ଏକ ନିଆରା ପ୍ରେମ କାହାଣୀ ; ଆଖି ନଥିବା ଦିଲ୍ଲୀପଙ୍କ ହାତ ଧରି ବାଟ କଢ଼ାଇବେ ଚାନ୍ଦିନୀ

ପାଟଣାଗଡ଼ : ଦୁନିଆକୁ ଦେଖିପାରୁନଥିବା ଦିଲ୍ଲୀପଙ୍କ ଆଖି ସାଜିଲେ ଚାନ୍ଦିନୀ। ଆଉ ଏବେ ଚାନ୍ଦିନୀଙ୍କ ଆଖିରେ ରଙ୍ଗୀନ ଦୁନିଆକୁ ଦେଖିବେ ଦିଲ୍ଲୀପ। ସେ ଦିଲ୍ଲୀପଙ୍କ ଜୀବନ ସାଥୀ ବନିଛନ୍ତି। ଆଉ ନୂଆକରି ସଂସାର ଗଢ଼ିବାକୁ ଆଗେଇ ଆସିଛନ୍ତି। ମିସ୍‌ କଲରୁ ଆରମ୍ଭ ହୋଇଥିବା ଏହି ପ୍ରେମ କାହାଣୀ ଆଜି ବିବାହର ରୂପ ନେଇଛି। ପରିବାର ଲୋକଙ୍କ ସହମତିରେ ଦୁହେଁ ରେଜିଷ୍ଟ୍ରି ମ୍ୟାରେଜ କରିଛନ୍ତି।

ପୂରା ଘଟଣା ଏମିତି। ପାଟଣାଗଡ଼ ବ୍ଲକ୍‌ ମୁଣ୍ଡମହୁଲ ଗାଁର ଦିଲ୍ଲୀପ ତାଣ୍ଡିଙ୍କୁ ଜନ୍ମରୁ ଆଖିକୁ ଭଲ ଭାବରେ ଦେଖା ଯାଉନାହିଁ। ନିଜର ନିତ୍ୟକର୍ମ ପାଇଁ ସେ ଅନ୍ୟ ଉପରେ ଭରସା କରୁଛନ୍ତି। କିନ୍ତୁ ଏବେ ସେ ଆଉ କାହାକୁ ଭରସା କରିବେ ନାହିଁ। ଦିନେ ଦିଲ୍ଲୀପ ନିଜ ମୋବାଇଲରେ ଏକ ଅଜଣା ନମ୍ବର ଡାଏଲ୍‌ କରିଦେଇଥିଲେ। ମାତ୍ର ସେ କଲ୍‌ ରିସିଭ୍‌ କରିପାରିନଥିଲେ।

ଡାଏଲ୍‌ କରିବାର କିଛି ଘଣ୍ଟା ପରେ ସେପଟୁ ଆସିଲା କଲ୍‌। ଏହା ପରେ ଦିଲ୍ଲୀପ କଲ୍‌ ରିସିଭ୍‌ କରିଥିଲେ। ହାଲୋ କହିବା ପୂର୍ବରୁ ଦିଲ୍ଲୀପ୍‌ କହିଥିଲେ, ଡାଏଲ କରୁକରୁ ଭୁଲ୍‌ରେ କଲ୍‌ ଚାଲି ଯାଇଥିଲା। ସରୀ… ସରୀ…। ଦିଲ୍ଲୀପଙ୍କ ଏହି କେଇପଦ କଥାରେ ଭାବ ପ୍ରବଣ ହୋଇପଡ଼ିଥିଲେ ଚାନ୍ଦିନୀ ବାଗ। ଏହା ପରେ ଦୁହେଁ କଥାବାର୍ତ୍ତା ହୋଇଥିଲେ।

ଦିଲ୍ଲୀପ ଓ ଚାନ୍ଦିନୀ ଏମିତି କଥା ହେଉ ହେଉ କେତେବେଳେ ପରସ୍ପର ପ୍ରେମରେ ପଡ଼ି ଯାଇଥିଲେ ଜାଣିପାରିଲେ ନାହିଁ। ହେଲେ ଚାନ୍ଦିନୀ ଜାଣିନଥିଲେ ସିଏ ଯାହା ସହିତ ପ୍ରେମାଳାପ କରୁଛନ୍ତି ସିଏ ଜଣେ ଅନ୍ଧ ବୋଲି। ଆଉ ଯେତେବେଳେ ଜାଣିଲେ, ସେତେବେଳକୁ ଉଭୟ ପ୍ରେମର ନବ ରସରେ ଭିଜି ଯାଇଥିଲେ। ଏହା ପରେ ମଧ୍ୟ ଦିଲ୍ଲୀପଙ୍କ ପ୍ରତି ଭଲ ପାଇବା କମ ହୋଇନଥିଲା। ବରଂ ତାଙ୍କୁ ଦେଖା କରିବାକୁ ଡାକିଥିଲେ ଚାନ୍ଦିନୀ।

ଦିଲ୍‌ କା ରାନୀଙ୍କ ଡାକରା ପାଇଁ ନିଜ ସାଥୀଙ୍କ ସହିତ ଧାଇଁ ଯାଇଥିଲେ ଦିଲ୍ଲୀପ। ଦୁହେଁ ପରସ୍ପରକୁ ଭେଟିବା ପରେ ସମ୍ପର୍କ ଆହୁରି ନିବିଡ଼ ହୋଇଥିଲା। ଜନ୍ମ ଜନ୍ମର ସାଥୀ ହେବକୁ ନେଇଥିଲେ ବଜ୍ର ଶପଥ। ଏହା ପରେ ଉଭୟ ପରିବାର ଲୋକଙ୍କୁ ଜଣାଇଥିଲେ। ପରିବାର ମଧ୍ୟ ସମ୍ମତି ଜଣାଇଥିଲେ। ଉଭୟ ପରିବାର ଲୋକଙ୍କ ଉପସ୍ଥିତିରେ ପାଟଣାଗଡ଼ କୋର୍ଟରେ ହେଲା ରେଜିଷ୍ଟ୍ରି ମ୍ୟାରେଜ୍‌। ବାହାଘର ପରେ ଦିଲ୍ଲୀପଙ୍କ ଘରେ ରହୁଛନ୍ତି ଚାନ୍ଦିନୀ।

Leave a Reply

Your email address will not be published. Required fields are marked *