ବଧୂ ବେଶରେ ବର ଘର ଆଗରେ ଧାରଣାରେ ବସିଛନ୍ତି ଡାକ୍ତରାଣୀ ଯୁବତୀ ; ବ୍ରହ୍ମପୁର ସହରରେ ଦିନତମାମ ହାଇଡ୍ରାମା

ବ୍ରହ୍ମପୁର : ବାହା ହେବାକୁ ନଆସିବାରୁ ଅପେକ୍ଷା କରି କରି ବଧୂ ବେଶରେ ସଜେଇ ହୋଇ ଶଙ୍ଖ ଓ ମହୁରୀ ବଜାଇ ଭାବି ସ୍ୱାମୀଙ୍କ ଘରେ ପହଞ୍ଚିଥିଲେ ଡାକ୍ତରାଣୀ ଯୁବତୀ। ଆଉ ବାହା ହେବା ପାଇଁ ଜିଦ୍‌ ଧରି ବସିଲେ। ହେଲେ ବର ଘର ଲୋକେ ବାହାରକୁ ଆସିଲେନି। ଏପଟେ ନ୍ୟାୟ ପାଇଁ ଯୁବତୀ ଜଣକ ବର ଘର ସମ୍ମୁଖରେ ଧାରଣାରେ ବସିଛନ୍ତି। ବାହାଘର ନହେଲା ପର୍ଯ୍ୟନ୍ତ ଉଠିବେ ନାହିଁ ବୋଲି କହିଛନ୍ତି। ଆଜି ଦିନ ତମାମ ବ୍ରହ୍ମପୁର ସହରରେ ଚାଲିଛି ଡାକ୍ତର ଦମ୍ପତିଙ୍କ ଏପରି ହାଇ ଡ୍ରାମା।

ଡିମ୍ପଲ ଦାଶ ଜଣେ ହୋମିଓପାଥିକ୍‌ ଡାକ୍ତର। ସେ ବ୍ରହ୍ମପୁର ଟାଉନ୍‌ରେ ରୁହନ୍ତି। ତାଙ୍କର ଦେଖାହୁଏ ଏଲୋପାଥିକ୍‌ ଡାକ୍ତର ସସ୍ମିତ ସାହୁଙ୍କର ସହ। ପ୍ରଥମ ଦେଖାରେ ଉଭୟଙ୍କ ଭିତରେ ଗଢ଼ି ଉଠେ ବନ୍ଧୁତା। ପରବର୍ତ୍ତୀ ସମୟରେ ବନ୍ଧୁତା ପ୍ରେମର ରୂପ ନେଇଥିଲେ। ଉଭୟ ପରସ୍ପରକୁ ପ୍ରେମ କରୁଥିଲେ। ଯେଉଁଥିପାଇଁ ଡାକ୍ତର ଡିମ୍ପଲ ଓ ଡାକ୍ତର ସସ୍ମିତ ଦୀର୍ଘ ୭ ମାସ ଧରି ଲିଭ୍‌ ଇନ୍‌ ରିଲେସନ୍‌ସିପ୍‌ରେ ରହୁଥିବା ଅଭିଯୋଗ ହୋଇଛି। ପରେ ରେଜିଷ୍ଟ୍ରି ମ୍ୟାରେଜ କରିଥିଲେ ବୋଲି ଡମ୍ପଲ କହିଛନ୍ତି। ଏହା ପରେ ଦୁଇ ପରିବାର ସହମତିରେ ବୈଦିକ ରୀତିନୀତିରେ ବାହାଘର କରିବା ପାଇଁ ଦିନ ଧାର୍ଯ୍ୟ ହୋଇଥିଲା।

ଆଜି ଡାକ୍ତର ଡିମ୍ପଲ ଓ ଡାକ୍ତର ସସ୍ମିତଙ୍କ ସାହାନାଇ ବାଜିବାର ଥିଲା। ସେଥିପାଇଁ ଡାକ୍ତର ଡିମ୍ପଲ କନ୍ୟା ବେଶରେ ସଜେଇ ହୋଇଥିଲେ। ହେଲେ ନିର୍ଦ୍ଧାରିତ ସମୟ ଭିତରେ କନ୍ୟା ଘରେ ପହଞ୍ଚି ନଥିଲା ବର। ଯାହାକୁ ନେଇ ବିଭ୍ରାନ୍ତରେ ପଡ଼ି ଯାଇଥିଲେ କନ୍ୟା ଡାକ୍ତର ଡିମ୍ପଲ ଦାଶ। ବହୁବାର ନିଜ ଭାବି ସ୍ୱାମୀଙ୍କ ସହିତ ଯୋଗାଯୋଗ କରିବାକୁ ଚାଷ୍ଟା କରିଥିଲେ। ମାତ୍ର ସମ୍ଭବ ହୋଇପାରିନଥିଲା।

ଶେଷରେ କନ୍ୟା ବେଶରେ ସଜେଇ ହୋଇଥିବା ଡାକ୍ତର ଡିମ୍ପଲ ଦାଶ ଶଙ୍ଖ ଓ ମହୁରୀ ବଜାଇ ବଜାଇ ଭାବି ସ୍ୱାମୀଙ୍କ ଘର ବ୍ରହ୍ମପୁର ସହର ବ୍ରହ୍ମାନଗର ଦ୍ୱିତୀୟ ଲେନ୍‌ରେ ପହଞ୍ଚିଥିଲେ। ହେଲେ ଦେଖିବାକୁ ପାଇଲେ ଭାବି ସ୍ୱାମୀଙ୍କ ଘର ସମ୍ମୁଖ ଶୂନ୍‌ସାନ୍‌। ନା ବନ୍ଧା ହୋଇଛି ବେଦୀ ନା ସଜା ଯାଇଛି ଘର। ଏଥିରୁ ସେ ପୂରାପୁରି ବୁଝିଗଲେ ଭାବି ସ୍ୱାମୀଙ୍କ ଚାଲାକି। ଆଉ ବାହା ହେବା ପାଇଁ ଜିଦ୍‌ ଧରି ବସିଲେ। ବାହାଘର ନହେଲା ପର୍ଯ୍ୟନ୍ତ ଉଠିବେ ନାହିଁ ବୋଲି ରୋକ୍‌ଠୋକ୍‌ ଶୁଣାଇ ଦେଲେ। ଖବର ଲେଖା ହେବା ପର୍ଯ୍ୟନ୍ତ ସେ ଧାରଣାରେ ବସିଥିବା ଜଣାପଡ଼ିଛି।

ମାତ୍ର ଏନେଇ ଡାକ୍ତର ସସ୍ମିତ ସାହୁ କିମ୍ୱା ତାଙ୍କ ପରିବାର ଲୋକଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

Leave a Reply

Your email address will not be published. Required fields are marked *