ମହାପ୍ରଭୁଙ୍କ ରଥଯାତ୍ରାରେ କେତେ ଟଙ୍କା ହୁଏ ଖର୍ଚ୍ଚ : ଜାଣିଲେ ହେବେ ଆଶ୍ଚର୍ଯ୍ଯ…

ପୁରୀ : ଏତେ ବଡ଼ ରଥ ଯାତ୍ରାରେ କେତେ ହୁଏ ଖର୍ଚ୍ଚ? ମହାପ୍ରଭୁଙ୍କ ରଥଯାତ୍ରା ଉପରେ ରାଜ୍ୟ ସରକାରଙ୍କ ପ୍ରମୁଖ ଫୋକସ। ରଥ ନିର୍ମାଣଠାରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ହୋଇଥାଏ ସ୍ବତନ୍ତ୍ର ବ୍ୟବସ୍ଥା। ଆଉ ସ୍ବତନ୍ତ୍ର ବଜେଟ ବି। ଆକଳନ ଅନୁସାରେ ରଥଯାତ୍ରାରେ ଖର୍ଚ୍ଚ ହୁଏ ପ୍ରାୟ ୧୫୦ କୋଟି। ଆଉ ଖର୍ଚ୍ଚର ଅଡିଟ ବି ହୋଇନଥାଏ।

ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା। ନବଦିନାତ୍ମକ ଯାତ୍ରାରେ ସମାଗମ ହୁଅନ୍ତି ୨୦ ଲକ୍ଷରୁ ଅଧିକ ଭକ୍ତ। ଯାତ୍ରା ପାଇଁ ରଥ କାଠ ଅଣାଯିବା ପ୍ରକ୍ରିୟା ଠାରୁ ଅର୍ଥାତ ୩ ମାସ ଆଗରୁ ହୋଇଥାଏ ପ୍ରାଶାସନିକ ପ୍ରସ୍ତୁତି। ତେବେ ଯାତ୍ରା ପାଇଁ ରାଜ୍ୟ ସରକାରଙ୍କ କୌଣସି ସ୍ବତନ୍ତ୍ର ବଜେଟ ନ ଥିଲେ ସୁଦ୍ଧା ବିଭିନ୍ନ ବିଭାଗ ଖର୍ଚ୍ଚ କରନ୍ତି କୋଟି କୋଟି ଟଙ୍କା। ତେବେ ସ୍ନାନ ପୂର୍ଣ୍ଣିମା ଓ ରଥଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ କରିଥାଏ ସ୍ବତନ୍ତ୍ର ବଜେଟ । ସେହିକ୍ରମରେ ଏଥର ୧୬ କୋଟି ୬୧ ଲକ୍ଷ ୮୦ ହଜାର ଟଙ୍କାର ବଜେଟ ହୋଇଛି। ଯେଉଁଥିରେ ସେବକଙ୍କ ପ୍ରାପ୍ୟ ବାବଦକୁ ୬ କୋଟି, ରଥ ନିର୍ମାଣ ପାଇଁ ୧ କୋଟି ୬୦ ହଜାର, ରଥ ନିର୍ମାଣ ସେବକଙ୍କ ବାବଦରେ ୨ କୋଟି ୮୦ ଲକ୍ଷ ୮୦ ହଜାର ବ୍ୟୟ କରାଯାଇଛି। ସେହିପରି ରଥଯାତ୍ରାରେ ଦଇତାପତିଙ୍କୁ ପରିମାଣିକ ବାବଦରେ ୪୫ ହଜାର, ରଥରେ ଭକ୍ତ ନ ଚଢ଼ିବା କ୍ଷତିପୂରଣ ବାବଦରେ ଦଇତାପତିଙ୍କୁ ୨ କୋଟି ୫୬ ଲକ୍ଷ, ରଥରେ ଶୃଙ୍ଖଳିତ ନୀତି ପାଇଁ ପାଳିଆ ପୁରସ୍କାର ବାବଦରେ ୩ କୋଟି ୨୦ ଲକ୍ଷ ଟଙ୍କା ବ୍ୟୟ କରାଯାଇଛି। ତେବେ ରାଜ୍ୟ ସରକାର ସିଂହଭାଗ ଖର୍ଚ୍ଚ କରୁଥିବା ବେଳେ ମୁଖ୍ୟମନ୍ତ୍ରୀ ରଥଯାତ୍ରାର କାର୍ଯ୍ୟକାରିତା ଉପରେ ସମୀକ୍ଷା କରିଥାନ୍ତି। ହେଲେ ରଥଯାତ୍ରା ପାଇଁ ସ୍ବତନ୍ତ୍ର ବ୍ୟୟ ବରାଦ ପାଇଁ ଅନୁରୋଧ କରାଯାଇଛି।

