ଜଗତସିଂହପୁର ଲୋକସଭା କ୍ଷେତ୍ରରେ ହ୍ୟାଟ୍ରିକ କରିବା ଲକ୍ଷ୍ୟରେ ବିଜେଡି : ସସ୍ମିତା ଦାସଙ୍କ ଲୋକପ୍ରିୟତାକୁ ନେଇ ଚର୍ଚ୍ଚା

ଜଗତସିଂହପୁର : ନିର୍ବାଚନ ଘୋଷଣା ହେବା ପରେ ଜିଲ୍ଲାରେ ବଢ଼ିବାରେ ଲାଗିଛି ରାଜନୈତିକ ଉଷ୍ମତା | ବିଧାନସଭା ଅପେକ୍ଷା ଜଗତସିଂହପୁର ଲୋକସଭା ଉପରେ ରହିଛି ତିନି ପ୍ରମୁଖ ଦଳର ଆଖି | କାରଣ ବିଜେପିର ‘୪୦୦ ପାର’ ସ୍ଲୋଗାନ ସହ ରାଜ୍ୟରେ ବିଜେପି ବିଜେଡି ମେଣ୍ଟ ନହେବା ଲୋକସଭା ଆସନ ପ୍ରତିନ୍ଦ୍ଵନ୍ଦିତାକୁ ବହୁଗୁଣରେ ବଢ଼ାଇ ଦେଇଛି |

ଅନୁସୂଚିତ ଜାତିର ପ୍ରାର୍ଥୀଙ୍କ ନିମନ୍ତେ ସଂରକ୍ଷିତ ଥିବା ଜଗତସିଂହପୁର ଲୋକସଭା ନିର୍ବାଚନ ମଣ୍ଡଳୀକୁ ବିଜେଡି ଗତ ୫ ଗୋଟି ନିର୍ବାଚନରୁ ୪ ଥର ନିଜ ଅକ୍ତିଆରରେ ରଖିପାରିଛି | କେବଳ ୨୦୦୯ରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ବିଭୁ ପ୍ରସାଦ ତରାଇ ଏଠାରୁ ନିର୍ବାଚିତ ହୋଇଥିଲେ | ଜଗତସିଂହପୁର, କଟକ ଏବଂ ପୁରୀ ଏହି ୩ ଗୋଟି ଜିଲ୍ଲାର ୭ଟି ବିଧାନ ସଭା ନିର୍ବାଚନ ମଣ୍ଡଳୀ ଯଥା ନିଆଳି, ପାରାଦ୍ୱୀପ, ତିର୍ତ୍ତୋଲ, ବାଲିକୁଦା-ଏରସମା, ଜଗତସିଂହପୁର, କାକଟପୁର, ନିମାପଡ଼ାକୁ ନେଇ ଗଠିତ ଏହି ଲୋକସଭା କ୍ଷେତ୍ରରେ ୧୯୯୯ ପରଠାରୁ କୌଣସି ପ୍ରାର୍ଥୀ ଲଗାତାର ଦ୍ଵିତୀୟବାର ପ୍ରତିନିଧିତ୍ବ କରିନାହାନ୍ତି | ସେହି ଦୃଷ୍ଟିରୁ ଦେଖିବାକୁ ଗଲେ ବର୍ତ୍ତମାନର ସାଂସଦ ଡ଼ ରାଜଶ୍ରୀ ମଲ୍ଲିକଙ୍କୁ ବିଜେଡି ପ୍ରାର୍ଥୀ ନକରିପାରେ | ସାଂସଦ ଡ଼ ରାଜଶ୍ରୀ ମଲ୍ଲିକ ମଧ୍ୟ ଏଥର ଲୋକସଭା ପାଇଁ ଆଶାୟୀ ନଥିବା ସୂଚନା ମିଳୁଛି | ୨୦୧୯ ନିର୍ବାଚନରେ ଡ଼ ରାଜଶ୍ରୀ ମଲ୍ଲିକ ପ୍ରାୟ ୬ ଲକ୍ଷ ୨୦ ହଜାର ଭୋଟ ପାଇଥିଲେ ଯାହା ୨୦୧୪ ନିର୍ବାଚନ ଅପେକ୍ଷା ପ୍ରାୟ ୫ ପ୍ରତିଶତ କମ ଥିଲା | ଯାହାକୁ ନେଇ ବିଜେଡିର ଶୀର୍ଷ ନେତୃତ୍ୱ ଅସନ୍ତୁଷ୍ଟ ଥିଲେ ବୋଲି ଜଣା ପଡିଥିଲା | ସବୁବେଳେ ପ୍ରାର୍ଥୀ ପରିବର୍ତ୍ତନ କରି ବିଜେଡି ଏହି ଲୋକସଭା କ୍ଷେତ୍ରର ବିଭିନ୍ନ ଅଞ୍ଚଳ ସହ ଗୋଷ୍ଠୀର ବିଶ୍ୱାସ ଜିତିବା ସହ ବେଶ ମଜବୁତ ସ୍ଥିତିରେ ଅଛି | ସେହିପରି ଏହି ଲୋକସଭା କ୍ଷେତ୍ରର ୭ଟି ବିଧାନ ସଭା ନିର୍ବାଚନ ମଣ୍ଡଳୀ ମଧ୍ୟ ବିଜେଡି ଅକ୍ତିଆରରେ ଅଛି |

