ମରଣ ଯନ୍ତା ପାଲଟିଛି ବାଲେଶ୍ୱର ଜିଲ୍ଲାର ଘାଘରା ପୋଲ

ନୀଳଗିରି : ବିପଦରେ ବାଲେଶ୍ୱର ଜିଲ୍ଲାର ଘାଘରା ପୋଲ । ସେରଗଡ଼-ଉଦଳା ୧୯ନଂ ରାଜ୍ୟ ରାଜପଥର ସଜନାଗଡ଼ ନିକଟରେ ଥିବା ଘାଘରା ପୋଲ ଏବେ ପାଲଟିଛି ମରଣ ଯନ୍ତା । ଛିଡ଼ା ହୋଇ ରହିଥିବା ଏହି ପୋଲଟି କେତେବେଳେ ବି ଭୁଶୁଡ଼ିଯାଇପାରେ । ଆଉ ଅକାଳରେ ଚାଲିଯାଇପାରେ ନିରୀହ ଜୀବନ । ଏକଥା ଆମେ କହୁନୁ ଏ ଦୃଶ୍ୟକୁ ଯିଏ ବି ଦେଖିବେ ତାଙ୍କ ମନରେ ଏମିତି ପ୍ରଶ୍ନ ନିଶ୍ଚୟ ସୃଷ୍ଟି ହେବ । କାରଣ ପୋଲଟି ଧୀରେ ଧୀରେ ଦୁର୍ବଳ ହେବା ସହ ମାଟିରେ ଲୋଟିବାକୁ ବସିଲାଣି ।
ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ଦାୟିତ୍ୱହୀନତା ପାଇଁ ଏପରି ଅବସ୍ଥା ହୋଇଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ । ଫଳରେ ଯାତ୍ରୀଙ୍କ ଜୀବନ ବିପଦ ମଧ୍ୟକୁ ଠେଲି ହୋଇ ଯାଇଛି। ଅଦିନଆ ବର୍ଷା ଯୋଗୁ ଘାଘରା ପୋଲ ଭୁଶୁଡ଼ି ପଡ଼ିବାର ମଧ୍ୟ ସମ୍ଭାବନା ରହିଛି । ପୋଲଟି ଭୁଶୁଡ଼ି ପଡ଼ିବା ପରେ ମୟୂରଭଞ୍ଜ ଓ ବାଲେଶ୍ଵରକୁ ଯୋଗାଯୋଗ ବିଚ୍ଛିନ୍ନ ହେବ । ଘଟଣାକୁ ନେଇ ଜିଲ୍ଲାପାଳଙ୍କୁ ମଧ୍ୟ ଅବଗତ କରାଯାଇଥିଲା । ହେଲେ କୌଣସି ପଦକ୍ଷେପ ମଧ୍ୟ ନେଇନଥିବା ଅଭିଯୋଗ ହୋଇଛି ।
ଏହି ଘାଘରା ପୋଲ ରାଜାରାଜୁଡ଼ା ଅମଳରୁ ନିର୍ମିତ ହୋଇଛି । ପୋଲ ଉପରେ ଭାରି ଯାନ ଯିବା ଦ୍ୱରା ମାଟି ଅତଡ଼ା ମଧ୍ୟ ଖସୁଥିବା ଦେଖିବାକୁ ମିଳିଛି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗିରହିଛି । ସ୍ଥାନୀୟ ଅଞ୍ଚଳବାସୀ ମାନେ ପୋଲ ନିର୍ମାଣ ସଠିକ୍‍ ଭାବେ କରିବାକୁ ଦାବି କରିଛନ୍ତି । ଘାଘରା ପୋଲ ବିପଦ ସଂକୁଳନ ଅବସ୍ଥାରେ ଥିବାରୁ ପୋଲ ଉପରେ ଯାତାୟାତକୁ ବନ୍ଦ କରିଛନ୍ତି ବାସିନ୍ଦା । ଏଥିସହ ଖୁବଶୀଘ୍ର ଏହାର ସ୍ଥାୟୀ କାର୍ଯ୍ୟ କରିବାକୁ ଦାବି ହୋଇଛିି ।

Leave a Reply

Your email address will not be published. Required fields are marked *