ବହୁ ଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ଘଟଣାରେ ନଭେମ୍ବର ୨୯ ସୁଦ୍ଧା ନୂଆ ଚାର୍ଜସିଟ୍ ରିପୋର୍ଟ ଦାଖଲ କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର : ବହୁ ଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ଘଟଣାରେ ନଭେମ୍ବର ୨୯ ସୁଦ୍ଧା ନୂଆ ଚାର୍ଜସିଟ୍ ରିପୋର୍ଟ ଦାଖଲ କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ । ମାହାଙ୍ଗା ଥାନା ପୁଲିସ ଅଧିକାରୀଙ୍କୁ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସାଲେପୁର ଜେଏମଏଫେସି (JMFC)କୋର୍ଟ । ପୂର୍ବରୁ ନଭେମ୍ବର ୨୫ ସୁଦ୍ଧା ସିଡିଆର ରିପୋର୍ଟ ଦାଖଲ ପାଇଁ କୋର୍ଟ ନର୍ଦ୍ଦେଶ ଦେଇଥିଲେ। କିନ୍ତୁ ମାହାଙ୍ଗା ଥାନା ପୁଲିସ ସମୟ ମାଗିବାରୁ ମାମଲାର ଶୁଣାଣି କରି ରିପୋର୍ଟ ଦାଖଲ ପାଇଁ ସମୟ ସୀମା ବଢ଼ାଇ ଦେଇଛନ୍ତି ମାନ୍ୟବର ଅଦାଲତ। ମାହାଙ୍ଗା ଡବଲ ମର୍ଡର ଘଟଣାରେ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ତଦନ୍ତ ପରିସରଭୁକ୍ତ କରି ପୁନଃ ଚାର୍ଜସିଟ୍ ଦାଖଲ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହା ସହ ମନ୍ତ୍ରୀଙ୍କ ପିଏ ବାପି ବିଶ୍ୱାଳ, ମୁଖ୍ୟ ଅଭିଯୁକ୍ତ ବୋଲି କୁହାଯାଉଥିବା ମୃତ ପ୍ରଫୁଲ୍ଲ ବିଶ୍ୱାଳ ମଲ୍ଲିକ ଓ ବ୍ଲକ ଚେୟାରମ୍ୟାନ ଶରତ ନାୟକଙ୍କ ସିଡିଆର ରିପୋର୍ଟ କୋର୍ଟରେ ଦାଖଲ ପାଇଁ ମାହାଙ୍ଗା ଥାନା ପୁଲିସକୁ ନିର୍ଦ୍ଦେଶ ଦେଇଥିଲେ ସାଲେପୁର ଜେଏମଏଫସି । ଚଳିତ ବର୍ଷ ଜାନୁଆରୀ ୨ ତାରିଖ ସନ୍ଧ୍ୟାରେ ମାହାଙ୍ଗାରର ବରିଷ୍ଠ ବିଜେପି ନେତା କୁଳମଣି ବରାଳ (୭୫) ଓ ସଂପର୍କୀୟ ଦିବ୍ୟ ସିଂହ ବରାଳ( ୮୨)ଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ଭିତ୍ତି କରି ଏହି ହତ୍ୟାକାଣ୍ଡ ହୋଇଥିବା ବେଳେ ମାମଲାରେ ୧୩ ଜଣଙ୍କ ନାଁରେ ଥାନାରେ ଅଭିଯୋଗ ହୋଇଥିଲା । ଏପରିକି ସ୍ଥାନୀୟ ବିଧାୟକ ତଥା ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କ ବିରୋଧରେ ମଧ୍ୟ ହୋଇଥିଲା ମାମଲା । ତେବେ ପୁଲିସ ଚାର୍ଜସିଟ୍ ଦାଖଲ ବେଳେ ମନ୍ତ୍ରୀଙ୍କ ନାଁକୁ କାଟି ଦେଇଥିବା ନେଇ ମୃତ କୁଳମଣିଙ୍କ ପୁଅ ରମାକାନ୍ତ ବରାଳ କୋର୍ଟରେ ପ୍ରୋଟେଷ୍ଟ ପିଟିସନ୍ କରିଥିଲେ। ଅଗଷ୍ଟ ୨୫ରେ ଏହାର ଶୁଣାଣି କରି କୋର୍ଟ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ମାହାଙ୍ଗା ଥାନାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏହା ମଧ୍ୟରେ ତିନି ମାସ ବିତି ଯାଇଥିବା ବେଳେ କୋର୍ଟରେ ଚାର୍ଜସିଟ୍ ଦାଖଲ ହୋଇନଥିବାରୁ କୋର୍ଟ ଥାନା ଅଧିକାରୀଙ୍କୁ ଭର୍ତ୍ସନା କରିବା ସହ କ୍ଷୁବ୍ଧ ହୋଇଥିଲେ। ନଭେମ୍ବର ୨୦ରେ ଏହାର ଶୁଣାଣି କରି ତୁରନ୍ତ ଚାର୍ଜସିଟ୍ ଓ ସିଡିଆର୍ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ ସାଲେପୁର (JMFC)କୋର୍ଟ। ଅନ୍ୟପଟେ ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ଥିବା ପ୍ରଫୁଲ୍ଲ ବିଶ୍ୱାଳ ଧରା ପଡ଼ି ନଥିବା ବେଳେ ତାଙ୍କର ଏକ ଟ୍ରକ ଦୁର୍ଘଟଣାରେ ଗତ ଫେବୃଆରୀରେ ସନ୍ଦେହଜନକ ମୃତ୍ୟୁ ହୋଇଥିଲା। ତେବେ ଏଥିରେ ମଧ୍ୟ ମନ୍ତ୍ରୀ ପ୍ରତାପ ଜେନାଙ୍କ ସଂପୃକ୍ତି ଥିବା ଅଭିଯୋଗ ହୋଇଥିବା ବେଳେ କୋର୍ଟ ମୃତ ପ୍ରଫୁଲ୍ଲ ଓ ମନ୍ତ୍ରୀଙ୍କ ପିଏ ବାପି ବିଶ୍ୱାଳଙ୍କ ଡିସିଆର ରିପୋର୍ଟ ଦାଖଲ କରିବାକୁ ମାହାଙ୍ଗା ଥାନାକୁ ନିର୍ଦ୍ଦେଶ ଦେଇଥିଲେ।

Loading

Leave a Reply

Your email address will not be published. Required fields are marked *