ଡଃ ଚିଦାତ୍ମିକା ଖଟୁଆ ପାଇବେ ୱାର୍ଲଡ୍ ଓଡ଼ିଶା ସୋସାଇଟିର ପ୍ରଥମ ମହାନାରୀ ସମ୍ମାନ

ନୂଆଦିଲ୍ଲୀ : ବିଶିଷ୍ଟ ସମାଜସେବୀ ଡଃ ଚିଦାତ୍ମିକା ଖଟୁଆ ୱାର୍ଲଡ୍ ଓଡ଼ିଶା ସୋସାଇଟି(ୱାଓସୋ) ର ପ୍ରଥମ ମହାନାରୀ ସମ୍ମାନ ପାଇବେ ବୋଲି ଜଣାଯାଇଛି। ୱାଓସୋ ତରଫରୁ ମାର୍ଚ୍ଚ ୧୬ ତାରିଖରେ ଜାତୀୟ ରାଜଧାନୀ କ୍ଷେତ୍ରର ଗାଜିଆବାଦଠାରେ ଆନ୍ତର୍ଜାତୀକ ମହିଳା ଦିବସ ପାଳନ ଉପଲକ୍ଷେ ଆୟୋଜନ କରାଯାଉଥିବା ତୃତୀୟ ଶକ୍ତି ଉତ୍ସବ ଅବସରରେ ଡଃ ଖଟୁଆ ଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ। ମହିଳା ସଶକ୍ତିକରଣ ଅଭିଯାନକୁ ସୁଦୃଢ କରିବା, ନାରୀ ଅଧିକାରକୁ ସୁରକ୍ଷିତ ରଖିବା ଏବଂ ମାତୃଶକ୍ତି ର ବିଶେଷତ୍ଵ କୁ ବିଶ୍ଵ ଦରବାରରେ ସାବ୍ୟସ୍ତ କରିବା ନେଇ ଉଲ୍ଲେଖଯୋଗ୍ୟ ଯୋଗଦାନ ପାଇଁ ଡଃ ଖଟୁଆ ଙ୍କୁ ଏହି ସମ୍ମାନସ୍ପଦ ସମ୍ମାନ ପାଇଁ ଯୋଗ୍ୟ ବିବେଚିତ କରାଯାଇଥିବା ୱାଓସୋର ଅଧ୍ୟକ୍ଷ କିଶୋର ଦ୍ବିବେଦୀ ଏଠାରେ ପ୍ରକାଶ କରିଛନ୍ତି। ହାଇବ୍ରିଡ୍ ମଞ୍ଚରେ ଅନୁଷ୍ଠିତ ହେବାକୁ ଯାଉଥିବା ଶକ୍ତି ଉତ୍ସବରେ ଭାରତର ବିଭିନ୍ନ ପ୍ରଦେଶ ଓ ବିଶ୍ଵର ପ୍ରାୟ ୭୨ ଟି ଦେଶର ଶତାଧିକ ୱାଓସୋର ସଦସ୍ୟ, ପ୍ରବାସୀ ଓଡ଼ିଆ ତୁଙ୍ଗ ନେତୃବର୍ଗ ଓ ଓଡ଼ିଆ ସମାଜର ପ୍ରତିନିଧି ମାନେ ଯୋଗ ଦେବାକୁ ଯାଉଥିବାର ସୂଚନା ମିଳିଛି। ପ୍ରବାସୀ ଓଡ଼ିଆ ମାନଙ୍କର ସର୍ବୋଚ୍ଚ ସଂଗଠନ ୱାଓସୋ, ଏବେ ପ୍ରବାସ ରେ ବସବାସ କରୁଥିବା ଓଡ଼ିଆ ମାନଙ୍କର ସର୍ବାଙ୍ଗୀନ ଉନ୍ନୟନ ଏବଂ ଆନ୍ତର୍ଜାତିକସ୍ତରରେ ବ୍ରାଣ୍ଡ ଓଡ଼ିଶାର ପ୍ରସାରଣ କ୍ଷେତ୍ରରେ ନିରନ୍ତର ଭାବେ କାର୍ଯ୍ୟ କରିଆସୁଛି।

