ଶ୍ରୀମନ୍ଦିରର ପ୍ରଶାସନ ପକ୍ଷରୁ ହାଇକୋର୍ଟରେ ସତ୍ୟପାଠ ଦାଖଲ ; ରତ୍ନଭଣ୍ଡାରରେ ରହିଛି ଦେଢ଼ କ୍ଵିଣ୍ଟାଲ ସୁନାକୁ ୧୮୪ କିଲୋ ରୂପା

ଶ୍ରୀମନ୍ଦିରର ରହସ୍ୟପୂର୍ଣ୍ଣ ରତ୍ନଭଣ୍ଡାରରେ ପ୍ରସଙ୍ଗକୁ ନେଇ ଚର୍ଚ୍ଚା ଥମୁ ନ ଥିବା ବେଳେ ଏହା ମଧ୍ୟରେ ମନ୍ଦିର ପ୍ରଶାସନ ପକ୍ଷରୁ ହାଇକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଛି। ଶେଷଥର ପାଇଁ ଗତ ୧୯୭୮ ମସିହାରେ ରତ୍ନଭଣ୍ଡାର ଖୋଲାଯାଇ ଅଳଙ୍କାରଗୁଡ଼ିକର ହିସାବ କରାଯାଇଥିଲା। ଏଥିରେ ପାଖାପାଖି ଦେଢ଼ କ୍ଵିଣ୍ଟାଲ ସୁନା (୧୪୯କିଲୋ ୪୬୦ ଗ୍ରାମ ) ଓ ୧୮୪ କିଲୋ ରୂପା ରହିଛି ବୋଲି ସତ୍ୟପାଠରେ ଦର୍ଶାଯାଇଛି ।

ଶ୍ରୀମନ୍ଦିର ନୀତି ପ୍ରଶାସକଙ୍କ ପକ୍ଷରୁ ଦାଖଲ ସତ୍ୟପାଠରେ ଦର୍ଶାଯାଇଛି ଯେ ରତ୍ନଭଣ୍ଡାରରେ ୩ଟି କକ୍ଷ ରହିଛି । ଭିତର ରତ୍ନଭଣ୍ଡାରରରେ ରହିଥିବା ଅଳଙ୍କାରଗୁଡ଼ିକ କେବେବି ବ୍ୟବହାର କରାଯାଏନାହିଁ । ବାହାର ରତ୍ନଭଣ୍ଡାରରେ ଥିବା ଅଳଙ୍କାରଗୁଡ଼ିକ ପର୍ବ ପର୍ବାଣୀରେ ବ୍ୟବହାର କରାଯାଇଥାଏ। ତେବେ ମହାପ୍ରଭୁଙ୍କ ଦୈନନ୍ଦିନ ବ୍ୟବହାର ପାଇଁ ଚଳନ୍ତି ଭଣ୍ଡାରର ଅଳଙ୍କାର ବ୍ୟବହାର ହୋଇଥାଏ ବୋଲି ସତ୍ୟପାଠରେ ଉଲ୍ଲେଖ ରହିଛି ।

ଭିତର ରତ୍ନଭଣ୍ଡାରରେ ୫୦ କେ ଜି ୬୦୦ ଗ୍ରାମ ସୁନା ଅଳଙ୍କାର ରହିଥିବା ବେଳେ ୧୩୪ କେଜି ୫୦ଗ୍ରାମର ରୂପା ଅଳଙ୍କାର ରହିଛି । ବାହାର ରତ୍ନଭଣ୍ଡାରରେ ୯୫ କେଜି ୩୨୦ଗ୍ରାମ ସୁନା ଏବଂ ୧୯ କେଜି ୪୮୦ଗ୍ରାମର ରୂପା ଅଳଙ୍କାର ରହିଥିବା ସତ୍ୟପାଠରେ ଦର୍ଶାଯାଇଛି । ସେହିପରି ମହାପ୍ରଭୁଙ୍କ ନିତିଦିନିଆ ବ୍ୟବହାର ପାଇଁ ଚଳନ୍ତି ଭଣ୍ଡାରରେ ୩ କେଜି ୪୮୦ଗ୍ରାମର ସୁନା ଏବଂ ୩୦ କେଜି ୩୫୦ ଗ୍ରାମର ରୂପା ଅଳଙ୍କାର ରହିଛି ବୋଲି ସତ୍ୟପାଠରେ ଦର୍ଶାଯାଇଛି।

ରତ୍ନଭଣ୍ଡାର ସ୍ଥିତି ଭଲ ନଥିବାରୁ ଏହାକୁ ଖୋଲିବା ଲାଗି ପୁରୀ ଗଜପତି ମହାରାଜ ଓ ଜଗନ୍ନାଥଙ୍କ ମୁଖ୍ୟ ବାଡଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ରଙ୍କ ଭଳି ପ୍ରମୁଖ ସେବାୟତ ବହୁ ପୂର୍ବରୁ ଦାବି କରି ଆସୁଥିବା ବେଳେ ରାଜ୍ୟ ସରକାର କିନ୍ତୁ ଏ ଦିଗରେ ଉଦାସୀନତା ପ୍ରକାଶ କରୁଛନ୍ତି। ରତ୍ନ ଭଣ୍ଡାର ପ୍ରସଙ୍ଗରେ ସରକାରଙ୍କ ସତ୍ୟପାଠ ଦାଖଲକୁ ନେଇ କଡ଼ା ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ।

ଏନେଇ ସେ କହିଛନ୍ତି, ରତ୍ନ ଭଣ୍ଡାର ନ ଖୋଲି ରାଜ୍ୟସରକାର କେମିତି ଜାଣିଲେ ତାହା ସୁରକ୍ଷିତ ଅଛି ବୋଲି । ମନ୍ଦିର ପ୍ରଶାସନର ସତ୍ୟପାଠ ସନ୍ଦେହ ବଢ଼ାଉଛି । ଏଭଳି ସତ୍ୟପାଠ ଦାଖଲ କରି ସରକାର କିଛି ତଥ୍ୟ ଲୁଚାଉଛନ୍ତି।

ରତ୍ନ ଭଣ୍ଡାରର ମରାମତି ଆବଶ୍ୟକ ବୋଲି ଗଜପତି ମହାରାଜା କହୁଥିବା ବେଳେ ତାହା ସୁରକ୍ଷିତ ଅଛି ବୋଲି ସରକାର କେମିତି ଜାଣିଲେ । ରତ୍ନଭଣ୍ଡାରରେ ସମସ୍ତ ସୁନା, ରୂପା କାଠ ସୁନ୍ଦୁକରେ ରଖାଯାଇଛି। ନିୟମିତ ସମୟ ବ୍ୟବଧାନରେ ତାହାକୁ ଖୋଲିବା କଥା । ୧୯୭୮ ମସିହାରେ ଶେଷ ଥର ଖୋଲା ହୋଇଥିଲା । ଏହାପରେ ଚାବି ହଜି ଯାଇଥିବା କୁହାଗଲା। ତେଣୁ ରାଜ୍ୟବାସୀଙ୍କର ତଥା ଜଗନ୍ନାଥପ୍ରେମୀଙ୍କ ମନରେ ସନ୍ଦେହ ବଢିଛି । ସତ୍ୟପାଠରେ ସରକାର କେବଳ ପୁରୁଣା କଥା କହିଛନ୍ତି। ତେବେ ତେଣୁ ସରକାର ତୁରନ୍ତ ରତ୍ନଭଣ୍ଡାର ଖୋଲି ଭକ୍ତଙ୍କର ସନ୍ଦେହ ଦୂର କରନ୍ତୁ ବୋଲି କହିଛନ୍ତି ନରସିଂହ ମିଶ୍ର ।

Leave a Reply

Your email address will not be published. Required fields are marked *