ଯୋଗ୍ୟ ହିତାଧିକାରୀଙ୍କୁ ଆବାସ ନମିଳିଲେ ନିବାସ ଘେରାଉ କରିବ ବିଜେପି : ପୃଥ୍ୱୀରାଜ ହରିଚନ୍ଦନ

-ମୋଦିଙ୍କ ଯୋଜନାକୁ ଓଡ଼ିଶାରେ ସଫଳ କରିବାରେ ବାଧକ ସାଜିଛନ୍ତି ରାଜ୍ୟ ସରକାର
-ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଚଣ୍ଡେଶ୍ୱର ପଂଚାୟତର ଦାରୁଗାଁର ଟିକିନା ଦେଇ ଓ ଦୁଃଖି ରାଉତଙ୍କ ଘର ୨୦୧୯ମସିହା ଫନିରେ ଭାଙ୍ଗି ଯାଇଥିଲା । ଏହି ଦୁଇ ଜଣଙ୍କ ନାମ ପିଡବ୍ଲ୍ୟୁଏଲ୍ ତାଲିକାରେ ମଧ୍ୟ ଥିଲା । କିନ୍ତୁ ୩ଥର ସର୍ଭେ ହେବା ପରେ ବର୍ତମାନ ପ୍ରକାଶ ପାଇଥିବା ସମ୍ଭାବ୍ୟ ତାଲିକାରେ ତାଙ୍କ ନାମ ନାହିଁ ଏବଂ ତାଙ୍କୁ ତାଲିକାରୁ ବାଦ୍ ଦିଆଯାଇଛି ? ଏମାନଙ୍କ ଦୋଷ କଣ ?
-ଦେଢ ଲକ୍ଷରୁ ଉର୍ଦ୍ଧ୍ୱ ଯୋଗ୍ୟ ହିତାଧିକାରୀଙ୍କୁ ସାମ୍ଭାବ୍ୟ ତାଲିକାରୁ ବାଦ୍ ଦିଆଯାଇଛି
-୨୦୧୮-୧୯ ପ୍ରୋଭିଜନାଲ୍ ୱେଟିଂ ଲିଷ୍ଟ୍ (ପିଡବ୍ଲ୍ୟୁଏଲ୍‌) ଯୋଗ୍ୟ ତାଲିକାକୁ ଆଧାର କରି ବର୍ତମାନର ନୂତନ ତାଲିକା ପ୍ରସ୍ତୁତିର ଦାୟୀତ୍ୱ ରାଜ୍ୟ ସରକାର ନିଅନ୍ତୁ
-ଦଳୀୟ ଆଧାରରେ ହିତାଧିକାରୀ ଚୟନ କରାନଯାଇ ଯୋଗ୍ୟ ଏବଂ ପ୍ରକୃତ ହିତାଧିକାରୀଙ୍କୁ ତାଲିକାରେ ସାମିଲ କରାଯାଉ
-ଅଯୋଗ୍ୟ ହିତାଧିକାରୀଙ୍କ ନାମ ପ୍ରକାଶ କରୁଥିବା କିମ୍ବା ଅଭିଯୋଗ କରୁଥିବା ବ୍ୟକ୍ତିମାନଙ୍କ ନାମକୁ ଗୋପନ ରଖାଯିବା ଉଚିତ୍‌, ନହେଲେ ଗାଁ ଗାଁରେ ଗଣ୍ଡଗୋଳ ହେବାର ବହୁତ ