କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଗ୍ରହଣ କଲେ ଗାୟତ୍ରୀବାଳା ପଣ୍ଡା

ଭୁବନେଶ୍ବର: ବିଶିଷ୍ଟ ଓଡ଼ିଆ କବି ଡ. ଗାୟତ୍ରୀବାଳା ପଣ୍ଡାଙ୍କୁ ମିଳିଛି ୨୦୨୨ ବର୍ଷ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର। ‘ଦୟାନଦୀ’ ପୁସ୍ତକ ପାଇଁ ନୂଆଦିଲ୍ଲୀରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ଉତ୍ସବରେ କେନ୍ଦ୍ର ସାହିତ୍ୟ ଏକାଡେମୀ ନବନିର୍ବାଚିତ ସଭାପତି ମାଧବ କୌଶିକ ଡ଼. ପଣ୍ଡାଙ୍କୁ ପୁରସ୍କାର ସ୍ୱରୂପ ୧ଲକ୍ଷ ଟଙ୍କାର ଅର୍ଥରାଶି ଓ ତାମ୍ର ଫଳକ ପ୍ରଦାନ କରିଛନ୍ତି। ଏହି ଅବସରରେ ମୁଖ୍ୟ ଅତିଥି ତଥା ବିଶିଷ୍ଟ ଲେଖକ ଉପମନ୍ୟୁ ଚାଟାର୍ଜୀ, କେନ୍ଦ୍ର ସାହିତ୍ୟ ଏକାଡେମୀ ସଚିବ କେ. ଶ୍ରୀନିବାସ ରାଓ ଓ ଏକାଡେମୀର ଉପସଭାପତି ବିଶିଷ୍ଟ ସାହିତ୍ୟିକା କୁମୁଦ ଶର୍ମା ମଞ୍ଚରେ ଉପସ୍ଥିତ ଥିଲେ। ଏହାସହିତ କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ୬ଦିନିଆ ସାହିତ୍ୟ ଉତ୍ସବ ‘ଫେଷ୍ଟିଭାଲ୍‌‌ ଅଫ୍‌‌ ଲେଟର୍‌‌’ ଉତ୍ସବ ଆରମ୍ଭ ହୋଇଛି। ଗଣମାଧ୍ୟମ ସହ ପୁରସ୍କାର ବିଜେତାଙ୍କ ଆଲୋଚନା କାଳରେ ଡ଼.ପଣ୍ଡା ତାଙ୍କର କବିତା ସଂକଳନ ‘ଦୟାନଦୀ’ ପୁସ୍ତକ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଛନ୍ତି। ‘ଦୟାନଦୀ’ର କବିତା ସବୁ ଇତିହାସର କୌଣସି ତାତ୍ତ୍ବିକ ଆଲୋଚନା ବା କାବ୍ୟରୂପ ନୁହେଁ; ଏହା ଇତିହାସ ନଦୀରେ ନୌଯାତ୍ରାର କାବ୍ୟିକ ସମ୍ବେଦନା। କଳିଙ୍ଗ ଯୁଦ୍ଧର ଏକମାତ୍ର ସାକ୍ଷୀ ହେଉଛି ଦୟାନଦୀ ଏବେବି ରହିଛି। ଶାନ୍ତି, ପ୍ରୀତି ଓ ମୈତ୍ରୀର ଜୟଗାନ କରୁଛି ବୋଲି କହିଛନ୍ତି ଗାୟତ୍ରୀବାଳା।

ପୂର୍ବରୁ ଗାୟତ୍ରୀବାଳା ୨୦୧୧ରେ କବିତା ସଂକଳନ ‘ଗାଁ’ ପାଇଁ ପ୍ରଥମେ କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ପାଇଥିଲେ। ଏବେ ଏହି ପୁରସ୍କାର ପାଇ କେନ୍ଦ୍ର ସାହିତ୍ୟ ଏକାଡେମୀର ଦୁଇଟି ବର୍ଗରେ ପୁରସ୍କାର ପାଇବାରେ ଗାୟତ୍ରୀବାଳା ପ୍ରଥମ ଭାରତୀୟ କବିର ମାନ୍ୟତା ପାଇଛନ୍ତି। ଏହାବ୍ୟତୀତ ସେ ବହୁ ପୁରସ୍କାର ଓ ସମ୍ମାନରେ ସମ୍ମାନିତ ହୋଇଛନ୍ତି।

Leave a Reply

Your email address will not be published. Required fields are marked *