ମୂଲ୍ୟବୋଧ ପ୍ରତିଷ୍ଠା ଓ ପରମ୍ପରାର ଅନୁପାଳନ ଶିକ୍ଷାର ମୂଳ ଉଦ୍ଦେଶ୍ୟ: ଲୋପାମୁଦ୍ରା ମହାନ୍ତି
ସତ୍ୟବାଦୀ: ଶିକ୍ଷା ମଣିଷକୁ ପୂର୍ଣ୍ଣତା ଦିଗରେ ନେଇଯାଏ l ମୂଲ୍ୟବୋଧ ଭିତ୍ତିକ ଶିକ୍ଷା ମାଧ୍ୟମରେ ମଣିଷ ପୂର୍ଣ୍ଣାଙ୍ଗ ମଣିଷରେ ରୂପାନ୍ତରିତ ହୁଏ l କିନ୍ତୁ ପାଶ୍ଚାତ୍ୟ ଜୀବନ ଶୈଳୀର ଅନ୍ଧ ଅନୁକରଣ ଫଳରେ ଶିକ୍ଷାଗ୍ରହଣର ଉଦ୍ଦେଶ୍ୟ ସାଧିତ ହୋଇପାରୁ ନାହଁ l ପ୍ରକୃତରେ ଉଚ୍ଚ ମାନବୀୟ ମୂଲ୍ୟବୋଧ ପ୍ରତିଷ୍ଠା ଓ ପରମ୍ପରାର ଅନୁପାଳନ ଶିକ୍ଷାର ମୂଳ ଉଦ୍ଦେଶ୍ୟ ବୋଲି ଓଡ଼ିଆ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆୟୋଜିତ ସାପ୍ତାହିକ ପାଠଚକ୍ରରେ ରାଜ୍ୟ ମହିଳା ଆୟୋଗ ପ୍ରାକ୍ତନ ଅଧ୍ୟକ୍ଷା ଲୋପାମୁଦ୍ରା ମହାନ୍ତି ମତବ୍ୟକ୍ତ କରିଛନ୍ତି l
ପବିତ୍ର ଗୁରୁପୂର୍ଣ୍ଣିମା ଅବସରରେ ସତ୍ୟବାଦୀ ଓଡ଼ିଆ ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ଆୟୋଜିତ ଏହି ପାଠଚକ୍ରରେ କୁଳପତି ପ୍ରଫେସର୍ ସତ୍ୟ ନାରାୟଣ ଆଚାର୍ଯ୍ୟ ପୌରୋହିତ୍ୟ କରିଥିଲେ l ସେ ତାଙ୍କ ବକ୍ତବ୍ୟରେ ବିଦ୍ୟାର୍ଥୀ / ବିଦ୍ୟାର୍ଥିନୀଙ୍କୁ ଜୀବନ ଗଠନର ସୂତ୍ର ବିଷୟରେ କହିବା ସହ ପ୍ରେରଣାଦାୟୀ ବକ୍ତବ୍ୟ ପ୍ରଦାନ କରିଥିଲେ l ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ରୂପେ ଯୋଗଦେଇ ରାଜ୍ୟ ମହିଳା ଆୟୋଗ ପ୍ରାକ୍ତନ ଅଧ୍ୟକ୍ଷା ଶ୍ରୀମତୀ ମହାନ୍ତି ଝିଅମାନେ ଶିକ୍ଷାଗ୍ରହଣ ସହିତ ଆଦର୍ଶ ପରାୟଣା, ପରମ୍ପରା ଅନୁଗାମିନୀ ଓ ଭୟଶୂନ୍ୟା ହେବାକୁ ଆହ୍ୱାନ ଦେଇଥିଲେ l ଏହି ପାଠଚକ୍ରରେ ଅତିଥି ପ୍ରଫେସର୍ ଡ. ବବ୍ରୁବାହନ ମହାପାତ୍ର, ଅତିଥି ପ୍ରଫେସର୍ ଡ. ଅନନ୍ତ କିଶୋର ଜେନା, ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷା ଡ. ଲିପିକା ନାୟକ ଓ ଭାଷା-ସାହିତ୍ୟ ବିଭାଗ ମୁଖ୍ୟ ଡ. ରାଧାଗୋବିନ୍ଦ କୁଇଲା ପ୍ରମୁଖ ଭାରତୀୟ ଆଧ୍ୟାତ୍ମିକ ପରମ୍ପରାରେ ଗୁରୁପୂର୍ଣ୍ଣିମାର ମହତ୍ତ୍ୱ, ଭାରତୀୟ ଜ୍ଞାନ ଧାରାକୁ କୃଷ୍ଣ ଦ୍ୱୈପାୟନ ବେଦବ୍ୟାସଙ୍କ ଅବଦାନ ସଂପର୍କରେ ଆଲୋଚନା କରିଥିଲେ l
ଅତିଥି ସହଯୋଗୀ ପ୍ରଫେସର୍ ଡ. ବାସନ୍ତୀ ମହାନ୍ତି ପାଠଚକ୍ରର ସଂଯୋଜନା କରିଥିଲେ l ଭାଷାବିଜ୍ଞାନ ବିଭାଗ ଅତିଥି ସହକାରୀ ପ୍ରଫେସର୍ ଡ. କୁଳମଣି ଓଝା, ବିଜ୍ଞାନ-ଲେଖକ ଓ ସ୍ତମ୍ଭକାର ସୀମନ୍ତ କୁମାର ନନ୍ଦ, ସହକାରୀ ପ୍ରଫେସର୍ ଡ. ସଂଗୀତା ଜେନା, ଜନଜାତି ଭାଷା ଓ ଐତିହ୍ୟ ଅଧ୍ୟୟନ ବିଭାଗ ମୁଖ୍ୟା ଡ. ଶର୍ମିଷ୍ଠା ମହାପାତ୍ର, ଡ. ଶୁଭଲକ୍ଷ୍ମୀ ନାୟକ, ଡ. ସସ୍ମିତା ଜେନା ଓ ଡ. ସୋନାଲି ଚାଙ୍ଗ୍ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ l ଆଶାରାଣୀ ବେହୁରା, ସ୍ବପ୍ନରାଣୀ ଭୂୟାଁ ଓ ତପସ୍ୱିନୀ ପୋଥାଳ ପ୍ରାରମ୍ଭିକ ସଂଗୀତ ପରିବେଷଣ କରିଥିଲେ l