ପଞ୍ଚମ ସୁକୁବିନା ସ୍ରଷ୍ଟା ସ୍ମୃତି ପୁରସ୍କାରରେ ସମ୍ମାନିତ ହେଲେ ବିଶିଷ୍ଟ ଲେଖିକା ଶ୍ରୀମତୀ ପୁଷ୍ପାଞ୍ଜଳି ନାୟକ

ଭୁବନେଶ୍ୱର : ସ୍ଥାନୀୟ ବୁଦ୍ଧ ମନ୍ଦିର ସଭା ଗୃହରେ ପଞ୍ଚମ ସୁକୁବିନା ସ୍ରଷ୍ଟା ସ୍ମୃତି ପୁରସ୍କାର ଉତ୍ସବ ଅନୁଷ୍ଠିତ ହୋଇ ଯାଇଅଛି । ଚଳିତ ବର୍ଷର ଏହି ସମ୍ମାନଜନକ ପୁରସ୍କାରରେ ସମ୍ମାନୀତ ହୋଇଛନ୍ତି ବିଶିଷ୍ଟ ଲେଖିକା ଶ୍ରୀମତୀ ପୁଷ୍ପାଞ୍ଜଳି ନାୟକ । ଓଡ଼ିଆ କଥା ସାହିତ୍ୟର ଅନ୍ୟତମ ବିନ୍ଧାଣୀ ପୁଷ୍ପାଞ୍ଜଳି ନାୟକ ତାଙ୍କର ଗଳ୍ପ, ଉପନ୍ୟାସ ତଥା ସମସ୍ତ ପ୍ରକାର ସାହିତ୍ୟ ସର୍ଜନା କ୍ଷେତ୍ରରେ ଉଲ୍ଲେଖନୀୟ କୃତି ପାଇଁ ଚଳିତ ବର୍ଷ ଏହି ପୁରସ୍କାର ଲାଭ କରିଛନ୍ତି ।

କଳା, ସାହିତ୍ୟ ଓ ସଂସ୍କୃତିର ଅନ୍ୟତମ ପୃଷ୍ଠପୋଷକ ସ୍ବର୍ଗତ ଶ୍ରୀ ସୁଧୀର କୁମାର ବିଜୟେନ୍ଦ୍ର ନାରାୟଣଙ୍କ ଜନ୍ମ ତିଥି ଅବସରରେ ତାଙ୍କ ଅବଦାନର ସ୍ମୃତି ଚାରଣ ପାଇଁ ଆୟୋଜିତ ହୋଇ ଆସୁଥିବା ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ପ୍ରଥିତଯଶା ସାହିତ୍ୟିକ ଡ ରାମଚନ୍ଦ୍ର ବେହେରା ଉପସ୍ଥିତ ଥିଲେ ।

ଉପସ୍ଥିତ ଅତିଥି ମାନଙ୍କ ଦ୍ଵାରା ଶ୍ରୀମତୀ ପୁଷ୍ପାଞ୍ଜଳି ନାୟକଙ୍କୁ ପୁରସ୍କାରରେ ୫୦ହଜାର ଅର୍ଥ ରାଶି ସହ ମାନପତ୍ର ଓ ଉପଢୌକନ ପ୍ରଦାନ କରାଯାଇଥିଲା ।

ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ସ୍ରଷ୍ଟା ପ୍ରସିଦ୍ଧ ଲେଖକ ଦାଶ ବେନହୁର , ପ୍ରଫେସର ଯତୀନ୍ଦ୍ର କୁମାର ନାୟକ, ବିଶିଷ୍ଟ ଲେଖିକ ଡ ଗୌରହରି ଦାସ, ନ୍ୟାସୀ ପ୍ରଦୀପ କୁମାର ବିଶ୍ବାଳ ପ୍ରମୁଖ ଉପସ୍ଥିତ ଥିଲେ ।

ଅନୁଷ୍ଠାନର ଅନ୍ୟତମ ନ୍ୟାସି ପୁରବୀ ଦାସଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ସାହିତ୍ୟିକ, ବୁଦ୍ଧିଜୀବୀ ପ୍ରମୁଖ ଯୋଗ ଦେଇ ସ୍ବର୍ଗତ ଶ୍ରୀ ସୁଧୀର କୁମାର ବିଜୟେନ୍ଦ୍ର ନାରାୟଣ (ଜାପାନୀ ବାବୁଙ୍କୁ) ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ସ୍ଵୟଂପ୍ରଭା ରଥ ମଞ୍ଚ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *