ରବୀନ୍ଦ୍ର ମଣ୍ଡପରେ ୨୮ରେ ମଞ୍ଚସ୍ଥ ହେବ ନାଟକ ‘ବାବାସାହେବ ଡ଼ଃ. ବି.ଆର. ଆମ୍ବେଦକର’

ଭୁବନେଶ୍ୱର : ସାମାଜିକ ଅନୁଷ୍ଠାନ ‘ମଦର’ ପ୍ରଯୋଜନାରେ ଭାରତରତ୍ନ ବାବାସାହେବ ଡ଼ଃ. ବି.ଆର. ଆମ୍ବେଦକରଙ୍କ ଜୀବନ, ସଂଘର୍ଷ ଓ ସାମାଜିକ ଅବଦାନକୁ ଆଧାର କରି ପ୍ରସ୍ତୁତ ବହୁ ପ୍ରତୀକ୍ଷିତ ନାଟକ ‘ବାବାସାହେବ ଡ଼ଃ. ବି.ଆର. ଆମ୍ବେଦକର’ ଆସନ୍ତା ୨୮ ଜୁଲାଇ (ମଙ୍ଗଳବାର) ସନ୍ଧ୍ୟାରେ ଭୁବନେଶ୍ୱରସ୍ଥିତ ରବୀନ୍ଦ୍ର ମଣ୍ଡପରେ ମଞ୍ଚସ୍ଥ ହେବ।

ସାମାଜିକ କର୍ମୀ ପ୍ରମୋଦ କୁମାର ଦାସଙ୍କ ରଚିତ ଏହି ନାଟକକୁ ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ଶତ୍ରୁଘ୍ନ ସାମଲ ନିର୍ଦ୍ଦେଶନା ଦେଇଥିବା ବେଳେ ସହ-ନିର୍ଦ୍ଦେଶନାରେ ଅଛନ୍ତି ରଞ୍ଜନ କୁମାର ନାୟକ। ସନ୍ତୋଷ କୁମାର ପରିଡ଼ା ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ ପ୍ରଶାନ୍ତ କୁମାର ମହାପାତ୍ର ମଞ୍ଚ ପରିଚାଳନାର ଦାୟିତ୍ୱ ତୁଲାଉଛନ୍ତି। ନାଟ୍ୟ ଅନୁଷ୍ଠାନ ‘ଟିମ’ ପକ୍ଷରୁ ଏହା ପରିବେଷଣ କରାଯିବ।

ଏହି ଅବସରରେ ଉଚ୍ଚଶିକ୍ଷା, କ୍ରୀଡା ଓ ଯୁବସେବା ତଥା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମାନ୍ୟବର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ମାନ୍ୟବର ବିଧାୟକ ଦୁର୍ଗା ଚରଣ ତନ୍ତୀ, ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ବିଜେତା ତଥା ବିଶିଷ୍ଟ ସଂଳାପ ଓ କାହାଣୀ ଲେଖକ ଡ଼ଃ ରଜନୀ ରଞ୍ଜନ, ଓଡ଼ିଶା ନାଟ୍ୟ ସଂଘ ସଭାପତି ତଥା ବିଶିଷ୍ଟ ମଞ୍ଚ ଅଭିନେତା ଓ ନିର୍ଦ୍ଦେଶକ ଧୀରେନ୍ଦ୍ର ନାଥ ମଲ୍ଲିକ ଏବଂ ମଦରର ଅଧ୍ୟକ୍ଷ ତଥା ଅବସରପ୍ରାପ୍ତ ପ୍ରମୁଖ ଆୟକର କମିସନର ଶରତ କୁମାର ଦାଶ ସମ୍ମାନିତ ଅତିଥି ଭାବେ ଯୋଗଦେବେ।

ବାବାସାହେବ ଆମ୍ବେଦକରଙ୍କ ଜୀବନଦର୍ଶନ, ସାମାଜିକ ନ୍ୟାୟ ଓ ସମାନତାର ବାର୍ତ୍ତାକୁ ନାଟ୍ୟରୂପରେ ଉପସ୍ଥାପନ କରୁଥିବା ଏହି ପ୍ରଯୋଜନାକୁ ଉପଭୋଗ କରିବା ପାଇଁ ନାଟ୍ୟପ୍ରେମୀ, ବୁଦ୍ଧିଜୀବୀ ଓ ସାଧାରଣ ଦର୍ଶକଙ୍କୁ ବହୁ ସଂଖ୍ୟାରେ ଯୋଗଦେବାକୁ ଆୟୋଜକମାନେ ଅନୁରୋଧ କରିଛନ୍ତି।

Leave a Reply

Your email address will not be published. Required fields are marked *