ ଆଣିଥିଲେ।

ଏହାପରେ ତୃତୀୟ ସେଟ୍ ବେଶ୍‌ ରୋମାଞ୍ଚକର ଥିଲା। ପ୍ରାରମ୍ଭିକ ୮-୧୦ ପଏଣ୍ଟ ପର୍ଯ୍ୟନ୍ତ, ଦୁଇ ଖେଳାଳିଙ୍କ ମଧ୍ୟରେ ସମାନ ଲଢ଼େଇ ହୋଇଥିଲା। କିନ୍ତୁ ପିଭି ସିନ୍ଧୁ ଧୀରେ ଧୀରେ ମ୍ୟାଚ୍‌ରେ ଆଗକୁ ବଢ଼ିଥିଲେ ଏବଂ ତୃତୀୟ ସେଟକୁ ୨୧-୧୫ ବ୍ୟବଧାନରେ ଜିତି ଟାଇଟଲ ହାତେଇ ନେଇଛନ୍ତି।

ଏହା ପୂର୍ବରୁବିଶ୍ୱର ସପ୍ତମ ମାନ୍ୟତାପ୍ରାପ୍ତ ସିନ୍ଧୁ ନିଜଠୁ ନିମ୍ନ ମାନ୍ୟତାପ୍ରାପ୍ତ (ବିଶ୍ୱ ମାନ୍ୟତାର ୩୮) ଜାପାନ୍‌ର ସାଏନା କାୱାକାମିଙ୍କୁ ୨୧-୧୫ ଓ ୨୧-୭ ସିଧାସଳଖ ଗେମ୍‌ରେ ପରାସ୍ତ କରି ଟ୍ରଫି ମୁକାବିଲାରେ ଅବତୀର୍ଣ୍ଣ ହୋଇଥିଲେ। ଏଥି ସହିତ କାୱାକାମିଙ୍କ ବିପକ୍ଷ ବିଜୟ ବ୍ୟବଧାନକୁ ସିନ୍ଧୁ ମଧ୍ୟ ୩-୦ରେ ପହଞ୍ଚାଇଥିଲେ।

Leave a Reply

Your email address will not be published. Required fields are marked *