ଅପହରଣ ହୋଇଥିବା ମୋ ନାବାଳିକା ଝିଅକୁ ଦୟାକରି ଫେରେଇ ଆଣନ୍ତୁ : ଜଣେ ଅସହାୟ ବାପା

ଭୁବନେଶ୍ୱର : ‘ମୋର ନାବାଳିକା ଝିଅ ପ୍ରିୟଙ୍କା ନନ୍ଦକୁ 2020 ମସିହାରୁ ଅପହରଣ କରି ନିଆଯାଇଛି | ପୋଲିସରେ ଏତଲା ଦେବା ପରେ ମଧ୍ୟ ଥାନାରେ ପ୍ରାଥମିକ ତଦନ୍ତ ନକରି ଓଲଟା ମୋତେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି ଫେରାଇ ଦିଆଗଲା | କୋର୍ଟରେ ମାମଲା ରୁଜୁ ପରେ ମୋ ନାବାଳିକା ଝିଅକୁ ସାବାଳିକା ଦର୍ଶାଇ ମିଥ୍ୟା ରିପୋର୍ଟ ପ୍ରଦାନ କରାଯାଇଅଛି | ଯେଉଁ ଗୁଣ୍ଡା ଶ୍ରେଣୀୟ ବ୍ୟକ୍ତି ମୋ ଝିଅକୁ ଅପହରଣ କରିନେଇଛି ତାଙ୍କ ଘର ପାଖରୁ ଝିଅର ସାଇକେଲ ମିଳିବା ପରେ ମଧ୍ୟ ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ | ନାବାଳିକା ହୋଇଥିଲେ ମଧ୍ୟ ପସ୍କୋ ଏବଂ ଅନ୍ୟାନ ଧର୍ତ୍ତବ୍ୟ ଅପରାଧ ପରି ଦଫା ନଲଗେଇ ଅପହରଣକାରୀଙ୍କୁ ପୋଲିସ ସୁରକ୍ଷା ପ୍ରଦାନ କରିଛି | ମାମଲା ଉଠାଇ ଦେବାକୁ ମୋତେ ବାରମ୍ବାର ଧମକ ଦେଉଛନ୍ତି | ମୋ ଝିଅକୁ ଅପହରଣ କରିଥିବା ସଅଁପୁର ଗ୍ରାମର ଲକ୍ଷ୍ମୀଧର ଦଳେଇ ସହ ସ୍ଥାନୀୟ ବୈଦେଶ୍ଵର ପୋଲିସ ହାତ ମିଳାଇ ମୋତେ ଶାରୀରିକ ଓ ମାନସିକ ଭାବେ ନିର୍ଯ୍ୟାତନା ଦେଇଆସୁଛି | ଗାଁ ରେ ସ୍ଥାନୀୟ ଲୋକଙ୍କୁ ମତାଇ ମୋତେ ଗାଁ ଭିତରକୁ ପୁରାଇ ଦେଉନାହାନ୍ତି | ସ୍ଥାନୀୟ ବିଜେପି ଓ ବିଜେଡି ନେତାଙ୍କ ଛତ୍ରଛାୟା ତଳେ ଅପହରଣକାରୀ ଏବଂ ପୋଲିସ ଆମ ପରିବାର ଉପରେ ଯାବତୀୟ ଅତ୍ୟାଚାର କରୁଛନ୍ତି | ମୁଁ ଦୀର୍ଘ ଦିନ ହେବ ଗାଁ ଛାଡି ବାହାରେ ରହୁଛି’ | ଏମିତି ସାଙ୍ଘାତିକ ଅଭିଯୋଗ ଆଣି ଜଣେ ବ୍ୟକ୍ତି ଆଜି ବିଧାନସଭା ସମ୍ମୁଖରେ ଧାରଣାରେ ବସିଛନ୍ତି | ବାଙ୍କୀ କଳାପଥର ଅଂଚଳର ଚନ୍ଦ୍ରକାନ୍ତ ନନ୍ଦ ନିଜ ନାବାଳିକା ଝିଅକୁ ଫେରିପାଇବାକୁ ସବୁଆଡୁ ନିରାଶ ହେବ ପରେ ଆଜି ଅନଶନରେ ବସିଛନ୍ତି | ନ୍ୟାୟ ନମିଳିବା ପର୍ଯ୍ୟନ୍ତ ସେମିତି ଅନଶନରେ ବସି ରହିବେ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି |

Leave a Reply

Your email address will not be published. Required fields are marked *