ବିଜୁ ଜନତା ଦଳରୁ ଆଶାୟୀ ତାଲିକାରେ ସବୁଠାରୁ ଆଗରେ ରହିଛନ୍ତି ଲେଖିକା ତଥା ସମାଜସେବୀ ସସ୍ମିତା ଦାସ | ଓଡ଼ିଶାର ଜଣେ ସୁପରିଚିତ ଲେଖିକା ତଥା ଦୀର୍ଘଦିନ ହେବ ସାମାଜିକ କାର୍ଯ୍ୟସହ ଜଡିତ ଥିବା ସସ୍ମିତା ବର୍ତ୍ତମାନ ବିଜୁ ମହିଳା ଜନତା ଦଳର ରାଜ୍ୟ ସମ୍ପାଦିକା ଭାବେ ମଧ୍ୟ ଦାୟିତ୍ୱ ତୁଲାଇ ଆସୁଛନ୍ତି | ଜଗତସିଂହପୁର ଅଞ୍ଚଳରେ ଦୀର୍ଘ ଦିନ ହେବ ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ତାଙ୍କର ପ୍ରତ୍ୟକ୍ଷ ଭାଗିଦାରୀ ତାଙ୍କୁ ଦଳୀୟ କର୍ମୀଙ୍କ ଗହଣରେ ବେଶ ଲୋକପ୍ରିୟ କରିପାରିଛି | ତା ସହ ଜଗତସିଂହପୁରର ଝିଅ ଏବଂ ଏରସମା ଅଞ୍ଚଳର ବୋହୁ ହିସାବରେ ପ୍ରାୟ ସମସ୍ତ ପ୍ରକାର ସାମାଜିକ ଓ ସାସ୍କୃତିକ କାର୍ଯ୍ୟରେ ତାଙ୍କର ଉପସ୍ଥିତି ତାଙ୍କୁ ଦେଇଛି ଏକ ଅନନ୍ୟ ପରିଚୟ | ବିଜେଡିର ପ୍ରାୟ ସବୁ କାର୍ଯ୍ୟକ୍ରମରେ ତାଙ୍କୁ ବେଶ ସକ୍ରିୟ ଥିବାର ଦେଖିବାକୁ ମିଳୁଛି | ଚଳିତ ନିର୍ବାଚନରେ ବିଜେଡି ମହିଳା ସଶକ୍ତିକରଣରେ ଉଦାହରଣ ସୃଷ୍ଟି କରିବା ଲକ୍ଷ୍ୟରେ ଆଗେଇଥିବାରୁ ଜଣେ ମହିଳା ଓ ମାଟିର ଝିଅ ହିସାବରେ ସସ୍ମିତାଙ୍କ ପାଇଁ ସୃଷ୍ଟି କରିଛି ସୁଯୋଗ |

ଦଳୀୟ ଟିକେଟ ପାଇଁ ଆଶାୟୀ ଅଛନ୍ତି କି ପ୍ରଶ୍ନରେ ସସ୍ମିତା କୁହନ୍ତି ” ମୁଁ ଦୀର୍ଘଦିନ ହେବ ଦଳ ସହ ଜଡିତ ରହି କାମ କରି ଆସୁଛନ୍ତି | ମୁଁ ଆଗ ଜଣେ ଦଳର ଶୃଙ୍ଖଳିତ କର୍ମୀ | ମୁଁ କେବେ ଟିକେନ କିମ୍ବା ପଦପଦବୀ ପାଇଁ ଲବି କରିନି | ମୋ ନେତା ନବୀନ ବାବୁଙ୍କ ଆଦେଶରେ ଲୋକଙ୍କ ସେବାରେ ନିଷ୍ଠାର ସହ କାମ କରିବା ମୋପାଇଁ ପ୍ରଥମ | ”

ତେବେ ସେ ଯାହା ହେଉ ନା କାହିଁକି, ଜିଲ୍ଲାରେ ବିଜେଡିର ବିଗତ ଦିନର ରଣନୀତି ଆଉ ସସ୍ମିତାଙ୍କ ଲୋକପ୍ରିୟତା ତାଙ୍କୁ ପ୍ରମୁଖ ଦାବିଦାର ଭାବେ ଉଭା କରିଛି | ଲୋକସଭା କ୍ଷେତ୍ରର ସବୁ ଅଞ୍ଚଳରେ ବିଜେଡି ପ୍ରାର୍ଥୀ ଭାବେ ସସ୍ମିତା ଦାସଙ୍କର ନାମ ବ୍ୟାପକ ଭାବେ ଚର୍ଚ୍ଚା ହେଉଥିବା ଜଣାଯାଇଛି। ଜଣେ ମେଳାପୀ ବ୍ୟକ୍ତିତ୍ୱ ସହ ଲୋକଙ୍କ ସହ ପ୍ରତ୍ୟକ୍ଷ ସମ୍ପର୍କ ଯୋଗୁ ସସ୍ମିତା ସ୍ଥାନୀୟ ଲୋକଙ୍କ ଶୁଭେଚ୍ଛା ଓ ସମର୍ଥନ ଲାଭ କରୁଥିବା ଦେଖାଯାଉଛି।

ଅନ୍ୟ ପକ୍ଷରେ ଜିଲ୍ଲାରେ ବିଜେପି ତୃଣମୂଳ ସ୍ତରରେ ପହଂଚି ପାରିନଥିବା ଲାଗୁଥିବା ବେଳେ କଂଗ୍ରେସ ଘର ସଜାଡିବାରେ ବ୍ୟସ୍ତ ଥିବା ପରି ମନେହୁଏ | ଏଣୁ ଶେଷ ପର୍ଯ୍ୟାୟରେ ଜୁନ ୧ରେ ହେବାକୁ ଥିବା ଭୋଟ ଉପରେ ରହିଛି ସମସ୍ତଙ୍କ ନଜର |

Leave a Reply

Your email address will not be published. Required fields are marked *