ପୁରୀ ଜିଲ୍ଲା ଅସ୍ତରଙ୍ଗ ଦେବୀ ମୁହାଣ ନିଷିଦ୍ଧାଞ୍ଚଳରୁ ବେଆଇନ୍ ଭାବେ ମାଛ ମାରୁଥିବା ବେଳେ ୪ଟି ଟ୍ରଲର ଜବତ

କୋଣାର୍କ : ପୁରୀ ଜିଲ୍ଲା ଅସ୍ତରଙ୍ଗ ଦେବୀ ମୁହାଣ ନିଷିଦ୍ଧାଞ୍ଚଳରୁ ବେଆଇନ୍ ଭାବେ ମାଛ ମାରୁଥିବା ବେଳେ ୪ଟି ଟ୍ରଲରକୁ ଜବତ କରାଯିବା ସହିତ ଏଥିରେ ଥିବା ୩୨ଜଣ କର୍ମଚାରୀଙ୍କୁ ଅଟକ ରଖାଯାଇଛି। ସାମୁଦ୍ରିକ ମତ୍ସ୍ୟବିଭାଗ ଉପ ନିର୍ଦ୍ଦେଶକ ବସନ୍ତ ଦାସଙ୍କ ନେତୃତ୍ୱରେ ତଟରକ୍ଷୀ ବାହିନୀ, ବନବିଭାଗ ଓ କୋଷ୍ଟଗାର୍ଡ ଯବାନ ଗତକାଲି ମିଳିତ ଭାବେ ଚଢ଼ାଉ କରି ଏହି ଟ୍ରଲର ଗୁଡ଼ିକୁ ଜବତ କରିଥିବା ଜଣାଯାଇଛି।

ଜବତ ଟ୍ରଲର ଗୁଡ଼ିକ ମଧ୍ୟରୁ ୩ଟି ପାରାଦୀପ ଅଞ୍ଚଳର ହୋଇଥିବା ବେଳେ ଗୋଟିଏ ବାଲେଶ୍ୱର ଅଞ୍ଚଳର ବୋଲି ଜଣାପଡ଼ିଛି। ଜବତ ଟ୍ରଲର ଗୁଡିକୁ ସମୁଦ୍ରରୁ ଅସ୍ତରଙ୍ଗ ନୂଆଗଡ଼ ଜେଟିକୁ ଅଣାଯିବା ପରେ କାଗଜପତ୍ର ଯାଞ୍ଚ କରାଯାଇଛି।
ସୂଚନା ଅନୁସାରେ, ପୁରୀ ଜିଲ୍ଲା ଉପକୂଳରେ ଅଲିଭ ରିଡଲେଙ୍କ ସୁରକ୍ଷିତ ଆଗମନ, ଅଣ୍ଡାଦାନ ଓ ପ୍ରଜନନ ପାଇଁ ସମୁଦ୍ର କୂଳରୁ ୫ କିଲୋମିଟର ଓ ଦେବୀ ମୁହାଣର ୧୦ କିଲୋମିଟର ମଧ୍ୟରେ ଯନ୍ତ୍ରଚାଳିତ ଡଙ୍ଗାରେ ମାଛ ମାରିବା ଉପରେ କଟକଣା ଜାରି କରାଯାଇଛି। ଏହା ସ୍ୱତ୍ତେ ଏହି ଟ୍ରଲର ଗୁଡ଼ିକ ନିଷିଦ୍ଧାଞ୍ଚଳକୁ ଯାଇ ମାଛ ଧରୁଥିଲେ।

ଓଡ଼ିଶା ସାମୁଦ୍ରିକ ମତ୍ସ୍ୟ ଆଇନ ଅନୁଯାୟୀ ଜବତ ଟ୍ରଲର ଦ୍ୱାରା ଧରାଯାଇଥିବା ମାଛର ନିଲାମ ମୂଲ୍ୟର ୫ଗୁଣା ଫାଇନ ସମ୍ପୃକ୍ତ ଟ୍ରଲର ମାଲିକଙ୍କ ଠାରୁ ଆଦାୟ କରାଯିବ।

ସାମୁଦ୍ରିକ ମତ୍ସ୍ୟବିଭାଗ ଉପ ନିର୍ଦ୍ଦେଶକ ବସନ୍ତ ଦାସ କହିଛନ୍ତି, ବନବିଭାଗ ଓ କୋଷ୍ଟଗାର୍ଡ ଯବାନ ପାଟ୍ରୋଲିଂ କରୁଥିବା ବେଳେ ଅସ୍ତରଙ୍ଗ ଦେବୀ ମୁହାଣରେ ୨୦ଟି ଟ୍ରଲର ମାଛ ଧରୁଥିବା ସେମାନେ ଦେଖଥିଲେ। ଏନେଇ ସେମାନେ ମୋତେ ଫୋନ୍‌ କରିଥିଲେ। ମୁଁ ଘଟଣାସ୍ଥଳରେ ପହଞ୍ଚିବା ପରେ ବନବିଭାଗ, କୋଷ୍ଟଗାର୍ଡ ଯବାନ ଓ ତଟ ରକ୍ଷା ବାହିନୀର ମିଳିତ ଉଦ୍ୟମରେ ୪ଟି ଟ୍ରଲର ଜବତ କରାଯାଇଥିଲା। ଆଇନ ଅନୁସାରେ ସେମାନଙ୍କ ବିରୋଧରେ କାର୍ଯ୍ୟାନଷ୍ଠାନ ଗ୍ରହଣ କରାଯିବ।

Leave a Reply

Your email address will not be published. Required fields are marked *