ସାଧାରଣବର୍ଗଙ୍କ ଉପରେ ସରକାରୀ ନିର୍ଯ୍ୟାତନା : ଆସନ୍ତା ୧୯ ରେ ରାଜଧାନୀରେ ବିଶାଳ ପ୍ରତିବାଦ ସଭା

ଭୁବନେଶ୍ୱର : ସାଧାରଣବର୍ଗଙ୍କ ଉପରେ ସରକାରୀ ବ୍ୟବସ୍ଥାର ନିର୍ଯ୍ୟାତନା ସୀମା ଟପିଲାଣି | ସାମାଜିକ ସମାନତାର କଥା କହୁଥିବା ସରକାରୀ ବ୍ୟବସ୍ଥା ହିଁ ଅସମାନତା ମାନସିକତାର ପୃଷ୍ଠପୋଷକ ସାଜିଛି | ଗୋଟିଏ ଗୋଷ୍ଠୀକୁ ନ୍ୟାୟ ଦେବାପାଇଁ ଅନ୍ୟ ଉପରେ ଅନ୍ୟାୟ କରିଚାଲିଛି | ଟ୍ୟାକ୍ସ ବ୍ୟବସ୍ଥାରେ ସମସ୍ତେ ସମାନ ହେଲେ ସୁବିଧା ପାଇବାରେ ଭୟଙ୍କର ପାତରଅନ୍ତର |

ଜାତିଭିତ୍ତିକ ସଂରକ୍ଷଣ ମୂଳତଃ ସାମାଜିକ ଅସମାନତା ଦୂର କରିବା ପାଇଁ ହୋଇଥିଲେ ହେଁ, ଏହାର ଦୀର୍ଘକାଳୀନ ପ୍ରୟୋଗ ଯୋଗୁଁ ଅନେକ ସ୍ଥଳରେ ଯୋଗ୍ୟତା ଅପେକ୍ଷା ଜାତି ପ୍ରାଧାନ୍ୟ ପାଇଛି। ଏହି ମେଧାବୀଙ୍କ ପ୍ରତି ହତାଦର ଭବିଷ୍ୟତର ପ୍ରତିଭାକୁ ନିରୁତ୍ସାହିତ କରେ। ତୁଷ୍ଟିକରଣ ନୀତି ନାମରେ ଅର୍ଥ, ସମ୍ବଳ ଓ ସରକାରୀ ସୁବିଧା କେବଳ କେତେକ ସମ୍ପ୍ରଦାୟକୁ ଦିଆଯାଏ, ଯାହା ସାମାଜିକ ସଂହତି ବଦଳରେ ବିଭାଜନକୁ ବଢ଼ାଏ। ଜାତିଭିତ୍ତିକ ସଂରକ୍ଷଣ ଓ ୟୁଜିସି ଆଇନ ପରି ବିଭାଜନକାରି ବ୍ୟବସ୍ଥା ଆମ ସାମାଜିକ ଏକତା ଉପରେ ଏକ କୁଠାରଘାତ ସଦୃଶ |

ଲୋକତନ୍ତ୍ରର ମୂଳମନ୍ତ୍ର ହେଉଛି ସମସ୍ତଙ୍କୁ ସମାନ ସୁଯୋଗ, ମେଧାର ସ୍ୱୀକୃତି ଓ କୌଣସି ବର୍ଗ କିମ୍ବା ସମ୍ପ୍ରଦାୟ ପ୍ରତି ପକ୍ଷପାତୀତା ନୁହେଁ ବୋଲି ଆଜି ଏଠାରେ ଆୟୋଜିତ ସାଧାରଣବର୍ଗ ସମ୍ମିଳନୀରେ ମତ ପ୍ରକାଶ ପାଇଛି | ଭୁବନେଶ୍ୱର ଠାରେ ଆୟୋଜିତ ଏହି ସମାବେଶରେ ସାଧାରଣବର୍ଗର ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ, ଅବସରପ୍ରାପ୍ତ କର୍ମଚାରୀ ମାନେ ଏକାଠି ହୋଇଥିଲେ |

ଆସନ୍ତା ୧୯ ତାରିଖ ରବିବାର ଦିନ ରାଜଧାନୀରେ ଏକ ବିଶାଳ ପ୍ରତିବାଦ ସଭା ଆୟୋଜନ କରାଯିବା ସହ ଆଗାମୀ ଦିନରେ କିଭଳି ଏହି ସମସ୍ୟାର ମୁକାବିଲା କରାଯାଇ ସମାଜରେ ପ୍ରକୃତ ସମାନତା ଓ ନ୍ୟାୟ ପ୍ରତିଷ୍ଠା ହେବ ସେ ନେଇ କାର୍ଯ୍ୟପନ୍ଥା ନିର୍ଧାରଣ କରାଯିବ ବୋଲି ନିଷ୍ପଟି ହୋଇଥିଲା |

Leave a Reply

Your email address will not be published. Required fields are marked *