ଦୁର୍ଗାପୂଜାରେ ଇକୋ ଫ୍ରେଣ୍ଡଲି ତୋରଣ ଆକର୍ଷଣର କେନ୍ଦ୍ର ହେବା ସହ ଶୃଙ୍ଖଳିତ ଦର୍ଶନ ଆମ ପାଇଁ ଆହ୍ବାନ ହେବ : ଶହୀଦ ନଗର ଦୁର୍ଗା ପୂଜା ସମିତି
ଆସନ୍ତା ଦୁର୍ଗା ପୂଜା ଅବସରରେ ଆଜି ସହିଦନଗର ଦୁର୍ଗାପୂଜା ସମିତି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା ।
ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିବା ସମିତିର ସଭାପତି ହେମନ୍ତ ପରିଡ଼ା, ସମ୍ପାଦକ ସଚି ନନ୍ଦନ ନାୟକ, ମୁଖ୍ୟ ଉପଦେଷ୍ଟା ମନୋରଞ୍ଜନ ଦାଶ, ଉପସଭାପତି ଚନ୍ଦନ ପାଲିତ, ଅଚ୍ୟୁତାନନ୍ଦ ବେହେରା, ସରୋଜ ପାତ୍ର, ସ୍ଥାନୀୟ କର୍ପୋରେଟର ରାଜକିଶୋର ଦାସ ପ୍ରମୁଖ ସୂଚନା ପ୍ରଦାନ କରି କହିଥିଲେ କି ଦୀର୍ଘ ୪୬ ବର୍ଷରେ ପଦାର୍ପଣ କରିଥିବା ସହିଦ ନଗର ଦୂର୍ଗାପୂଜା ସମିତି ପକ୍ଷରୁ ଚଳିତ ବର୍ଷ ପୂଜାରେ ପରିବେଶ ଅନୁକୂଳ (Eco-friendly) ପ୍ଲାଷ୍ଟିକ ମୁକ୍ତ ସୁସଜ୍ଜିତ ତୋରଣ ହେବ । ତୋରଣର ଉଚ୍ଚତା ପ୍ରାୟ ୮୫ ଫୁଟ ଓ ଦୈର୍ଘ୍ୟ ୧୨୦ ଫୁଟ ତୋରଣଟି ସଂପୂର୍ଣ୍ଣ ନୂଆ । ଏହା କୌଣସି କପି ନୁହେଁ । ଏହାକୁ ଆମର ଯୁବ ସଭ୍ୟମାନେ ଡ୍ରଇଂ କରି ଏକ କାଳ୍ପନିକ ତୋରଣର ପରିକଳ୍ପନା ଦେଇଛନ୍ତି । ଏହାକୁ ନିର୍ମାଣ କରିବାପାଇଁ ୫୦ ରୁ ଉର୍ଦ୍ଧ୍ୱ କାରିଗର ଦିନରାତି କାମ କରୁଛନ୍ତି । ଏହି କାରିଗର ସବୁ କଲିକତାରୁ ଆସିଛନ୍ତି । ପ୍ରାୟ ଶ୍ରୀ ଗଣେଶ ଚତୁର୍ଥୀରୁ ତୋରଣ କାର୍ଯ୍ୟ ଆରମ୍ଭ ହେଲାଣି । ସେହିଭଳି ଆଲୋକ ସାଜସଜା ପାଇଁ (light Decorator) ମଧ୍ୟ କଲିକତାରୁ କାରିଗର ଅଣାଯାଇଅଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ଦୁର୍ଗା ମା ଚାନ୍ଦ ମେଢ଼ ଓ ସୁନା