ମାନବୀୟ ସମାନୁବେଦନା ସତ୍ୟବାଦୀ ପଞ୍ଚସାଧକଙ୍କ ସାହିତ୍ୟ ସୃଷ୍ଟିର ମୂଳ ଆଧାର: ରାୟ ମହାପାତ୍ର
ସାକ୍ଷୀଗୋପାଳ: ସତ୍ୟବାଦୀ ସ୍ଥିତ ଓଡ଼ିଆ ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ଆଜି ପୂର୍ବାହ୍ଣରେ ଏକ ଭବ୍ୟ ବାତାବରଣ ମଧ୍ୟରେ ‘ସତ୍ୟବାଦୀ ଦିବସ’ ପାଳିତ ହୋଇଯାଇଛି l କୁଳପତି ପ୍ରଫେସର୍ ଡ. ସତ୍ୟ ନାରାୟଣ ଆଚାର୍ଯ୍ୟ, କୁଳସଚିବ ରଶ୍ମିରେଖା ଦାସ, ପରୀକ୍ଷା ନିୟନ୍ତ୍ରକ ଡ. ଶୁଭେନ୍ଦୁ କୁମାର ଚାନ୍ଦ, ବିତ୍ତ ଅଧିକାରୀ ସଂଜୀବ କୁମାର ଜେନା, ବିଶ୍ୱବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ ଓ କର୍ମଚାରୀମାନେ ନଗର ପରିକ୍ରମା କରିବା ପରେ ସତ୍ୟବାଦୀ ସାଧକମାନଙ୍କ ପବିତ୍ର ସମାଧିପୀଠରେ ମାଲ୍ୟାର୍ପଣ କରିବା ସଂଗେ ସଂଗେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l
ଏହି ଅବସରରେ ବିଶ୍ୱବିଦ୍ୟାଳୟ ପାଠଚକ୍ର ପ୍ରକୋଷ୍ଠରେ ‘ସତ୍ୟବାଦୀ ଚେତନା : ବିନ୍ଦୁ ଓ ବିସ୍ତୃତି’ ଶୀର୍ଷକ ଏକ ଆଲୋଚନା ଚକ୍ର ଆୟୋଜନ କରାଯାଇଥିଲା l ପ୍ରାରମ୍ଭରେ ରାଷ୍ଟ୍ରଦେବତା ଶ୍ରୀଜଗନ୍ନାଥଙ୍କ ବିଗ୍ରହ ସମ୍ମୁଖରେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କୁଳପତି ପ୍ରଫେସର୍ ଆଚାର୍ଯ୍ୟ ଓ ମଞ୍ଚାସୀନ ଅତିଥିଗଣ ପୁଷ୍ପାର୍ଘ୍ୟ ଅର୍ପଣ କରିଥିଲେ l ଏହି ଆଲୋଚନା ଚକ୍ରରେ କୁଳପତି ପ୍ରଫେସର୍ ଡ. ସତ୍ୟ ନାରାୟଣ ଆଚାର୍ଯ୍ୟ ପୌରୋହିତ୍ୟ କରିବା ସହ ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିଲେ l ନିମାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର୍ କ୍ଷୀରୋଦ କୁମାର ରାୟ ମହାପାତ୍ର ମୁଖ୍ୟଅତିଥି ରୂପେ ଯୋଗଦେଇ ସତ୍ୟବାଦୀ ଯୁଗ ଓ ସାଧକମାନଙ୍କ ଆଦର୍ଶମୟ ବ୍ୟକ୍ତିତ୍ୱ ତଥା ସୃଷ୍ଟି ସମ୍ଭାର ସଂପର୍କରେ ସବିଶେଷ ଆଲୋଚନା କରିଥିଲେ l ସତ୍ୟବାଦୀ ପଞ୍ଚସାଧକଙ୍କ କୃତି ଓ କୃତିତ୍ୱ ସଂପର୍କରେ ଅବତାରଣା ପୂର୍ବକ ପ୍ରଫେସର୍ ରାୟ ମହାପାତ୍ର ତାଙ୍କ ବକ୍ତବ୍ୟରେ କହିଥିଲେ, ମାନବୀୟ ସମାନୁବେଦନା ପଣ୍ଡିତ ଗୋପବନ୍ଧୁ ଦାସଙ୍କ ସମେତ ପଣ୍ଡିତ ନୀଳକଣ୍ଠ ଦାସ, ପଣ୍ଡିତ ଗୋଦାବରୀଶ ମିଶ୍ର, ଆଚାର୍ଯ୍ୟ ହରିହର ଓ କୃପାସିନ୍ଧୁ ମିଶ୍ର ପ୍ରମୁଖଙ୍କ ସାହିତ୍ୟ ସର୍ଜନାର ମୂଳ ଆଧାର