ଓଡ଼ିଶାର ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ଅଞ୍ଚଳରେ ବିକାଶ : ସ୍ଥାୟୀ, ଶାନ୍ତି ଓ ସମୃଦ୍ଧିର ନୂଆ ଅଧ୍ୟାୟ ଆରମ୍ଭ
ଭୁବନେଶ୍ୱର : ଓଡ଼ିଶାର ଦକ୍ଷିଣ ଓ ପଶ୍ଚିମ ଅଞ୍ଚଳର ଅନେକ ଜିଲ୍ଲା ଦୀର୍ଘ ବର୍ଷରୁ ବାମପନ୍ଥୀ ଉଗ୍ରବାଦ (LWE) ର ସମସ୍ୟାରେ ପୀଡ଼ିତ ଥିଲେ। ଦୁର୍ଗମ ଭୌଗୋଳିକ ପରିସ୍ଥିତି, ଅପର୍ଯ୍ୟାପ୍ତ ଯୋଗାଯୋଗ ବ୍ୟବସ୍ଥା, ମୌଳିକ ସୁବିଧାର ଅଭାବ ଏବଂ ଆଦିବାସୀ ଅଞ୍ଚଳର ସାମାଜିକ- ଆର୍ଥିକ ପଛୁଆ ପଣ ଉଗ୍ରବାଦୀ କାର୍ଯ୍ୟକଳାପ ପାଇଁ ଉପଯୁକ୍ତ ପରିବେଶ ସୃଷ୍ଟି କରିଥିଲା। କିନ୍ତୁ ଗତକିଛି ବର୍ଷ ଧରି ରାଜ୍ୟସରକାରଙ୍କ ସୁଦୃଢ଼ ସୁରକ୍ଷା ବ୍ୟବସ୍ଥା ସହ ସମନ୍ୱିତ ବିକାଶମୂଳକ ପଦକ୍ଷେପ ଏହି ପରିସ୍ଥିତିକୁ ଆମୂଳ ଚୂଳ ପରିବର୍ତ୍ତନ କରିଛି। ଆଜି ଅଧିକାଂଶ ପୂର୍ବତନ ଉଗ୍ରବାଦ ପ୍ରଭାବିତ ଅଞ୍ଚଳରେ ସାଧାରଣଜୀବନ ଫେରିଆସିଛି ଏବଂ ବିକାଶର ନୂଆଦିଗ ଉନ୍ମୋଚିତ ହେଉଛି। ଏହି ପରିବର୍ତ୍ତନର ମୂଳ ଆଧାର ହେଉଛି ‘ଗ୍ରାମୋଦୟ’ ଯୋଜନା, ଯାହାକୁ ଅକ୍ଟୋବର ୨୦୨୪ରେ ଆରମ୍ଭ କରାଯାଇଥିଲା। ବରଗଡ଼, ବଲାଙ୍ଗୀର, ବୌଦ୍ଧ, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା ଏବଂ ରାୟଗଡ଼ା ସହିତ ୧୦ଟି ଜିଲ୍ଲାର ୫୮୩ଟି ଗ୍ରାମରେ ସମସ୍ତ ସରକାରୀ କଲ୍ୟାଣମୂଳକ ଯୋଜନାର ଶତ ପ୍ରତିଶତ ସୁବିଧା ପହଞ୍ଚାଇବା ଏହି ଯୋଜନାର ପ୍ରମୁଖ ଉଦ୍ଦେଶ୍ୟ। ସୁରକ୍ଷା ଶିବିରର ପାଞ୍ଚ କିଲୋମିଟର ପରିସର ମଧ୍ୟରେ ଥିବା ଗ୍ରାମଗୁଡ଼ିକୁ ବିକାଶର କେନ୍ଦ୍ରବିନ୍ଦୁ କରାଯାଇ ସମସ୍ତ ବିଭାଗର ସମନ୍ୱୟରେ କାର୍ଯ୍ୟକ୍ରମ ତ୍ୱରାନ୍ୱିତ କରାଯାଉଛି। ଗ୍ରାମୋଦୟ ଅଧୀନରେ ସଡ଼କ, ସେତୁ, ବିଶୁଦ୍ଧ ପାନୀୟଜଳ, ବିଦ୍ୟୁତ୍, ସାମୁଦାୟିକଭବନ, ଖେଳପଡ଼ିଆ ଓ ଅନ୍ୟାନ୍ୟ ମୌଳିକ ସୁବିଧା ଦ୍ରୁତଗତିରେ ବିକଶିତ ହେଉଛି। ଦୁର୍ଗମ ଅଞ୍ଚଳରେ ମୋବାଇଲ ମେଡିକାଲ ୟୁନିଟ୍ ଓ ଡ୍ରୋନ ମାଧ୍ୟମରେ ଔଷଧ ବିତରଣ ସ୍ୱାସ୍ଥ୍ୟସେବାକୁ ସହଜ କରିଛି। ଅଙ୍ଗନୱାଡ଼ି କେନ୍ଦ୍ର ଓ ବିଦ୍ୟାଳୟଗୁଡ଼ିକର ଉନ୍ନତି, ମିନିବ୍ୟାଙ୍କ, ମାଇକ୍ରୋ-ଏଟିଏମ ଏବଂ ନୂତନ ମୋବାଇଲ ଟାୱାର ସ୍ଥାପନ ମାଧ୍ୟମରେ ଗ୍ରାମାଞ୍ଚଳକୁ ଶିକ୍ଷା, ବ୍ୟାଙ୍କିଂ ଓ ଡିଜିଟାଲ ସେବା ସହିତ ଯୋଡ଼ା ଯାଉଛି। ଏହି ସମସ୍ତ ପ୍ରକଳ୍ପର ଅଗ୍ରଗତିକୁ ରିଅଲ-ଟାଇମ୍ LWE ଡ୍ୟାଶ ବୋର୍ଡ ମାଧ୍ୟମରେ ନିରନ୍ତର ନଜର କରାଯାଉଛି। ଯୁବପିଢ଼ିକୁ ସକାରାତ୍ମକ ଦିଗରେ ଆଗେଇ ନେବା ପାଇଁ ରାଜ୍ୟସରକାର ବିଶେଷ ଗୁରୁତ୍ୱ ଦେଇଛନ୍ତି। ୨୦୨୬ ମାର୍ଚ୍ଚରେ ୪୮୫ଟି ଗ୍ରାମକୁ ପ୍ରତ୍ୟେକରେ ₹୫୦,୦୦୦ ମୂଲ୍ୟର କ୍ରୀଡ଼ା ସାମଗ୍ରୀ ବଣ୍ଟନ କରାଯାଇଥିଲା। କ୍ରିକେଟ୍, ଫୁଟବଲ୍, ଭଲିବଲ୍, ବ୍ୟାଡମିଣ୍ଟନ୍, ଚେସ୍ ଓ କ୍ୟାରମ ଖେଳର ସାମଗ୍ରୀ ସ୍ଥାନୀୟ ଯୁବକ ମଣ୍ଡଳୀଙ୍କୁ ଦିଆଯାଇ ସେମାନଙ୍କ ମଧ୍ୟରେ ଶୃଙ୍ଖଳା, ନେତୃତ୍ୱ ଓ ସାମାଜିକ ଅଂଶ ଗ୍ରହଣର ଭାବନାକୁ ସୁଦୃଢ଼ କରାଯାଉଛି। ଉଗ୍ରବାଦ ଛାଡ଼ି ସାଧାରଣ ଜୀବନକୁ ଫେରିବାକୁ ଇଚ୍ଛୁକଙ୍କ ପାଇଁ ୨୦୨୫ର ସଂଶୋଧିତ ଆତ୍ମ ସମର୍ପଣ ଓ ପୁନର୍ବାସ ନୀତି ଏକ ବଡ଼ ପ୍ରୋତ୍ସାହନ ହୋଇଅଛି। ଏହା ଅନୁଯାୟୀ ଶୀର୍ଷ ସ୍ତରୀୟ ଉଗ୍ରବାଦୀଙ୍କୁ ୫ଲକ୍ଷ, ଏବଂ ଅନ୍ୟମାନଙ୍କୁ ୨.