ଗୀତା ପ୍ରେସ୍‌କୁ ମିଳିବ ଗାନ୍ଧି ଶାନ୍ତି ପୁରସ୍କାର, ସମ୍ମାନ ଗ୍ରହଣ କରିବାକୁ ରାଜି ହେଲେ, ପୁରସ୍କାର ବାବଦ କୋଟିଏ ଟଙ୍କା ଗ୍ରହଣ କରିବାକୁ ମନା କଲା ଗୀତା ପ୍ରେସ୍‌

ଗାନ୍ଧି ଶାନ୍ତି ପୁରସ୍କାର ନିମନ୍ତେ ଉତ୍ତରପ୍ରଦେଶର ଗୋରଖପୁରସ୍ଥିତ ଗୀତା ପ୍ରେସ୍‌କୁ ପୁରସ୍କୃତ କରାଯିବା ନିମନ୍ତେ ଘୋଷଣା ହେବା ପରଠୁ ଆରମ୍ଭ ହୋଇଛି ବିବାଦ । କେନ୍ଦ୍ର ସରକାର ଜାଣିଶୁଣି ହିନ୍ଦୁତ୍ୱକୁ ପ୍ରୋତ୍ସାହିତ କରି ଗୀତା ପ୍ରେସ୍‌ ନାମ ଘୋଷଣା କରିଥିବା କହି ବିଜେପିକୁ ଟାର୍ଗେଟ କରିଛି କଂଗ୍ରେସ। କଂଗ୍ରେସର ସମସ୍ତ ଅଭିଯୋଗର ମୁହଁତୋଡ଼ ଜବାବ ରଖିଛି ବିଜେପି। ଇତି ମଧ୍ୟରେ ରାଜନୀତି ତେଜୁଥିବା ବେଳେ ଗୀତା ପ୍ରେସ୍‌ ସମ୍ମାନ ଗ୍ରହଣ କରିବାକୁ ରାଜି ଥିବା ବେଳେ କୋଟିଏ ଟଙ୍କାର ପୁରସ୍କାର ରାଶି ଗ୍ରହଣ କରିବାକୁ ମନା କରି ଦେଇଛି।

୨୦୨୧ ମସିହା ପାଇଁ ଗାନ୍ଧି ଶାନ୍ତି ପୁରସ୍କାର ନିମନ୍ତେ ଗୀତା ପ୍ରେସ୍‌ ନାମ ଘୋଷଣା କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଏହି ପୁରସ୍କାର ଘୋଷଣା କରିଛନ୍ତି।

ଗତ ଶହେ ବର୍ଷ ମଧ୍ୟରେ ଗୀତ ପ୍ରେସ୍‌ ସମଗ୍ର ଦେଶରେ ଉଲ୍ଲେଖନୀୟ ସାମାଜିକ ଓ ସାଂସ୍କୃତିକ ପରିବର୍ତ୍ତନ ଆଣିବାରେ ସଫଳ ହୋଇଥିବାରୁ ଏହାର ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ। ଏଥିସହ ସମାଜ ପ୍ରତି ଉଲ୍ଲେଖନୀୟ ଅବଦାନ ନିମନ୍ତେ ଗୀତା ପ୍ରେସ୍‌କୁ ଏହି ପୁରସ୍କାର ପ୍ରଦାନ କରାଯାଉଥିବା କହି ଗତକାଲି ଟ୍ୱିଟ କରି ଅଭିନନ୍ଦନ ଜଣାଇଛନ୍ତି।

ତେବ ଗୀତା ପ୍ରେସ ପକ୍ଷରୁ ସମ୍ମାନ ଗ୍ରହଣ ନିମନ୍ତେ ସମ୍ମତି ପ୍ରକାଶ ପାଇଥିବା ବେଳେ ପୁରସ୍କାର ରାଶି ଗ୍ରହଣ ନିମନ୍ତେ କିନ୍ତୁ ସଫା ସଫା ମନା କରାଯାଇଛି।

ଗୀତା ପ୍ରେସ୍କୁ ଏହି ପୁରସ୍କାର ଘୋଷଣା ନିମନ୍ତେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ ତୀବ୍ର ସମାଲୋଚନା କରିଛନ୍ତି। ଏହି ପୁରସ୍କାର ହିନ୍ଦୁତ୍ୱ ବିଚାରଧାରାର ଭିଡି ସାବରକର ଓ ମହାତ୍ମା ଗାନ୍ଧିଙ୍କ ହତ୍ୟାକାରୀ ନାଥୁରାମ ଗଡସେଙ୍କୁ ପୁରସ୍କୃତ କରାଯିବା ପରି ଅନୁଭବ ହେଉଥିବା କହିଛନ୍ତି ଜୟରାମ ରମେଶ। ଏଥିସହ ସେ କହିଛନ୍ତି ଯେ, ମହାତ୍ମା ଗାନ୍ଧି ଓ ଗୀତା ପ୍ରେସ୍‌ର ପବ୍ଲିସରଙ୍କ ମଧ୍ୟରେ ସମ୍ପର୍କ ଠିକ୍‌ ନ ଥିବା ୨୦୧୫ ମସିହାରେ ସାମ୍ବାଦିକ ଅକ୍ଷୟ ମୁକୁଲ ନିଜ ଷ୍ଟୋରିରେ ଉଲ୍ଲେଖ କରିଥିଲେ। ଏହାସତ୍ତ୍ୱେ କିପରି ଗୀତା ପ୍ରେସ୍‌କୁ ଏହି ପୁରସ୍କାର ପ୍ରଦାନ କରାଯାଉଛି ବୋଲି ସେ ପଚାରିଛନ୍ତି।

