ପୁରୀ, ହାଲୱା ସହ ଏସବୁ ଖାଦ୍ୟ ଖାଇପାରିବେନି ଅମରନାଥ ଯାତ୍ରୀ ; ଆସନ୍ତା ଜୁଲାଇ ୧ ତାରିଖରୁ ଆରମ୍ଭ ହେବ ଯାତ୍ରା

ଆସନ୍ତା ଜୁଲାଇ ୧ ତାରିଖରୁ ଅମରନାଥ ଯାତ୍ରା ଆରମ୍ଭ ହେବ। ଏହି ଯାତ୍ରା ବହୁତ କଷ୍ଟଦାୟକ। ଅତ୍ୟନ୍ତ ପ୍ରତିକୂଳ ପରିସ୍ଥିତିରେ ଯାତ୍ରା କରିବାକୁ ପଡ଼େ। ଏହାକୁ ଦୃଷ୍ଟିରେ ରଖି ତୀର୍ଥଯାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ପ୍ରତି ବେଶେଷ ଧ୍ୟାନ ଦିଆଯାଉଛି।

ଶ୍ରୀ ଅମରନାଥ ଜି ସିରନୀ ବୋର୍ଡ ପକ୍ଷରୁ ତୀର୍ଥଯାତ୍ରୀଙ୍କ ପାଇଁ ଏକ ମାର୍ଗଦର୍ଶିକା ଜାରି କରାଯାଇଛି। ଯାତ୍ରା ବେଳେ ଅନେକ ଖାଦ୍ୟ ସାମଗ୍ରୀ ଉପରେ ନିଷେଧାଦେଶ ଜାରି ହୋଇଛି। ଯାହା କଷ୍ଟଦାୟକ ଯାତ୍ରାରେ ତୀର୍ଥଯାତ୍ରୀଙ୍କ ସ୍ୱାସ୍ଥ୍ୟ ପ୍ରତି ହାନୀକାରକ ହୋଇପାରେ।

ତୀର୍ଥଯାତ୍ରୀମାନେ କଣ ଖାଇବେ, କ’ଣ ନଖାଇବେ ଏଥିପାଇଁ ଏକ ବିସ୍ତୃତ ଖାଦ୍ୟ ତାଲିକା ପ୍ରସ୍ତୁତ କରାଯାଇଛି। ତୀର୍ଥଯାତ୍ରୀ ଓ ଖାଦ୍ୟ ପରିବେଷଣ କରୁଥିବା ସଂସ୍ଥା, ଯାତ୍ରା ଅଞ୍ଚଳରେ ଆସୁଥିବା ଲଙ୍ଗର ସଂଗଠନ, ଖାଦ୍ୟ ଷ୍ଟଲ୍, ଦୋକାନ ଏବଂ ଅନ୍ୟାନ୍ୟ ପ୍ରତିଷ୍ଠାନ ଗୁଡ଼ିକ ପାଇଁ ଏହା ଲାଗୁ ହେବ।

ଅରମନାଥ ତୀର୍ଥଯାତ୍ରୀମାନେ ୧୪ ଲୋମିଟର ଲମ୍ୱା ଉଚ୍ଚ ପାହାଡିଆ ଅଞ୍ଚଳ ଦେଇ ଯାତ୍ରା କରିବେ। ଏହି ସମୟରେ ସେମାନେ ଯେଭଳି, କୌଣସି ସ୍ବାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ନହେବେ ଏବଂ ରୋଗରେ ନପଡ଼ିବେ ସେଥିପାଇଁ ଶ୍ରୀ ଅମରନାଥ ସିରନୀ ବୋର୍ଡ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି।

