ରାଜ୍ୟସଭା ସଦସ୍ୟ ଭାବେ ଶପଥ ନେଲେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର

ନୂଆଦିଲ୍ଲୀ: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଶୁକ୍ରବାର ରାଜ୍ୟସଭା ସଦସ୍ୟ ଭାବେ ଶପଥ ନେଇଛନ୍ତି। ରାଜ୍ୟସଭା ଅଧ୍ୟକ୍ଷ ସିପି ରାଧାକ୍ରିଷ୍ଣନ ତାଙ୍କ ପ୍ରକୋଷ୍ଠରେ ନୀତୀଶଙ୍କୁ ଶପଥ ପାଠ କରାଇଥିଲେ। ନୀତୀଶ ହିନ୍ଦୀରେ ଶପଥ ଗ୍ରହଣ କରିଥିଲେ। ତାଙ୍କ ନିକଟରେ କେନ୍ଦ୍ରମନ୍ତ୍ରୀ ତଥା ରାଜ୍ୟସଭାରେ ଗୃହର ନେତା ଜେପି ନଡ୍ଡା, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ଆଇନ ଓ ନ୍ୟାୟ ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଉପସ୍ଥିତ ଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଜେଡିୟୁ କାର୍ଯ୍ୟକାରୀ ଅଧ୍ୟକ୍ଷ ସଞ୍ଜୟ କୁମାର ଝା, କଂଗ୍ରେସ ନେତା ଜୟରାମ ରମେଶ, ବିଜେପି ନେତା ରାଜୀବ ପ୍ରତାପ ରୁଡି ପ୍ରମୁଖ ଉପସ୍ଥିତ ଥିଲେ। ନୀତୀଶ କୁମାର ରାଜ୍ୟସଭାରେ ଦାୟିତ୍ୱ ଗ୍ରହଣ କରିବା ସହିତ ବିହାର ମୁଖ୍ୟମନ୍ତ୍ରୀ ଭାବରେ ତାଙ୍କର କାର୍ଯ୍ୟକାଳ ଶେଷ ହେଉଛି। ଏନ୍‌ଡିଏ ଆସନ୍ତା ୧୪ ତାରିଖ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରିପାରେ।

ନୀତୀଶ କୁମାର ୨୦୦୫ ମସିହାରେ ପ୍ରଥମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ହୋଇଥିଲେ। ୧୯୮୫ ମସିହାରେ ବିଧାୟକ ଭାବରେ ନୀତୀଶ ତାଙ୍କର ରାଜନୈତିକ ଯାତ୍ରା ଆରମ୍ଭ କରି ରାଜ୍ୟର ସବୁଠାରୁ ଦୀର୍ଘକାଳୀନ ମୁଖ୍ୟମନ୍ତ୍ରୀ ହେବାର ଗୌରବ ହାସଲ କରିଥିଲେ। ଏଏନ୍‌ଆଇ ସୂତ୍ର ଅନୁଯାୟୀ, ଶୁକ୍ରବାର ବିହାର ଉପରେ ବିଜେପିର ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ନାଁ ପରେ ସହମତି ସୃଷ୍ଟି ହୋଇପାରେ। ତେବେ ବିହାରରେ ମନ୍ତ୍ରୀ ଥିବା ବିଜୟ କୁମାର ଚୌଧାରୀ କହିଛନ୍ତି, ନୀତୀଶ ରାଜ୍ୟସଭା ସଦସ୍ୟ ଭାବେ ଶପଥ ନେବା ପରେ ପାଟନା ଫେରିବେ ଓ ୨ରୁ ୪ ଦିନ ମଧ୍ୟରେ ବିହାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ।

Leave a Reply

Your email address will not be published. Required fields are marked *