ଜଣେ ଅଗ୍ରଣୀ ସାମାଜିକ ଶିଳ୍ପୋଦ୍ୟୋଗୀ ଡଃ ଚିଦାତ୍ମିକା ଖଟୁଆ, ବର୍ତ୍ତମାନ ଓଡ଼ିଶା କସ୍ମେଟିକ ସର୍ଜରୀ କ୍ଲିନିକର ପରିଚାଳନା ନିର୍ଦ୍ଦେଶକ, ଶୁଶୃତ ହସ୍ପିଟାଲ ଏଣ୍ଡ ଟ୍ରାଉମା ସେଣ୍ଟର ର ପ୍ରତିଷ୍ଠାତା ସିଇଓ ତଥା ଆର୍ଯ୍ୟଭଟ୍ଟ ଇନଷ୍ଟିଚ୍ୟୁଟ ଅଫ ଏଜୁକେଶନ ଏଣ୍ଡ ଟେକ୍ନୋଲୋଜି ଓ ଆଦି ଟ୍ରାଇବାଲ ଫାଉଣ୍ଡେସନର ପରିଚାଳନା ଟ୍ରଷ୍ଟୀ ଦାୟିତ୍ଵ ରେ ଅଛନ୍ତି। ବାଲେଶ୍ବର ରେ ଜନ୍ମିତ ଡଃ ଖଟୁଆ ଭୁବନେଶ୍ୱର ର ୟୁନିଟ ୯ ସ୍ଥିତ ହାଇସ୍କୁଲ, ରମାଦେବୀ ମହିଳା ମହାବିଦ୍ୟାଳୟ ଓ ହାବାର୍ଡଏକ୍ସ୍ ରେ ଶିକ୍ଷା ଲାଭ କରିଛନ୍ତି। ଆମେରିକାରୁ ସେ ଏମବିଏ ଓ ପିଏଚଡି ଡିଗ୍ରୀ ପାଇଛନ୍ତି। ସୋ. ଆମ. ଆଇ ର ସହ ସଂସ୍ଥାପକ ଡଃ ଖଟୁଆ ଙ୍କର ତତ୍ତ୍ଵାବଧାନରେ ଏବେ ଦୈନିକ ୬୦୦ ଅସହାୟ ଲୋକଙ୍କୁ ଭୁବନେଶ୍ୱର ର ଏମ୍ସ ନିକଟରେ ମାଗଣାରେ ଖାଦ୍ୟ ବିତରଣ କରାଯାଉଛି। ସମାଜ କଲ୍ୟାଣ, ମାନବ ମଙ୍ଗଳ ଏବଂ ସାଂସ୍କୃତିକ ଉତ୍କର୍ଷତାର ଉତ୍ଥାନ ପାଇଁ ଡଃ ଖଟୁଆ ଙ୍କୁ ବହୁ ଜାତୀୟ ଓ ଅର୍ନ୍ତଜାତୀୟ ପୁରସ୍କାର ଏବଂ ସ୍ଵୀକୃତି ପ୍ରଦାନ କରାଯାଇଛି। ଏ ମଧ୍ୟରେ ଗିନିଜ ବୁକ୍ ଅଫ୍ ୱାର୍ଲଡ୍ ରେକର୍ଡସ୍ ଦ୍ଵାରା ପୃଥିବୀର ୨୩ ଜଣ ପରିବର୍ତ୍ତନ କାରୀ ମହିୟସୀ ମହିଳାଙ୍କ ତାଲିକା ମଧ୍ୟରେ ତାଙ୍କୁ ଅନ୍ତର୍ଭୁକ୍ତ କରିଯିବା ଅନ୍ୟତମ।

ୱାଓସୋର ମହିଳା ଶାଖାର ସାଧାରଣ ସମ୍ପାଦକ, ରୋଟାରୀ ଇ କ୍ଳବ୍ ର ଆଇ. ପି. ପି, ସର୍ବଭାରତୀୟ ଘରୋଇ ବିଦ୍ୟାଳୟ ବିଦ୍ୟାର୍ଥୀ କଲ୍ୟାଣ ସଂଘର ସାଧାରଣ ସମ୍ପାଦକ ଓ ୟୁଥ୍ ଫର୍ ନେସନ୍ ର ରାଷ୍ଟ୍ରୀୟ ଉପ-ସଭାପତି ଆଦି ମହତ୍ତ୍ୱପୂର୍ଣ୍ଣ ପଦପଦବୀ ରେ ଆସୀନ ହୋଇ, ଡଃ ଖଟୁଆ ଆଜିର ଦୁନିଆକୁ ଏକ ଉତ୍ତମ ବାସସ୍ଥଳୀ ଉପଯୋଗୀ ବନାଇବା ପାଇଁ ଅହରହ ଉଦ୍ୟମ କରି ଆସୁଛନ୍ତି। ବହୁବିଧ ପ୍ରତିଭା ଓ ପାରଦର୍ଶିତାର ଅଧିକାରିଣୀ ଡଃ ଖଟୁଆ ଏକାଧାର ରେ ଜଣେ ଖ୍ୟାତାନାମା ଶିକ୍ଷାବିତ୍, ଲବ୍ଧପ୍ରତିଷ୍ଠ ଶିଳ୍ପୋଦ୍ୟୋଗୀ, ଉଚ୍ଚକୋଟୀର ସଂଗଠକ, ମହନୀୟ ବଦାନ୍ୟ ବ୍ୟକ୍ତିତ୍ଵ, ଉତ୍କୃଷ୍ଟ ସ୍ୱାସ୍ଥ୍ୟ ସେବା ବିଶେଷଜ୍ଞ ଓ ଓଜସ୍ଵିନୀ ସକାରାତ୍ମକ ପ୍ରେରଣାଦାୟୀ ଭାବରେ ସର୍ବସାଧାରଣରେ ବେଶ ସୁନାମ ଅର୍ଜନ କରି ଚାଲିଥିବା ଦେଖା ଯାଉଛି।

Leave a Reply

Your email address will not be published. Required fields are marked *