ମହାତ୍ମା ଗାନ୍ଧିଙ୍କ ୧୨୫ତମ ଜନ୍ମ ଦିବସ ଅବସରରେ ୧୯୯୫ ମସିହାରୁ ଭାରତ ସରକାରଙ୍କ ପକ୍ଷରୁ ଗାନ୍ଧି ଶାନ୍ତି ପୁରସ୍କାର ପ୍ରଦାନ କରାଯାଉଛି। ଗୀତା ପ୍ରେସ୍‌ ଚଳିତ ବର୍ଷ ନିଜ ଶତବାର୍ଷିକୀ ପାଳନ କରୁଥିବା ବେଳେ ତାହା ନାମ ଏହି ପୁରସ୍କାର ପାଇଁ ଘୋଷଣା କରାଯାଇଛି।

ଜୟରାମ ରମେଶଙ୍କ ଟ୍ୱିଟର ଜବାବ ଦେବାକୁ ଯାଇ ବିଜେପି ପକ୍ଷରୁ କଂଗ୍ରେସକୁ ଏକ ହିନ୍ଦୁ ଘୃଣା ସୃଷ୍ଟିକାରୀ ଦଳ ବୋଲି କୁହାଯାଇଛି। ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ସାବରକରଙ୍କୁ ଭଗବାନ ସହ ତୁଳନା କରିଥାନ୍ତି। ଉକ୍ତ ଦଳ ସହ ମେଣ୍ଟରେ ଥିବା ବେଳେ ବି କଂଗ୍ରେସ ହିନ୍ଦୁ, ହିନ୍ଦୁବାଦୀ ଓ ସବରକରଙ୍କୁ ଆକ୍ରମଣ କରିବାକୁ ପଛାଇ ନ ଥିଲେ ବୋଲି କହିଛି କଂଗ୍ରେସ । କଂଗ୍ରେସର ବାରମ୍ବର ଏପରି ଆକ୍ରମଣରେ ଉଦ୍ଧବ ସେନା ସହମତ କି ବୋଲି ”ବିଜେପି ମୁଖପାତ୍ର ଶେହଜାଦ ପୁନାୱାଲା ଟ୍ୱିଟ କରି ପଚାରିଛନ୍ତି।

ସେ କହିଛନ୍ତି, କଂଗ୍ରେସ ସବୁବେଳେ ହିନ୍ଦୁ ବିରୋଧୀ ମନ୍ତବ୍ୟ ଦେଇ ଆସୁଛି। ଏହି ଦଳ ରାମ ମନ୍ଦିରକୁ ବିରୋଧ କରୁଥିବା ବେଳେ ୨୬/୧୧ ଆକ୍ରମଣ ନିମନ୍ତେ ହିନ୍ଦୁବାଦୀଙ୍କୁ ଦାୟୀ କରୁଥିଲା। ସେହିପରି ଏବେ ଏହି ଦଳ ଗୀତା ପ୍ରେସକୁ ଟାର୍ଗେଟ କରୁଛି। କଂଗ୍ରେସ ଏକ ହିନ୍ଦୁତ୍ୱକୁ ଘୃଣା କରୁଥିବା ଦଳ ହୋଇଥିବା ବେଳେ ରାମ ମନ୍ଦିର କେବେ ନିର୍ମାଣ ହେଉ ବୋଲି ଅନ୍ତରରୁ ଚାହୁଁ ନ ଥିଲା।

କଂଗ୍ରେସ ଉପରେ ଆକ୍ରମଣ କରି ଅନ୍ୟ ଏକ ଟୁଇଟରେ ଶ୍ରୀ ପୁନାୱାଲା କହିଛନ୍ତି ଯେ କଂଗ୍ରେସ ଗୀତା ପ୍ରେସକୁ ଘୃଣା କରେ । କାରଣ ଏହା ସନାତନ ଏବଂ ହିନ୍ଦୁ ଧର୍ମର ପ୍ରକୃତ ବାର୍ତ୍ତା ଦେଶର କୋଣ ଅନୁକୋଣରେ ପହଞ୍ଚାଇଥାଏ । ସେ କହିଛନ୍ତି, “କଂଗ୍ରେସ ମୁସଲିମ ଲିଗକୁ ଧର୍ମନିରପେକ୍ଷ ବୋଲି ବିବେଚନା କରୁଥିବା ବେଳେ ଗୀତା ପ୍ରେସକୁ ସାମ୍ପ୍ରଦାୟିକ, ଦଙ୍ଗା ସୃଷ୍ଟିକାରୀ ବୋଲି ବିବେଚନା କରେ।

ପୂର୍ବରୁ ଭାରତୀୟ ମହାକାଶ ଅନୁସନ୍ଧାନ ସଂସ୍ଥା (ଇସ୍ରୋ), ରାମକୃଷ୍ଣ ମିଶନ, ଅକ୍ଷୟ ପାତ୍ର ଫାଉଣ୍ଡେସନ ଆଦି ସଂସ୍ଥାକୁ ଗାନ୍ଧି ସଂସ୍ଥାକୁ ଗାନ୍ଧି ଶାନ୍ତି ପୁରସ୍କାରରେ ସମ୍ମାନିତ କରାଯାଇଛି।

୧୯୨୩ ମସିହାରେ ସ୍ଥାପିତ ଗୀତା ପ୍ରେସ୍‌ ବିଶ୍ୱ ଦରବାରରେ ଏକ ସର୍ବାଧିକ ପବ୍ଲିସ୍‌ କରୁଥିବା ସଂସ୍ଥା ଅଟେ। ଏହା ୧୪ଟି ଭାଷାରେ ୪୧.୭ କୋଟି ବହି ପ୍ରକାଶ କରି ସାରିଛି।

Leave a Reply

Your email address will not be published. Required fields are marked *