ମୁକୁଟ, ସୁନା ଅଳଙ୍କାର ଓ ରୂପା ଅଳଙ୍କାରରେ ସୁସଜ୍ଜିତ ହେବେ । ଯେଉଁଥିରେ କି ୩ କେଜି ସୁନା ଏବଂ ୧୬୦ କେଜି ରୂପା ଅଳଙ୍କାର ବ୍ୟବହାର କରାଯିବ । ଏହି ବର୍ଷ ସମିତି ନିଷ୍ପତି ନେଇଛି କି ମା’ଙ୍କ ପୂଜାକୁ ଅଧିକ ପ୍ରାଧାନ୍ୟ ଦିଆଯିବ । ସବୁ ପୂଜା ସାମଗ୍ରୀ ଠାରୁ ଆରମ୍ଭ କରି ପୂଜା ଉପଚାର, ଭୋଗ, ଅତି ନିଷ୍ଠାପରତା ସହିତ ହେବ ବୋଲି ସମିତି ନିଷ୍ପତି କରିଛି | ତାହା ସହିତ ସବୁଠୁ ଅଧିକ ପ୍ରାଧାନ୍ୟ ଦିଆଯାଉଛି ଶ୍ରଦ୍ଧାଳୁଙ୍କ ଦର୍ଶନ, ଏହି ନିମନ୍ତେ ବୟସ୍କ, ମହିଳା ଓ ଦିବ୍ୟାଙ୍ଗ (Disable) ମାନେ କିପରି ଭଲରେ ଦର୍ଶନ କରିପାରିବେ ତାହା ଉପରେ ବିଶେଷ ଧ୍ୟାନ ଦିଆଯାଇଅଛି । ଆମେ ଆଶା କରୁଛୁ ଏହି ତୋରଣଟି ନିଶ୍ଚିତ ସମସ୍ତଙ୍କର ପସନ୍ଦ ହେବ ଓ ସମସ୍ତ ଶ୍ରଦ୍ଧାଳୁ ଭଲରେ ଆସି ଶୃଙ୍ଖଳାର ସହ ମା’ଙ୍କ ଦର୍ଶନ କରନ୍ତୁ । ଏହି ବର୍ଷ ସମୁହ ଭସାଣୀରେ ସହିଦନଗର ସମିତି ତରଫରୁ ସବୁ ପାରମ୍ପରିକ ବାଦ୍ୟ ସହ ନାସିକ ଢୋଲ ବାଜା ମୁଖ୍ୟ ଆକର୍ଷଣ ହେବ । ପାଖାପାଖୁ ୩୦ ଟି ମେଢ଼ର ମିଳନ ହେବ । ଜନସାଧାରଣଙ୍କ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ୧୦୦ ରୁ ଉର୍ଦ୍ଧ୍ବ ମହିଳା ଓ ପୁରୁଷ ସ୍ଵେଚ୍ଛାସେବୀ ଓ କର୍ମକର୍ତା ନିୟୋଜିତ କରାଯିବ ଓ ସିସିଟିଭିର ପର୍ଯ୍ୟାପ୍ତ ବ୍ୟବସ୍ଥା କରାଯାଇଛି । ଶ୍ରଦ୍ଧାଳୁ ଏବଂ ମାଙ୍କ ଭକ୍ତଙ୍କ ମନୋରଞ୍ଜନ ପାଇଁ ମଣ୍ଡପ ପଛପାଖ ପଡ଼ିଆରେ ଷଷ୍ଠୀରୁ ଦଶମୀ ପର୍ଯ୍ୟନ୍ତ ଭଜନ ସଂଧାର କାର୍ଯ୍ୟକ୍ରମ ସ୍ଥିର କରାଯାଇଛି ଓ ପିଲମାନଙ୍କ ପାଇଁ ସବୁଠୁ ବଡ଼ ଦୋଳି, ଛୋଟଦୋଳି ଏବଂ ମୀନାବଜାରର ଆୟୋଜନ କରାଯାଇଅଛି । ଏହି ଅବସରରେ ଉପସ୍ଥିତ ସମିତି ନେତୃବୃନ୍ଦଙ୍କ ଦ୍ଵାରା ଚଳିତ ବର୍ଷ ଶୋଭା ପାଇବାକୁ ଥିବା କାଳ୍ପନିକ ତୋରଣର ଚିତ୍ରକୁ ଉନ୍ମୋଚନ କରାଯାଇଥିଲା । ଯେହେତୁ ଅନୁଷ୍ଠାନ ତରଫରୁ ଏକ ଭିନ୍ନ ଧରଣର ନିଜସ୍ଵ କାଳ୍ପନିକ ତୋରଣ କରାଯାଇଛି ଯାହା କି କାହାର ଅନୁକରଣ କରାଯାଇ ନାହିଁ । ଏହା ସବୁଠାରୁ ଭିନ୍ନ ବୋଲି ପ୍ରକାଶ କରିଛନ୍ତି ନେତୃମଣ୍ଡଳୀ । ଶେଷରେ ସମସ୍ତଙ୍କୁ ଆପଣ ମାନଙ୍କ ମାଧ୍ୟମରେ କହିବାକୁ ଚାହୁଁଛି କି ଦୟାକରି ମା’ଙ୍କ ଦର୍ଶନ ଭଲରେ କରନ୍ତୁ ଓ ପରିବେଶକୁ ସୁରକ୍ଷିତ ରଖନ୍ତୁ। ପୋଲିସ ପ୍ରଶାସନ, ଭୁବନେଶ୍ଵର ମହାନଗର ନିଗମ (BMC) ପୂର୍ଣ ବିଭାଗ, ଅଗ୍ନିଶମ ବିଭାଗ, ବିଦ୍ୟୁତ ଯୋଗାଣ (TPCODL) ବିଭାଗ, ଜଳଯୋଗାଣ (WATCO) ବିଭାଗ, ସାଧାରଣ ପ୍ରଶାସନ (G.A) ବିଭାଗ ଓ ଗଣମାଧ୍ୟମର ପ୍ରତିନିଧ୍ଵ ଓ ତାଙ୍କର ସମସ୍ତ କର୍ମକର୍ତା ଆମକୁ ସାହାଯ୍ୟ ସହଯୋଗ କରିଥିବାରୁ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହିତ ଚଳିତ ବର୍ଷ ବି ସେହିପରି ସେମାନଙ୍କ ଠାରୁ ସାହାଯ୍ୟ ଓ ସହଯୋଗ ପାଇବା ପାଇଁ ଆଶାପୋଷଣ ରଖୁଛନ୍ତି ସମିତିର କର୍ମକର୍ତା ଗଣ । ଆଜିର ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ସମିତିର ସାଧାରଣ ସମ୍ପାଦକ ହରିଷ ପ୍ରସାଦ ରଥ,ଯୁଗ୍ମ ସମ୍ପାଦକ ବିଶ୍ୱ ପ୍ରସାଦ ମହାନ୍ତି,ମହେନ୍ଦ୍ର ତ୍ରିପାଠୀ, ବିଶ୍ୱ ପ୍ରକାଶ ରାୟ, କୋଷାଧ୍ୟକ୍ଷ ଗୋପାଳ ଚନ୍ଦ୍ର ମହାନ୍ତି,ସହ କୋଷାଧ୍ୟକ୍ଷ ଦିଲ୍ଲୀପ କୁମାର ମଲ୍ଲିକ,ସୁଦର୍ଶନ ସାହୁ,ସୁଧୀର ଶତପଥି,ଲିପା,ସୋନୁ,ଶାନ୍ତନୁ,ହାପି,ଶିନୁ, ସୁବ୍ରତ,ରାଜା ଆଶିଷ ମହାପାତ୍ର ପ୍ରମୁଖ ସହିଦ ନଗର ଦୂର୍ଗାପୂଜାର ସମିତିର କର୍ମକର୍ତା ଉପସ୍ଥିତ ଥିଲେ ।
