ମାର୍କିନ ଗାୟିକାଙ୍କ ବିସ୍ଫୋରକ ବୟାନ: ମୋଦୀ ସରକାରକୁ ଅସ୍ଥିର କରିବାକୁ ଅଭିଜିତ୍ ଦୀପ୍କେଙ୍କୁ ଆମେରିକାରୁ ପାଣ୍ଠି ମିଳୁଛି
ନୂଆଦିଲ୍ଲୀ:କକ୍ରୋଚ ଜନତା ପାର୍ଟି (ସିଜେପି) ଦ୍ବାରା ସିଇସି ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଚାଲିଥିବା ଆନ୍ଦୋଳନକୁ ନେଇ ଆମେରିକୀୟ ଗାୟିକା ମ୍ୟାରୀ ମିଲବେନ୍ ବିସ୍ଫୋରକ ବୟାନ ରଖିଛନ୍ତି। ମିଲବେନ୍ ଅଭିଯୋଗ କରିଛନ୍ତି ଯେ, ଆମେରିକାର ଅନେକ ଦାତା ଅଭିଜିତ୍ ଦୀପକେ ଓ ସିଜେପିକୁ ପାଣ୍ଠି ଯୋଗାଇ ଦେଉଛନ୍ତି। ସେ କହିଛନ୍ତି ଯେ, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ କାମ କରୁଥିବା ଦାତାମାନେ ତାଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି।
ତେବେ ମିଲବେନ୍ କୌଣସି ଦାତାଙ୍କ ନାମ ନେଇ ନାହାନ୍ତି। ଆମେରିକୀୟ ଗାୟିକ ଲେଖିଛନ୍ତି, ଭାରତର ସମସ୍ତ ଯୁବ ଦେଶପ୍ରେମୀଙ୍କ ପାଇଁ ଏହା ଚୁପ୍ ରହିବାର ସମୟ ନୁହେଁ। ପ୍ରଧାନମନ୍ତ୍ରୀ ମୋଦୀ ୨୫ ବର୍ଷ ଧରି ଭାରତ ସେବା କରିଛନ୍ତି, ୧୨ ବର୍ଷ ଧରି ପ୍ରଧାନମନ୍ତ୍ରୀ ଅଛନ୍ତି ଓ ଲଗାତାର ତିନିଥର ନିର୍ବାଚିତ ହୋଇଛନ୍ତି, ମୋ ଦେଶର ବିଶୃଙ୍ଖଳିତ ଶକ୍ତି ଆଗରେ ମୁଣ୍ଡ ନୁଆଁଇବେ ନାହିଁ।
ଦାତାମାନଙ୍କର ମୁଖ୍ୟ ଲକ୍ଷ୍ୟ ସାରା ବିଶ୍ୱରେ ରକ୍ଷଣଶୀଳ ନେତାମାନଙ୍କୁ ଟାର୍ଗେଟ କରିବା। ଆମେରିକାରେ ପଢ଼ୁଥିବା ସମ୍ପୃକ୍ତ ଦେଶର ଯୁବକମାନଙ୍କୁ ଖୋଜିବା ଓ ସେମାନଙ୍କ ଭିତରେ ମୌଳବାଦୀ ଚିନ୍ତାଧାରା ଭରିବା ଓ ସେମାନଙ୍କ ଦେଶରେ ବିନାଶ ଘଟାଇବା ପାଇଁ ପାଣ୍ଠି ଯୋଗାଇବା ଦିଗରେ କାର୍ଯ୍ୟ କରୁଛନ୍ତି। ସେହି ଦାତାମାନେ କେବେ ସଫଳ ହୋଇନାହାନ୍ତି, କିନ୍ତୁ ସେମାନେ ଦେଶର ବିକାଶ ଓ ଶାସନକୁ ପ୍ରଭାବିତ କରିଥାନ୍ତି।
କେଉଁଠୁ ପାଣ୍ଠି ଆଣୁଥିବା ବିଷୟରେ ପ୍ରଶ୍ନ
ତେବେ ମୁମ୍ବାଇରେ ଏକ ସାମ୍ବାଦିକ ସମ୍ମିଳନୀ ସମୟରେ ଦୀପ୍କେଙ୍କୁ ସେ କେଉଁଠୁ ପାଣ୍ଠି ଆଣୁଥିବା ବିଷୟରେ ପ୍ରଶ୍ନ କରାଯାଇଥିଲା। ସେ କହିଥିଲେ, ଏପରି ମନେ ହେଉଛି ଯେ, ଯଦି ମୁଁ ଆମକୁ ମିଳୁଥିବା ପାଣ୍ଠିକୁ ସାର୍ବଜନୀନ ଭାବରେ ପ୍ରକାଶ କରେ ତେବେ ନିର୍ବାଚନ ଠିକ୍ ହୋଇଯିବ। ମୁଁ ଦୁଃଖିତ, କିନ୍ତୁ ପ୍ରଶ୍ନରେ ଯୁକ୍ତିର ଅଭାବ ଅଛି। ନିର୍ବାଚନ କମିସନରେ ଚାଲିଥିବା ଦୁର୍ନୀତି ସହିତ ଆମର ପାଣ୍ଠିର କ’ଣ ସମ୍ପର୍କ ରହିଛି?
ଦେଶପ୍ରେମାତ୍ମକ ପ୍ରଦର୍ଶନ ପାଇଁ ଜଣାଶୁଣା ମିଲବେନ ୨୦୨୨ ମସିହାରେ ଭାରତର ୭୫ତମ ସ୍ୱାଧୀନତା ଦିବସ ପାଳନ ସମୟରେ ଚର୍ଚ୍ଚାକୁ ଆସିଥିଲେ। ଗୋଟିଏ ବର୍ଷ ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆମେରିକା ଗସ୍ତ ସମୟରେ ସେ ଭାରତର ଜାତୀୟ ସଙ୍ଗୀତ ପରିବେଷଣ କରିଥିଲେ।