୫ଲକ୍ଷ ପର୍ଯ୍ୟନ୍ତ ଆର୍ଥିକ ସହାୟତା, ତିନି ବର୍ଷ ପର୍ଯ୍ୟନ୍ତ ମାସିକଭତ୍ତା, କୌଶଳ ବିକାଶ ପ୍ରଶିକ୍ଷଣ, ଘର, ସ୍ୱାସ୍ଥ୍ୟକାର୍ଡ, ବିବାହ ସହାୟତା ଏବଂ ରିହାତି ଦରରେ ରାସନ ଭଳି ସୁବିଧା ମିଳୁଛି। ଫଳ ସ୍ୱରୂପ ଅନେକ ଉଗ୍ରବାଦୀ ମୁଖ୍ୟ ଧାରାକୁ ଫେରି ନୂତନ ଜୀବନ ଆରମ୍ଭ କରୁଛନ୍ତି। ସଡ଼କ ଯୋଗାଯୋଗ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଏବଂ କେନ୍ଦ୍ରସରକାରଙ୍କ ବିଭିନ୍ନ ପ୍ରକଳ୍ପ ଦ୍ୱାରା ଅନେକ ଦୁର୍ଗମ ଗ୍ରାମ ପ୍ରଥମ ଥର ପାଇଁ ସର୍ବକାଳୀନ ସଡ଼କ ସହିତ ସଂଯୁକ୍ତ ହୋଇଛି। ଏହା ସହିତ PM- JANMAN ଯୋଜନା ମାଧ୍ୟମରେ ବିଶେଷ ଭାବେ ଦୁର୍ବଳ ଆଦିବାସୀ ଜନଜାତି (PVTGs)ଙ୍କ ପାଇଁ କୃଷି, କୌଶଳ ବିକାଶ, ଜଙ୍ଗଲ ଜାତ ଉତ୍ପାଦର ମୂଲ୍ୟବୃଦ୍ଧି ଓ ଜୀବିକା ବୃଦ୍ଧି ଉପରେ ଜୋର ଦିଆଯାଉଛି। ଏହି ପଦକ୍ଷେପ ଗୁଡ଼ିକ ଆଦିବାସୀ ସମାଜର ଆର୍ଥିକ ସଶକ୍ତି କରଣ ସହ ସରକାର ପ୍ରତି ବିଶ୍ୱାସକୁ ଆହୁରି ମଜବୁତ କରିଛି। ଏହି ସମନ୍ୱିତ ପ୍ରୟାସର ସକାରାତ୍ମକ ପରିଣାମ ଏବେ ସ୍ପଷ୍ଟଭାବରେ ଦେଖାଯାଉଛି। ମାଲକାନଗିରି, କୋରାପୁଟ, ରାୟଗଡ଼ା, କଳାହାଣ୍ଡି ସମେତ ଅଧିକାଂଶ ପୂର୍ବତନ ଉଗ୍ରବାଦ ପ୍ରଭାବିତ ଜିଲ୍ଲାରେ ହିଂସା ଓ ଉଗ୍ରବାଦୀ କାର୍ଯ୍ୟ କଳାପରେ ଉଲ୍ଲେଖନୀୟ ହ୍ରାସ ଘଟିଛି। ଅନେକ ଅଞ୍ଚଳ ଏବେ ଉଗ୍ରବାଦ ମୁକ୍ତ ହୋଇ ବିକାଶର ନୂଆ ପଥରେ ଅଗ୍ରସର ହେଉଛି। ଓଡ଼ିଶାର ଅଭିଜ୍ଞତା ପ୍ରମାଣ କରୁଛି ଯେ ସୁରକ୍ଷା ଓ ବିକାଶ ପରସ୍ପର ପରି ପୂରକ। କେବଳ ସୁରକ୍ଷା ବ୍ୟବସ୍ଥା ନୁହେଁ, ବରଂ ସଡ଼କ, ଶିକ୍ଷା, ସ୍ୱାସ୍ଥ୍ୟ, ଜୀବିକା, ଯୁବଶକ୍ତିର ସଶକ୍ତି କରଣ ଓ ସମସ୍ତ ସରକାରୀ ଯୋଜନାର କାର୍ଯ୍ୟକାରୀ ପହଞ୍ଚାଇବା ହିଁ ସ୍ଥାୟୀ ଶାନ୍ତିର ଭିତ୍ତି ସୃଷ୍ଟି କରେ | ଏହି ଉନ୍ନୟନ ମୂଳକ ମଡେଲ ଆଗାମୀ ଦିନରେ ଓଡ଼ିଶାର ଆଦିବାସୀ ଅଞ୍ଚଳକୁ ଅଧିକ ସମୃଦ୍ଧ, ସଶକ୍ତ ଏବଂ ଶାନ୍ତିପୂର୍ଣ୍ଣ କରିବାରେ ନିଶ୍ଚିତ ଭୂମିକା ନିର୍ବାହ କରିବ।