ମନ୍ଦିରରେ କୁକୁର ପଶିଯିବାରୁ ଶ୍ରୀଲିଙ୍ଗରାଜଙ୍କ ନୀତି ଅଢ଼େଇ ଘଣ୍ଟା ବିଳମ୍ବ ; ପୋତା ହେଲା ୩୦ ହଜାର ଟଙ୍କାର ଭୋଗ

ପୁରୁଣା ଭୁବନେଶ୍ୱର: ମନ୍ଦିରରେ କୁକୁର ପଶିଯିବାରୁ ଆଜି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନୀତି ଅଢ଼େଇ ଘଣ୍ଟା ବିଳମ୍ବ ହୋଇଛି। ଏଥିଯୋଗୁଁ ମାରା ହୋଇଥିବା ପାଖାପାଖି ୩୦ ହଜାର ଟଙ୍କାର ସରକାରୀ ଓ ବେସରକାରୀ ଭୋଗକୁ ନୀତି ଅନୁଯାୟୀ ଅମୁଣିଆ କୂଅରେ ପୋତି ଦିଆଯାଇଛି। ଶ୍ରୀଜିଉଙ୍କ ‘ବଡ଼ ଧୋକାଳ ମହାସ୍ନାନ’ କରାଯାଇ ମନ୍ଦିରକୁ ଶୁଦ୍ଧ କରାଯିବା ପରେ ନୀତି ସ୍ବାଭାବିକ ହୋଇଥିଲା। ଏଏସ୍‌ଆଇ କର୍ମଚାରୀଙ୍କ ଦାୟିତ୍ବହୀନତା ପାଇଁ ଆଜି ଏ ଅଘଟଣ ଘଟିଲା ବୋଲି ଅଭିଯୋଗ ହୋଇଛି।

ଉତ୍ତରଦ୍ବାର ପଟେ ମନ୍ଦିର ପାଚେରି ଛୋଟ ରହିଥିବା କାରଣରୁ ସେଠାରେ ତାର ଜାଲି ଲଗାଇବାକୁ ବାରମ୍ବାର ଦାବି କରାଯାଉଥିଲା। କିନ୍ତୁ ଏ ଦିଗରେ ଏଏସ୍ଆଇ କୌଣସି ପଦକ୍ଷେପ ନେଇ ନଥିଲା। ଆଜି ପୂର୍ବାହ୍ନରେ ସେହି ବାଟ ଦେଇ ଏକ କୁକୁର ମନ୍ଦିର ଭିତରକୁ ପଶି ଯାଇଥିଲା। କୁକୁରଟି ବେଢ଼ା ଅତିକ୍ରମ କରି ପାର୍ବତୀ ମନ୍ଦିର ପାଖରେ ପହଞ୍ଚି ଯାଇଥିଲା। ସେତେବେଳେ ଗମ୍ଭୀରାରେ ଠାକୁରଙ୍କ ନୀତି ଓ ରୋଷଘରେ ଅବଢ଼ା ପ୍ରସ୍ତୁତି ଚାଲିଥିଲା। କୁକୁରକୁ ମନ୍ଦିରରେ ଦେଖି ସେବାୟତମାନେ ହୋହଲ୍ଲା କରିଥିଲେ। ସମସ୍ତେ ମିଶି କୁକୁରକୁ ସେହି ଉତ୍ତରଦ୍ୱାର ପଟେ ପଦାକୁ ତଡ଼ି ଦେଇଥିଲେ। କିନ୍ତୁ ପରମ୍ପରା ମୁତାବକ ମନ୍ଦିର ଅଶୁଦ୍ଧି ହୋଇଥିବାରୁ ମନ୍ଦିର ପ୍ରଶାସକଙ୍କ ନିକଟରେ କଥା ପହଞ୍ଚିଥିଲା। ସେବାୟତ ଓ ନିର୍ବାହୀ ଅଧିକାରୀଙ୍କ ମଧ୍ୟରେ ଆଲୋଚନାକ୍ରମେ ଠାକୁରଙ୍କ ‘ବଡ଼ ଧୋକାଳ’ ଶୁଦ୍ଧି ପର୍ବ ସମ୍ପନ୍ନ ପାଇଁ ନିଷ୍ପତ୍ତି ହୋଇଥିଲା। ମନ୍ଦିର ଶୁଦ୍ଧି ପରେ ଶ୍ରୀଜିଉଙ୍କ ସକାଳ ନୀତି ପୁଣି ଆରମ୍ଭ ହୋଇଥିଲା। ଏଥିଯୋଗୁଁ ପ୍ରାୟ ଅଢ଼େଇ ଘଣ୍ଟା ନୀତି ବିଭ୍ରାଟ ହୋଇଥିଲା।

Leave a Reply

Your email address will not be published. Required fields are marked *