ନଭେମ୍ବର ୨୭ରୁ ଡିସେମ୍ବର ୪ ତାରିଖ ଯାଏଁ କଟକର ଐତିହାସିକ ବାଲିଯାତ୍ରା

କଟକ : ଚଳିତବର୍ଷ ନଭେମ୍ବର ୨୭ରୁ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଐତିହାସିକ କଟକ ବାଲିଯାତ୍ରା। ଚଳିତ ବର୍ଷ ୮ ଦିନ ହେବାକୁ ଥିବା ବାଲିଯାତ୍ରାକୁ ଅଧିକ ଆକର୍ଷଣୀୟ, ସୁରକ୍ଷିତ ଆଉ ଜନାଦୃତ କରିବା ପାଇଁ ବିଭିନ୍ନ ବିଭାଗ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା କରିବା ଉପରେ ଆଜି ଶୁକ୍ରବାର ଅନୁଷ୍ଠିତ ରାଜ୍ୟସ୍ତରୀୟ ବୈଠକରେ ଗୁରୁତ୍ୱାରୋପ କରାଯାଇଛି। ଆଭାସୀ ମାଧ୍ୟମରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଅଧ୍ୟକ୍ଷତା କରିଥିଲେ। ବୈଠକରେ ମେୟର ସୁବାସ ସିଂହ, ଆରଡିସି ସୁରେଶ ଚନ୍ଦ୍ର ଦଳାଇ, ଜିଲ୍ଲାପାଳ ଡକ୍ଟର ଭବାନୀଶଙ୍କର ଚୟନୀ, ସିଏମସି କମିସନର ନିଖିଲ ପୱନ କଲ୍ୟାଣ, ସିଡିଏ ଅଧ୍ୟକ୍ଷ ଅନିଲ ମିଶ୍ର, ଡିସିପି ପିନାକ ମିଶ୍ରଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତି ଥିଲେ। ଚଳିତବର୍ଷ ଓରମାସ୍‌ର ଷ୍ଟଲ୍‌ ସଂଖ୍ୟା ୪ଶହକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଥିବା ବେଳେ ପର୍ଯ୍ୟଟନ ବିଭାଗ ପକ୍ଷରୁ ବାଲିଯାତ୍ରକୁ ପର୍ଯ୍ୟଟନ ପଞ୍ଜୀକାରେ ସ୍ଥାନୀତ କରିବା ଉପରେ ଗୁରୁତ୍ବାରୋପ କରାଯାଇଛି। ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ଗଣମାଧ୍ୟମ ବିଜ୍ଞାପନ ମାଧ୍ୟମରେ ବାଲିଯାତ୍ରାର ବ୍ୟାପକ ପ୍ରଚାର ପ୍ରସାର ପାଇଁ ପ୍ରସ୍ତାବ ରହିଥିବା ବେଳେ ବାଲିଯାତ୍ରା ଉତ୍ସବକୁ ଜାତୀୟ ମାନ୍ୟତା ପ୍ରଦାନ ପାଇଁ ଲୋକସମ୍ପର୍କ ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ନେଇ ଏକ ଭ୍ରମଣ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ପ୍ରସ୍ତାବ ରହିଛି। ବାଲିଯାତ୍ରାର କଳେବର ବୃଦ୍ଧି ସହ ବିଶାଳ ଆୟୋଜନକୁ ଦୃଷ୍ଟିରେ ରଖି ସରକାର ଆର୍ଥିକ ଅନୁଦାନ ବୃଦ୍ଧି କରିବା ଲାଗି ମଧ୍ୟ ପ୍ରସ୍ତାବ ଦିଆଯାଇଛି। ବାଲିଯାତ୍ରାକୁ ସୁରକ୍ଷିତ ତଥା ଶୃଙ୍ଖଳିତ କରିବା ପାଇଁ ଟ୍ରାଫିକ ପରିଚାଳନା ସୁବ୍ୟବସ୍ଥିତ କରିବା, ଅତିରିକ୍ତ ଫୋର୍ସ ନିୟୋଜନ ଉପରେ ଗୁରୁତ୍ବ ଦିଆଯାଇଛି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଲିଯାତ୍ରାକୁ ଜାତୀୟ ଉତ୍ସବର ମାନ୍ୟତା ପ୍ରଦାନ ପାଇଁ ଗତବ​ର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପତ୍ର ଲେଖି ଅନୁରୋଧ କରିଥିଲେ। ଗତବର୍ଷ ବାଲିଯାତ୍ରା ସମୟରେ ଇଣ୍ଡୋନେସିଆର ବାଲିଦ୍ୱୀପରେ ଉପସ୍ଥିତ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଟକ ବାଲିଯାତ୍ରାର ଅବତାରଣା କରି ପ୍ରଶଂସା କରିଥିଲେ। କଟକ ପୌର ନିଗମ ପକ୍ଷରୁ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ‘କାଗଜ ଡଙ୍ଗା ତିଆରି କାର୍ଯ୍ୟକ୍ରମ’ ଆୟୋଜନ କରାଯାଇ ଗିନିଜ୍ ବୁକ୍ ଅଫ ୱାର୍ଲ୍ଡ ରେକର୍ଡରେ ସାମିଲ ହେବାର ଗୌରବ ହାସଲ ହୋଇଥିଲା। ବାଲିଯାତ୍ରାରେ କଟକ-ଇନ୍-କଟକ ପ୍ରକଳ୍ପ ଅତ୍ୟନ୍ତ ଆକର୍ଷଣୀୟ ହୋଇଥିଲା। ତେଣୁ ଚଳିତବର୍ଷ ବାଲିଯାତ୍ରାକୁ ନୂଆ ଢଙ୍ଗରେ କିଭଳି ଅଧିକ ଆକର୍ଷଣୀୟ କରି ହେବ, ସେ ଦିଗରେ ଏକ ସ୍ବତନ୍ତ୍ର ଟିମ୍ କାର୍ଯ୍ୟ କରିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଉମାକାନ୍ତ ରାଜ୍‌, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ କଟକ ସୁବାସ ଚନ୍ଦ୍ର ରାୟ, ଉପନିର୍ଦ୍ଦେଶକ ତଥା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲଲାଟେନ୍ଦୁ ମହାପାତ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ମକରନ୍ଦ ବେଉରା, ତହସିଲଦାର ବାରଙ୍ଗ ସଙ୍କଳ୍ପ ସ୍ୱସ୍ତିକ ସାହୁ, ତହସିଲଦାର କଟକ ସଦର ସୁଜୟ କୁମାର ପତି ଓ ଜିଲ୍ଲା ସଂସ୍କୃତି ଅଧିକାରୀ ନଳିନୀକାନ୍ତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *