ବାହାନଗା ଟ୍ରେନ ଟ୍ରାଜେଡି ଘଟଣାରେ ସାମ୍ନାକୁ ଆସିଲା ସାଙ୍ଘାତିକ ତଥ୍ୟ ; ୩ ଜଣଙ୍କୁ ଅଜ୍ଞାତ ସ୍ଥାନରେ ରଖି ସିବିଆଇର ପଚରାଉଚରା

ବାହାନଗା ଟ୍ରେନ ଟ୍ରାଜେଡି ଘଟଣାରେ ସିବିଆଇର ତନାଘନା । ଦୁର୍ଘଟଣାର ୧୦ ଦିନ ପରେ ଗତକାଲି ଆସିଷ୍ଟାଣ୍ଟ ଷ୍ଟେସନ୍‌ ମାଷ୍ଟରଙ୍କ ସମେତ ରେଳ ବିଭାଗର ୩ ଜଣଙ୍କୁ ଉଠାଇ ନେଇଛି CBI । ସମସ୍ତଙ୍କୁ ଅଜ୍ଞାତ ସ୍ଥାନରେ ରଖି ପଚରାଉଚରା କରିବା ସହ ସିଡିଆର ଯାଞ୍ଚ କରୁଥିବା ସୂଚନା ମିଳିଛି । ବାହାନଗା ଷ୍ଟେସନ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ପଚରାଉଚରା ପରେ ବହୁ ତଥ୍ୟ ହାତେଇଛି ସିବିଆଇ । ବାହାନଗା ଟ୍ରେନ ଦୁର୍ଘଟଣା ନେଇ ମାମଲା ରୁଜୁ କରିଥିଲା ସିବିଆଇ ।

ଜୁନ୍ ୨ ତାରିଖ ଦୁର୍ଘଟଣା ଦିନ ସକାଳେ ବାହାନଗା ବଜାର ଷ୍ଟେସନରେ ଆସିଷ୍ଟାଣ୍ଡ ଷ୍ଟେସନ ମାଷ୍ଟର ଏହି ତ୍ରୁଟି ବିଷୟରେ କର୍ମଚାରୀଙ୍କୁ ଅବଗତ କରାଇଥିଲେ । ପରେ ଆସିଷ୍ଟାଣ୍ଡ ଷ୍ଟେସନ ମାଷ୍ଟର ଟେକ୍ନିସିଆନଙ୍କୁ ଡାକିଥିଲେ । ହେଲେ ସେ ଆସିବାକୁ ବିଳମ୍ବ କରିବାରୁ ସିଗନାଲ ବ୍ୟବସ୍ଥା ଠିକ୍ କରିବାକୁ କହିଥିଲେ । ଦିନ ପ୍ରାୟ ୧୧ଟା ବେଳେକୁ ଟେକ୍ନିସିଆନ ସିନନାଲ ବ୍ୟବସ୍ଥାକୁ ଠିକ୍ କରି ଦେଇଥିଲେ ।

ପରେ ସିଗନାଲିଂ ବ୍ୟବସ୍ଥା ଠିକ୍ ଭାବେ କାମ କରୁଛି କି ନାହିଁ ଆସିଷ୍ଟାଣ୍ଡ ଷ୍ଟେସନ ମାଷ୍ଟର ଆଉ ଯାଞ୍ଚ କରିନଥିଲେ । ଆଉ ଯେଉଁଥିପାଇଁ ସନ୍ଧ୍ୟାରେ ବଡ଼ ଦୁର୍ଘଟଣା ଘଟିଥିଲା ବୋଲି ସିବିଆଇ ହାତରେ ପ୍ରମାଣ ଲାଗିଥିବା ଜାଣିବାକୁ ମିଳିଛି । ଏହି ତ୍ରୁଟି କାରଣରୁ କରମଣ୍ଡଳ ଟ୍ରେନ୍ ମେନ ଲାଇନରେ ନଯାଇ ଲୁପ ଲାଇନରେ ଯାଇ ସେଠାରେ ପୂର୍ବରୁ ଠିଆ ହୋଇଥିବା ମାଲଗାଡିକୁ ଧକ୍କା ଦେଇଥିଲା ।

ସିବିଆଇର ଅନ୍ୟ ଏକ ୪ ଜଣିଆ ଟିମ୍ ଦୁର୍ଘଟଣା ସମୟରେ କ୍ଷତିଗ୍ରସ୍ତ ଟ୍ରାକର ସ୍କାନିଂ କରିଛି। କ୍ୟାମେରା ସାହାଯ୍ୟରେ ଟିମ୍ ସ୍କାନିଂ କରିଥିବା ଜଣା ପଡ଼ିଛି। ରେଳ ଦୁର୍ଘଟଣାର କ୍ରମାଗତ ଚତୁର୍ଥ ଦିନରେ ସିବିଆଇ ତଦନ୍ତ ଜାରି ରଖିଛି । ଏହା ପୂର୍ବରୁ ଶୁକ୍ରବାର ସିବିଆଇର ୨ଜଣିଆ ଟିମ୍‌ ଦୁର୍ଘଟଣାସ୍ଥଳ ବୁଲି ଦେଖିଥିଲେ । ପରେ ବିଭିନ୍ନ ସ୍ଥାନରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂଗ୍ରହ କରିଥିଲେ । ଅପରାହ୍ଣ ଦେଢ଼ଟା ବେଳେ ଏହି ଟିମ୍‌ ଦୁର୍ଘଟଣା ସ୍ଥଳରେ ପହଞ୍ଚିଥିଲା । ପରେ ସେଠାରୁ ଟିମ୍‌ ପ୍ୟାନେଲ ରୁମ୍‌କୁ ଯାଇଥିଲା । ସେଠାରେ ଅଧିକାରୀମାନେ ବେଶ୍‌ କିଛି ସମୟ ଯାଞ୍ଚ କରିଥିଲେ । ପରେ ରିଲେ ରୁମ୍‌କୁ ଯାଇଥିଲେ । ସେଠାରେ ମଧ୍ୟ ସେମାନେ ତନାଘନା କରିଥିଲେ ।ଗତ ୨ ତାରିଖ ସଧ୍ୟାରେ ଘଟିଥିବା ଟ୍ରେନ ଦୁର୍ଘଟଣାରେ ୨୮୮ ଜଣଙ୍କ ମୃତ୍ୟୁ ହୋଇଥିଲା । ଏବେ ବି ଶତାଧିକ ଯାତ୍ରୀ ଚିକିତ୍ସାଧିନ ଅଛନ୍ତି । ସିଗନାଲ ତ୍ରୁଟିଜନିତ କାରଣରୁ ଦୁର୍ଘଟଣା ଘଟିଥିବା କୁହାଯାଉଥିବା ବେଳେ ସତ୍ୟାସତ୍ୟ ସମ୍ପର୍କରେ ସିବିଆଇ ତଦନ୍ତ କରୁଛି ।

Leave a Reply

Your email address will not be published. Required fields are marked *