୨୦୨୨ରେ ଅମରନାଥ ଯାତ୍ରା ସମୟରେ ୪୨ ଜଣ ତୀର୍ଥଯାତ୍ରୀଙ୍କର ମୃତ୍ୟୁ ହୋଇଥିଲା। ସେବେଠାରୁ ସରକାର ତୀର୍ଥଯାତ୍ରୀଙ୍କ ସ୍ବାସ୍ଥ୍ୟ ସୁରକ୍ଷା ପ୍ରତି ଅଧିକ ଗୁରୁତ୍ବ ଦେଉଛନ୍ତି । ତୀର୍ଥଯାତ୍ରୀଙ୍କ ପାଇଁ ସ୍ବାସ୍ଥ୍ୟ ପ୍ରମାଣପତ୍ର ବାଧ୍ୟତାମୂଳକ କରାଯାଇଛି । ଏଥିସହ ଯାତ୍ରା ମାର୍ଗରେ ବିଭିନ୍ନ ସ୍ଥାନରେ ଅମ୍ଳଜାନ ବୁଥ୍‌ ସ୍ଥାପନ କରାଯାଇଛି । ତୀର୍ଥଯାତ୍ରୀଙ୍କ ସ୍ବାସ୍ଥ୍ୟ ଯାଞ୍ଚ ଓ ଚିକିତ୍ସା ପାଇଁ ଅସ୍ଥାୟୀ ଡାକ୍ତରଖାନା ନିର୍ମାଣ ଭଳି ପଦକ୍ଷେପ ନିଆଯାଉଛି ।

ଗତ ବର୍ଷଠାରୁ, ଯାତ୍ରୀମାନଙ୍କୁ ଟ୍ରାକିଂ କରିବା ପାଇଁ RFID ଟ୍ୟାଗ୍ ମଧ୍ୟ ବ୍ୟବହାର କରାଯାଉଛି । ତୀର୍ଥଯାତ୍ରୀଙ୍କୁ ଫିଟ୍ ରଖିବା ପାଇଁ ‘ସଠିକ୍ ଖାଦ୍ୟ’ ସୁନିଶ୍ଚିତ କରିବାକୁ ଚଳିତ ବର୍ଷ ଏଭଳି ପଦକ୍ଷେପ ନିଆଯାଇଛି।

ଅମରନାଥ ଯାତ୍ରା ଏକ ଧାର୍ମିକ ଯାତ୍ରା ହୋଇଥିବାରୁ ଏହି ସମୟରେ ଆମିଷ,ମଦ,ଗୁଟ୍‌ଖା,ପାନ ମସଲା,ତମୁଖୁ,ସିଗାରେଟ୍ ଭଳି ନିଶା ସେବନଠାରୁ ଦୂରେଇ ରହିବାକୁ କୁହାଯାଇଛି। ଥଣ୍ଡାପାନୀୟ ପିଇବାକୁ ମଧ୍ୟ ବାରଣ କରଯାଇଛି । ଅନ୍ୟପଟେ ହର୍ବାଲ ଟି, କଫି, ଲୋ ଫ୍ୟାଟ୍ ମିଲ୍‌କ, ଫଳ ରସ, ଲେମ୍ବୁ ସର୍ବତ ଏବଂ ଭେଜିଟେବୁଲ ସୁପ୍‌କୁ ଅନୁମତି ଦିଆଯାଇଛି ।

ଫ୍ରାଏଡ ରାଇସକୁ ବାରଣ କରାଯାଇଛି, କିନ୍ତୁ ଜଣେ ଚାହିଁଲେ ଭାତ,ଚଣାଭଜା, ଚୁଡ଼ା ସନ୍ତୁଳା, ଉଥପମ୍, ଇଡ୍‌ଲି, ରୁଟି, ଡାଲି ଚକୋଲେଟ୍‌ ଖାଇପାରିବେ। ଖୀରୀ, ଓଟସ୍‌, ଡ୍ରାଏ ଫ୍ରୁଡ୍‌ସ, ମହୁ, ମିଠା ଖାଇବାକୁ ଅନୁମତି ରହିଛି। କିନ୍ତୁ ଛୋଲେ ଭଟୁରେ, ପୁରୀ, ପିଜା, ବର୍ଗର, ଦୋସା, ଚାଉମିନ୍ ଭଳି ଗରିଷ୍ଠ ଖାଦ୍ୟ ବିକ୍ରିକୁ ପବିତ୍ର ଅମରନାଥ ଯାତ୍ରା ମାର୍ଗରେ ସଂପୂର୍ଣ୍ଣ ଭାବେ ନିଷେଧ କରାଯାଇଛି।

Leave a Reply

Your email address will not be published. Required fields are marked *