ଭାରତର ଦ୍ୱିତୀୟ ସିଡିଏସ୍‌ ଭାବେ ଦାୟିତ୍ୱ ନେଲେ ଜେନେରାଲ ଅନୀଲ ଚୌହାନ

ନୂଆଦିଲ୍ଲୀ: ଭାରତର ଦ୍ୱିତୀୟ ସିଡିଏସ୍‌ ଭାବେ ଶୁକ୍ରବାର ଜେନେରାଲ ଅନୀଲ ଚୌହାନ ଦାୟିତ୍ୱ ଗ୍ରହଣ କରିଛନ୍ତି। ଜେନେରାଲ ଚୌହାନ ୩ ସେନାର ମୁଖ୍ୟ ଭାବେ କାମ କରିବେ। ଦାୟିତ୍ୱ ନେବା ପରେ ୩ ସେନା ସମସ୍ତ ପ୍ରକାରର ଚ୍ୟାଲେଞ୍ଜର ମୁକାବିଲା କରିବେ ଓ ମିଳିତ ଭାବେ ସବୁ ସମସ୍ୟାର ସାମାଧାନ କରାଯିବ ବୋଲି ଜେନେନାଲ ଚୌହାନ କହିଛନ୍ତି।

ସିଡିଏସ୍‌ ଜେନେରାଲ ଅନୀଲ ଚୌହାନ ହେଉଛନ୍ତି ଇଷ୍ଟର୍ଣ୍ଣ ଆର୍ମିର ପୂର୍ବତନ କମାଣ୍ଡର। ଦେଶର ପ୍ରଥମ ସିଡିଏସ୍‌ ଜେନେରାଲ ବିପିନ ରାୱତ ହେଲିକପ୍ଟର କ୍ରାଶରେ ପ୍ରାଣ ହରାଇବାର ପ୍ରାୟ ୯ ମାସ ପରେ ସେ ଏହି ପଦ ପାଇଛନ୍ତି।

ଜେନେରାଲ ଚୌହାନ କହିଛନ୍ତି, “ମୁଁ ୩ ସେନା ବାହିନୀର ସମସ୍ତ ଆଶାକୁ ପୂରଣ କରିବାକୁ ଚେଷ୍ଟା କରିବି। ଆମେ ସମସ୍ତ ପ୍ରକାରର ଚ୍ୟାଲେଞ୍ଜ ଓ ସମସ୍ୟାକୁ ମିଳିତ ଭାବେ ମୁକାବିଲା କରିବୁ।”

ଆଗାମୀ ଦିନରେ ଆସିବାକୁ ଥିବା ସମ୍ଭାବ୍ୟ ଚ୍ୟାଲେଞ୍ଜର ମୁକାବିଲା ପାଇଁ ସ୍ୱତନ୍ତ୍ର ଯୋଜନାର ଦାୟିତ୍ୱ ସିଡିଏସ୍‌ ଚୌହାନଙ୍କ ଉପରେ ରହିଛି। ଏହି ଯୋଜନା ବଳରେ ଥିଏଟର କମାଣ୍ଡସ ଗଠନ କରାଯିବ। ପ୍ରତି ଥିଏଟର କମାଣ୍ଡସରେ ଆର୍ମି, ନୌସେନା ଓ ବାୟୁସେନାର ୟୁନିଟ ରହିବେ। ଏମାନେ ମିଳିତ ଭାବେ ନିର୍ଦ୍ଦିଷ୍ଟ ଭୌଗଳିକ ଅଞ୍ଚଳରେ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଥିବା ଚ୍ୟାଲେଞ୍ଜର ମୁକାବିଲା କରିବେ। ଜଣେ ଅପରେସନାଲ କମାଣ୍ଡରଙ୍କ ଅଧୀନରେ ଏମାନେ କାମ କରିବେ। ଏହାକୁ କାର୍ଯ୍ୟକାରୀ କରିବାର ଗୁରୁଦାୟିତ୍ୱ ସିଡିଏସ୍‌ଙ୍କ ଉପରେ ରହିଛି।

ସିଡିଏ ଜେନେରାଲ ଚୌହାନ ଗତବର୍ଷ ମେ’ ୩୧ରେ ସେନା ବାହିନୀରୁ ଅବସର ନେଇଥିଲେ। ଅବସର ସମୟରେ ସେ ଇଷ୍ଟର୍ଣ୍ଣ ଆର୍ମିର କମାଣ୍ଡର ରହିଥିଲେ। ଅବସର ପରେ ସେ ଏନଏସ୍‌ସିଏସ୍‌ରେ ମିଲିଟାରୀ ପରାମର୍ଶଦାତା ଭାବେ ଯୋଗ ଦେଇଥିଲେ। ଏହାର ମୁଖ୍ୟ ହେଉଛନ୍ତି ଏନଏସ୍‌ଏ ଅଜିତ ଡୋଭାଲ।

ଆଜି ସିଡିଏସ ଭାବେ ଦାୟିତ୍ୱ ନେବା ପୂର୍ବରୁ ବୀରଗତି ପ୍ରାପ୍ତ କରିଥିବା ଦେଶର ଯବାନଙ୍କୁ ଜେନେରାଲ ଚୌହାନ ଇଣ୍ଡିଆ ଗେଟ କମ୍ପ୍ଲେକ୍ସରେ ଥିବା ଜାତୀୟ ଯୁଦ୍ଧ ସ୍ମାରକୀ ନିକଟକୁ ଯାଇ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ତାଙ୍କୁ ରାଇସିନା ହିଲ୍ସର ସାଉଥ ବ୍ଲକରେ ଥିବା ଲନ୍‌ରେ ୩ ସେନା ପକ୍ଷରୁ ଗାର୍ଡ ଅଫ ଅନର ଦିଆଯାଇଥିଲା।

୧୯୬୧ ମସିହା ମେ’ ୧୮ରେ ଜନ୍ମ ଗ୍ରହଣ କରିଥିବା ଜେନେରାଲ ଚୌହାନ ୧୯୮୧ରେ ଭାରତୀୟ ସେନାର ୧୧ ଗୋର୍ଖା ରାଇଫଲ୍ସରେ ଯୋଗଦେଇଥିଲେ। ଏହାପରେ ସେ ଏକାଧିକ ପଦପଦବୀରେ ରହି ଦେଶର ସେବା କରିଛନ୍ତି। ୨୦୧୯ ବାଲାକୋଟ ଏୟାରଷ୍ଟ୍ରାଇକ ସମୟରେ ସେ ଆର୍ମିର ଡିଜିଏମଓ ଭାବେ ଦାୟିତ୍ୱ ସଂପାଦନ କରିଥିଲେ। ଜେନେରାଲ ଚୌହାନ ପ୍ରଥମ ଅବସରପ୍ରାପ୍ତ ୩ ଷ୍ଟାର ଅଫିସର ଯିଏ ସେନା ବାହିନୀକୁ ୪ଷ୍ଟାର ଅଧିକାରୀ ଭାବେ କମବ୍ୟାକ କରିଛନ୍ତି।

Leave a Reply

Your email address will not be published. Required fields are marked *