ହିଜାବ ବ୍ୟାନ୍‌ ଉପରେ ରାୟ ଶୁଣାଇଥିବା ବିଚାରପତି ଋତୁରାଜ ଅବସ୍ତିଙ୍କୁ ହତ୍ୟା ଧମକ

ବେଙ୍ଗାଳୁରୁ : କର୍ଣ୍ଣାଟକ ହାଇକୋର୍ଟ ବିଚାରପତି ଋତୁରାଜ ଅବସ୍ତିଙ୍କୁ ହତ୍ୟା ଧମକ। ହିଜାବ ମାମଲା ଉପରେ ରାୟ ଶୁଣାଇବା ପରେ ତାଙ୍କୁ ଏହି ଧମକ ମିଳିଛି। ହ୍ୱାଟ୍ସଆପ୍‌ରେ ଭିଡିଓ ମେସେଜ୍ ପଠାଇ ହତ୍ୟା ଧମକ ଦେଇଛନ୍ତି ଦୁର୍ବୃତ୍ତ। ଏନେଇ ବିଚାରପତି ଥାନାରେ ମାମଲା ରୁଜୁ କରିଛନ୍ତି। ପୁଲିସ ସତର୍କତା ପୂର୍ବରୁ ମାମଲା ତଦନ୍ତ ଆରମ୍ଭ କରିଦେଇଛି।

ହିଜାବ ବିବାଦ ନେଇ ମାର୍ଚ୍ଚ ୧୫ ତାରିଖରେ ହାଇକୋର୍ଟ ବିଚାରପତି ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ କାଏମ ରଖି ରାୟ ଶୁଣାଇଥିଲେ। ହାଇକୋର୍ଟଙ୍କ ରାୟ ଆସିବା ପରେ ଏହାକୁ ନେଇ ନୂଆ ବିବାଦ ଆରମ୍ଭ ହୋଇଥିଲା। ବର୍ତ୍ତମାନ ଏହି ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି। ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି ଆବେଦନକାରୀ।

ହେଲେ ଏଥିପାଇଁ ମିଳିଥିବା ହତ୍ୟା ଧମକ ଘଟଣାରେ ଅଡ୍‌ଭୋକେଟ ଉମାପତି ଶନିବାର ହାଇକୋର୍ଟ ରେଜିଷ୍ଟ୍ରାର ଜେନେରାଲଙ୍କ ପାଖରେ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ଅନୁସାରେ, ତାଙ୍କୁ ହ୍ୱାଟ୍ସଆପ୍‌ରେ ଭିଡିଓ ମେସେଜ୍ କରାଯାଇ ବିଚାରପତିଙ୍କୁ ହତ୍ୟା କରାଯିବା ନେଇ ଧମକ ଦିଆଯାଇଛି।

ଭିଡିଓ ମେସେଜ୍‌ରେ ଜଣେ ବ୍ୟକ୍ତି ଖୋଲାଖୋଲି ଭାବେ ବିଚାରପତି ଋତୁରାଜ ଅବସ୍ତିଙ୍କୁ ହତ୍ୟା କରିବା ପାଇଁ ଧମକ ଦେଉଛି। ଧମକ ଦେଉଥିବା ସମୟରେ ସେ ଝାଡ଼ଖଣ୍ଡର ବିଚାରପତିଙ୍କ ହତ୍ୟା ଘଟଣାର ଉଦାହରଣ ବି ଦେଇଛି। ତା’ସହିତ ‘ବିଚାରପତି ବୁଲିବାକୁ ତ ଯାଉଥିବେ’ ବୋଲି ସେ କହିଛି। ଭିଡିଓରେ ଦୁର୍ବୃତ୍ତ ହିଜାବ ରାୟକୁ ନେଇ ଅସଭ୍ୟ ଭାଷାରେ ଗାଳିଗୁଲଜ କରୁଥିବା ମଧ୍ୟ ଦେଖିବାକୁ ମିଳିଛି। ଭିଡିଓଟି ବୋଧହୁଏ ତାମିଲନାଡୁ ମଦୁରାଇରେ ଶୁଟ କରାଯାଇଛି ବୋଲି ଅଡ୍‌ଭୋକେଟ ଉମାପତି କହିଛନ୍ତି।

Leave a Reply

Your email address will not be published. Required fields are marked *