ଟ୍ବିନ ସିଟିର ବ୍ୟାଙ୍କ ଓ ଏଟିଏମ୍ ସୁରକ୍ଷା ପାଇଁ କମିଶନରେଟ୍ ପୋଲିସ ର ନୂତନ ପଦକ୍ଷେପ

ଭୁବନେଶ୍ବର : ନିକଟରେ ରାଜ୍ୟ ରାଜଧାନୀର ଖଣ୍ଡଗିରି ଥାନା ଡେଲଟା ଛକ ସୁନା ଦୋକାନ ସଟର୍ କାଟି ପ୍ରାୟ କୋଟିଏ ଟଙ୍କାର ସୁନା ଅଳଙ୍କାର ଲୁଟ୍ ଘଟଣାକୁ ନେଇ ଚିନ୍ତାରେ ପଡ଼ିଛି କମିଶନରେଟ୍ ପୋଲିସ। ଏହି ଗ୍ୟାଙ୍ଗକୁ ଧରିବା ପାଇଁ ସ୍ୱତନ୍ତ୍ର ଟିମ ଗଠନ ହୋଇଛି। ଏହି ଗ୍ୟାଙ୍ଗ ଏ ପର୍ଯ୍ୟନ୍ତ ଧରାପଡ଼ି ନ ଥିବାରୁ ଆଗକୁ କଟକ- ଭୁବନେଶ୍ବର ବଡ଼ ଧରଣର ଅପରାଧ ଘଟାଇ ପାରନ୍ତି ବୋଲି ଆଶଙ୍କା ରହିଛି। ଏଥି ପାଇଁ କିଛି ବଡ଼ ଅପରାଧ ଘଟିବା ପୂର୍ବରୁ ସତର୍କତା ଅବଲମ୍ବନ କରିଛି କମିଶନରେଟ ପୋଲିସ । ଟ୍ବିନ ସିଟିର ବ୍ୟାଙ୍କ ଓ ଏଟିଏମ୍ କାଉଣ୍ଟରଗୁଡ଼ିକର ସୁରକ୍ଷା ଯାଞ୍ଚ ପାଇଁ ଦୁଇ ଡି.ସି.ପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି।ଅତିରିକ୍ତ ଡିସିପି, ଏସିପି ଓ ସ୍ଥାନୀୟ ଥାନାର ଆଇଆଇସିଙ୍କୁ ନେଇ ଟିମ୍ ଗଠନ କରାଯିବ । ଗୋଟିଏ ଟିମ୍ ଦୁଇଟି ଜୋନ୍‌ ଅଞ୍ଚଳରେ ଯାଞ୍ଚ କରିବେ । ରିଜର୍ଭ ବ୍ୟାଙ୍କ ଓ କମିଶନରେଟ ପୋଲିସ ପକ୍ଷରୁ ପୂର୍ବରୁ ଜାରି କରାଯାଇଥିବା ସୁରକ୍ଷା ନିୟମାବଳୀକୁ ପାଳନ କରାଯାଉଛି କି ନାହିଁ ? ସିସିଟିଭି କ୍ୟାମେରା, ଆଲାର୍ମ, ସୁରକ୍ଷାକର୍ମୀ ମୁତୟନ ରହୁଛନ୍ତି ନା ନାହିଁ ? ସୁରକ୍ଷାକର୍ମୀମାନେ କେମିତି ମୁକାବିଲା କରିବେ ? ଏଟିଏମ୍ କେତେ ସୁରକ୍ଷିତ ? ଏ ସବୁ ବ୍ୟବସ୍ଥା ଉକ୍ତ ସ୍ବତନ୍ତ୍ର ଟିମ୍ ଯାଞ୍ଚ କରିବେ।ଭୁବନେଶ୍ୱର ଡି.ସି.ପି ଉମା ଶଙ୍କର ଦାଶ କହିଥିଲେ, “ଆମେ ବ୍ୟାଙ୍କ ଓ ଏଟିଏମ ଗୁଡ଼ିକର ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦେଉଛୁ । ସେଥିପାଇଁ ବ୍ୟାଙ୍କ ଓ ଏଟିଏମ ଗୁଡ଼ିକର ସୁରକ୍ଷା ନେଇ ଏବେ ଅଡିଟ କରିବ ପୋଲିସର ସ୍ବତନ୍ତ୍ର ଟିମ। ଆଇ.ଆଇ.ସି. ଓ ଏ.ସି.ପି ଓ ଅତିରିକ୍ତ ଡି.ସି.ପିଙ୍କୁ ନେଇ ତିନି ଜଣିଆ ଟିମକୁ ଦାୟିତ୍ବ ଦିଆଯାଇଛି। ୩୦ ଦିନରେ ଟିମ ଅଡିଟ ରିପୋର୍ଟ ଦାଖଲ କରିବେ । ଆର.ବି.ଆଇ. ଗାଇଡଲାଇନ ଅନୁସାରେ ବ୍ୟାଙ୍କ କର୍ତ୍ତୃପକ୍ଷ ଏ.ଟି.ଏମ. ଗୁଡିକରେ ସୁରକ୍ଷା ଉପରେ କ’ଣ ପଦକ୍ଷେପ ନେଇଛନ୍ତି ସେ ନେଇ ଯାଞ୍ଚ କରାଯିବ ।’’ ଦୈତ୍ୱନଗରୀର କେଉଁ ଥାନା ଅଞ୍ଚଳରେ କେତୋଟି ବ୍ୟାଙ୍କ ଓ ଏ.ଟି.ଏମ. ରହିଛି । ସେହି ସବୁ ବ୍ୟାଙ୍କ ଗୁଡ଼ିକ ଥାନା ଓ ଜନଗହଳି ଠାରୁ ଦୂରତା କ’ଣ ରହିଛି। କେଉଁ ଅଞ୍ଚଳରେ ନିଛାଟିଆ ବ୍ୟାଙ୍କ ଓ ଏ.ଟି.ଏମ. ରହିଛି। ଏସବୁ ତଥ୍ୟ ପାଇଁ ୬ଟି ଜୋନକୁ ୩ ଟିମରେ ବିଭକ୍ତ କରି ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିବା ପାଇଁ ଜଣେ ଅତିରିକ୍ତ ଡି.ସି.ପି, ଜୋନ୍ ଏ.ସି.ପି ଓ ଆଇ.ଆଇ.ସି.ଙ୍କୁ ନେଇ ଗଠନ ହୋଇଛି ଟିମ। ଭୁବନେଶ୍ବରରେ ୨୦୨୦-୨୧ ଏକାଧିକ ବ୍ୟାଙ୍କ ଓ ଏ.ଟି.ଏମ.ରୁ ଲୁଟ ହୋଇଛି । ବରିମୁଣ୍ଡ ଓ ନନ୍ଦନ ବିହାରରେ ନକଲି ବନ୍ଧୁକ ଦେଖାଇ ପ୍ରାୟ ୧୨ ଲକ୍ଷ ଟଙ୍କା ଲୁଟ ହୋଇଥିଲା । ମ୍ୟାଗନେଟ ଛକରେ ଥିବା ପିଏନବି ଏ.ଟି.ଏମ.ରୁ ଗ୍ୟାସ କଟରରେ କାଟି ରାଜ୍ୟ ବାହରର ଦୁଇ ଅପରାଧୀ ଲୁଟିଥିଲେ ୨୮ ଲକ୍ଷ ଟଙ୍କା। ୨୦୨୧ରେ ବାଲିପାଟଣା ଅଟଳାରୁ ନକଲି ବନ୍ଧୁକ ଦେଖାଇ ୮ ଲକ୍ଷ ଟଙ୍କା ଲୁଟ ହୋଇଥିଲା । ଗତ ମାସରେ ମେଣ୍ଡାଶାଳରୁ ଏକ ଘରୋଇ ଏ.ଟି.ଏମ.ରୁ ଲୁଟ ଉଦ୍ୟାମ। ଲିଙ୍ଗରାଜ ଥାନା ଅଞ୍ଚଳରୁ ଟିଣ ପାତିଆରେ ଲୁଟ ବେଳେ ୨ ଲୁଟେରା ଗିରଫ ହୋଇଥିଲେ । ତେଣୁ ବାରମ୍ବାର ଏଭଳି ଘଟଣା ସାମ୍ନାକୁ ଆସିବା ପରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଉଥିବା କହିଛନ୍ତି ଭୁବନେଶ୍ୱର ଡି.ସି.ପି। ସୂଚନାଯୋଗ୍ୟ ପୂର୍ବରୁ ମଧ୍ୟ ବ୍ୟାଙ୍କ ଓ ଏ.ଟି.ଏମ୍. କାଉଣ୍ଟର ସୁରକ୍ଷା ନେଇ ଅନେକ ଥର ବୈଠକ ବସିସାରିଛି। ଦୋକାନରେ ସିସିଟିଭି କ୍ୟାମେରା ଲଗାଇବା, ସୁରକ୍ଷା କର୍ମୀ ନିୟୋଜିତ କରିବା ଆଦି ପରାମର୍ଶ ଦିଆଯାଇଛି । ପୋଲିସ ପକ୍ଷରୁ କୁହାଯାଇଛି, ଏଣିକି ଦୋକାନୀମାନେ ପୁରୁଣା ଗହଣା କିଣିବା ବେଳେ ବା ଅଦଳବଦଳ କରିବା ବେଳେ ଗ୍ରାହକଙ୍କ ପୂରା ପରିଚୟ ରଖିବେ। ବିଶେଷ କରି ଗ୍ରାହକଙ୍କ ପରିଚୟ ରଖିବା ପାଇଁ ସ୍ବତନ୍ତ୍ର ରେଜିଷ୍ଟର କରିବାକୁ କୁହାଯାଇଛି। ଆବଶ୍ୟକ ସ୍ଥଳେ କୌଣସି ଗ୍ରାହକ ଉପରେ ସନ୍ଦେହ ହେଲେ, ତୁରନ୍ତ ପୋଲିସକୁ ସିକ୍ରେଟ୍ ନମ୍ବରରେ ଫୋନ୍ କରିବାକୁ ଦୋକାନୀମାନଙ୍କୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *