ଉତ୍ତରପ୍ରଦେଶର ରାମପୁର ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ; ଦୁଇ ବସ୍‌ ମୁହାଁମୁହିଁ ଧକ୍କା, ୩ ଜଣଙ୍କ ମୃତ୍ୟୁ

ଉତ୍ତରପ୍ରଦେଶର ରାମପୁର ଜିଲ୍ଲାରେ ଆଜି ଭୋରରୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁଇଟି ବସ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଗୁରୁତର ହୋଇଛନ୍ତି। ରୁଟ୍‌ ଡାଇଭର୍ସନ ସମୟରେ ଏକ ବସ୍‌ ଭୁଲ୍‌ ଦିଗରେ ଚାଲିଯିବାରୁ ଏହି ଦୁର୍ଘଟଣା ଘଟିଥିବା ଜଣାଯାଇଛି ।

ଗତକାଲି ଗୁରୁ ପୂର୍ଣ୍ଣିମା ଥିବାରୁ ୬୦ରୁ ଅଧିକ ଯାତ୍ରୀ ଏକ ଘରୋଇ ବସ୍‌ରେ ହରିଦ୍ୱାରସ୍ଥିତ ଶାନ୍ତିକୁଞ୍ଜ ଯାଇଥିଲେ। ସେଠାରୁ ସେମାନେ ଘରକୁ ଫେରୁଥିଲେ। ଉକ୍ତ ସମୟରେ ଲକ୍ଷ୍ନୌରୁ ବାହାରିଥିବା ବସ୍‌ରେ ଅଧିକାଂଶ ଯାତ୍ରୀ ସୀତାପୁରରୁ ଦିଲ୍ଲୀ ଅଭିମୁଖେ ଯାଉଥିଲେ।

ଆଜି ମିଲକନଗର ଥାନା ଅଞ୍ଚଳରେ ଉଭୟ ଗାଡ଼ି ଅତିକ୍ରମ କରୁଥିବା ବେଳେ ଭୋର ପ୍ରାୟ ସାଢେ ୪ଟାରେ ଏହି ଦୁର୍ଘଟଣା ଘଟିଛି। ଉଭୟ ବସ୍‌ରେ ଶହେରୁ ଅଧିକ ଯାତ୍ରୀ ଥିଲେ। ଧକ୍କା ଏତେ ଜୋରଦାର ଥିଲା ଯେ ଉଭୟ ଗାଡ଼ି ଚେପା ହୋଇ ଯିବା ସହ ଛିନଛତ୍ର ହୋଇ ଯାଇଥିଲା । ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିଲା।

ଖବର ପାଇ ତୁରନ୍ତ ଜିଲ୍ଲାପାଳ, ଏସ୍‌ପିଙ୍କ ସମେତ ପୁଲିସ୍‌ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ତୁରନ୍ତ ବସ୍‌ରୁ ଯାତ୍ରୀମାନଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ୪୦ ଯାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ହସ୍ପିଟାଲକୁ ରେଫର କରାଯାଇଛି। ଅନ୍ୟ ଯାତ୍ରୀଙ୍କୁ ନିକଟସ୍ଥ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ବସ୍‌ ଦୁଇଟି ବିକ୍ଷିପ୍ତ ଅବସ୍ଥାରେ ରାସ୍ତାରେ ପଡ଼ିଥିବାରୁ ଯାତାୟତ ବ୍ୟାହତ ହୋଇଥିଲା। ତୁରନ୍ତ ବସ୍‌ ଦୁଇଟିକୁ ରାସ୍ତାରୁ ହଟାଇବା ପରେ ଯାତାୟତ ସ୍ୱାଭାବିକ ହୋଇଥିଲା। ପୁଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।

ଉକ୍ତ ରାସ୍ତାରେ ଥିବା ରୁଟ୍‌ ଡାଇଭର୍ସନ ଜାଣି ନ ପାରି ଏକ ବସ୍‌ ଭୁଲ୍‌ ରାସ୍ତାରେ ପଳାଇଥିଲା। ଫଳରେ ଅନ୍ୟ ଦିଗରୁ ଆସୁଥିବା ବସ୍‌ଟି ସହ ମୁହାଁମୁହିଁ ଧକ୍କା ହୋଇଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ପ୍ରକାଶ ।

Loading

Leave a Reply

Your email address will not be published. Required fields are marked *