ରଥଯାତ୍ରା ପରିଚାଳନା ପାଇଁ ସରକାରଙ୍କ ପ୍ରତିଟି ବିଭାଗର ରହିଥାଏ ସ୍ବତନ୍ତ୍ର ବଜେଟ। ଯେଭଳି ପୌରସଂସ୍ଥା କଥା କହିଲେ ପରିମଳ,ପାର୍କିଂ ,ଆଲୋକୀକରଣ ଆଦିକୁ ନେଇ ପ୍ରାୟ ୧ କୋଟି ଖର୍ଚ୍ଚ ଅଟକଳ। ପୂର୍ତ୍ତ ବିଭାଗର ରାସ୍ତାଘାଟ, ପାର୍କିଂ ସେଡ୍ ,ଭକ୍ତଙ୍କ ପାଇଁ ଆଶ୍ରୟ ସ୍ଥଳି ,ପାର୍କିଂ ଅଂଚଳରେ ଟେଣ୍ଟ, ବଡ଼ଦାଣ୍ଡରେ ସେଡ୍ ଆଦିରେ ପ୍ରାୟ ୩ କୋଟି ଖର୍ଚ୍ଚ ଅଟକଳ ରହିଛି। ପରିବହନ ବିଭାଗ ପକ୍ଷରୁ ପାର୍କିଂ ଅଂଚଳ ଓ ଅସ୍ଥାୟୀ ବସଷ୍ଟାଣ୍ଡରେ ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ ପାଇଁ ବ୍ୟାଟେରୀ ଅଟୋ ବ୍ୟବସ୍ଥା ,ମାଗଣା ଖାଦ୍ୟ ବଣ୍ଟନ ଏବଂ ଗାଡି ମଟର ଯାଞ୍ଚ ପାଇଁ ଅଧିକ ଅଧିକାରୀଙ୍କୁ ମୁତୟନ ବାବଦରେ ପ୍ରାୟ ୮୦ ଲକ୍ଷର ବଜେଟ।

ସେହିଭଳି ପୋଲିସ ଫୋର୍ସର ରହିବା ଖାଇବା ବ୍ୟବସ୍ଥା ନେଇ ଗୃହ ବିଭାଗ ପକ୍ଷରୁ ପ୍ରାୟ ୩ କୋଟି ଟଙ୍କାର ବଜେଟ। ନିରବଛିନ୍ନ ବିଦ୍ୟୁତ ସେବା ପାଇଁ ଆବଶ୍ୟକ ଜେନେରେଟର, ଅଧିକ କର୍ମଚାରୀ ମୁତୟନ ସହ ୨୪ ଘଣ୍ଟିଆ ଗ୍ରାହକ ସେବା କେନ୍ଦ୍ର ସହ ପାଣି ବଣ୍ଟନ ଆଦି ପାଇଁ ୧ କୋଟି ବଜେଟ କରାଯାଇଛି। ସେଇଭଳି ଜଳ ଯୋଗାଣ ,ଆସ୍ଥାୟୀ ଟ୍ୟାଙ୍କର,ଜେନସେଟ, ୫୦ ଲକ୍ଷ ପାଣି ବୋତଲ ମାଗଣା ବଣ୍ଟନ ପାଇଁ ୧ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି। ଜଳ ସିଞ୍ଚନ, ଅଗ୍ନିଶମ କର୍ମଚାରୀଙ୍କ ରହଣି, ୪ଟି ମିଷ୍ଟ water ଫ୍ୟାନ ପାଇଁ ୨ କୋଟି ଖର୍ଚ୍ଚ ଅଟକଳ ହୋଇଛି।

ମହାପ୍ରଭୁଙ୍କ ରଥଯାତ୍ରାରେ କୋଟି କୋଟି ଖର୍ଚ୍ଚ କରାଯାଉଛି। ଏଥିରେ କିଛି କାଗଜ କଲମରେ ରହିଥିବା ବେଳେ କିଛି ପୁରସ୍କାର ବାବଦରେ ମଧ୍ୟ ଅନୌପଚାରିକ ଭାବେ ସେବାୟତଙ୍କୁ ଦିଆଯାଉଛି। ତେବେ ଏସବୁ ଖର୍ଚ୍ଚର ଅଡିଟ ହୋଇନଥାଏ। ହେଲେ ରଥଯାତ୍ରାରେ ସମୁଦାୟ ଖର୍ଚ୍ଚ ହୁଏ ପ୍ରାୟ ୧୫୦ କୋଟି ଟଙ୍କା

Leave a Reply

Your email address will not be published. Required fields are marked *