l ଜାତୀୟତାବୋଧ, ଭାଷା ସଂପ୍ରୀତି, ପ୍ରକୃତି ପ୍ରେମ, ଐତିହ୍ୟ ବନ୍ଦନା ଓ ବିଭୁବୋଧ ସେମାନଙ୍କ ସାହିତ୍ୟ ସାଧନାର ଆଭିମୁଖ୍ୟ ଥିଲା ବୋଲି ପ୍ରଫେସର୍ ରାୟ ମହାପାତ୍ର ମତବ୍ୟକ୍ତ କରିଥିଲେ l ପରୀକ୍ଷା ନିୟନ୍ତ୍ରକ ଡ. ଶୁଭେନ୍ଦୁ କୁମାର ଚାନ୍ଦ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ l
ଭାଷା ଓ ସାହିତ୍ୟ ବିଭାଗ ଅତିଥି ସହଯୋଗୀ ପ୍ରଫେସର୍ ଡ. ବାସନ୍ତୀ ମହାନ୍ତି ଏହି ଆଲୋଚନା ଚକ୍ରର ସଂଯୋଜନା କରିଥିଲେ l ସେହି ବିଭାଗର ମୁଖ୍ୟ ଡ. ରାଧାଗୋବିନ୍ଦ କୁଇଲା, ଆଞ୍ଚଳିକ -ଜନଜାତି ଭାଷା ଓ ଐତିହ୍ୟ ଅଧ୍ୟୟନ ବିଭାଗ ଅତିଥି ସହଯୋଗୀ ପ୍ରଫେସର୍ ଡ. ନିବେଦିତା ମହାନ୍ତି ସତ୍ୟବାଦୀ ସାଧକଙ୍କ ଜୀବନାଦର୍ଶ ସଂପର୍କରେ ସଂକ୍ଷେପରେ ଆଲୋକପାତ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ଭାଷାବିଜ୍ଞାନ ଓ ପ୍ରାକୃତିକ ଭାଷା ସଂସାଧନ ବିଭାଗ ଅତିଥି ପ୍ରଫେସର୍ ଡ. ଅନନ୍ତ କିଶୋର ଜେନା, ସେହି ବିଭାଗ ଅତିଥି ସହକାରୀ ପ୍ରଫେସର୍ ଡ. କୁଳମଣି ଓଝା, ଡ. ସଂଗୀତା ଜେନା, ଡ. ଶୁଭସ୍ମିତା ନାୟକ, ଆଞ୍ଚଳିକ-ଜନଜାତି ଭାଷା ଓ ଐତିହ୍ୟ ଅଧ୍ୟୟନ ବିଭାଗ ମୁଖ୍ୟ ଡ. ଶର୍ମିଷ୍ଠା ମହାପାତ୍ର, ଡ. ସସ୍ମିତା ଜେନା, ଭାଷା ଓ ସାହିତ୍ୟ ବିଭାଗ ଅତିଥି ସହକାରୀ ପ୍ରଫେସର୍ ଡ. ନରେନ୍ଦ୍ର କୁମାର ସ୍ୱାଇଁ, ଡ. ମୋନାଲି ଚ୍ୟାଙ୍ଗ୍ ପ୍ରମୁଖ ସତ୍ୟବାଦୀ ପଞ୍ଚସାଧକଙ୍କ ପାର୍ଥିବ ସ୍ମୃତି ଉଦ୍ଦେଶ୍ୟରେ ଶ୍ରଦ୍ଧା ନିବେଦନ କରିଥିଲେ l ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷା ଡ. ଲିପିକା ନାୟକ ତାଙ୍କ ବକ୍ତବ୍ୟରେ ସତ୍ୟବାଦୀ ସାଧକମାନଙ୍କ ସତ୍ୟାଶ୍ରୟୀ ଜୀବନାଦର୍ଶରେ ଅନୁପ୍ରାଣିତ ହେବାକୁ ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ କରିବା ସହ ପରିଶେଷରେ ଆନୁଷ୍ଠାନିକ ଭାବେ ଧନ୍ୟବାଦ ଅର୍ପଣ କରିଥିଲେ l ସ୍ନାତକୋତ୍ତର ଦ୍ଵିତୀୟ ବର୍ଷ ଛାତ୍ରୀ ଆଶାରାଣୀ ବେଉରା, ସ୍ଥିତିପ୍ରଜ୍ଞା ମାଝୀ ଓ ଛାତ୍ର ସାଇପ୍ରସାଦ ପଟ୍ଟନାୟକ ବନ ବିଦ୍ୟାଳୟର ସୁଯୋଗ୍ୟ ଛାତ୍ର ଗୋଦାବରୀଶ ମହାପାତ୍ରଙ୍କ ବିରଚିତ ‘ଉଠ କଙ୍କାଳ ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ରାଜି’ କବିତା ସମବେତ କଣ୍ଠରେ ଗାନ କରିଥିଲେ l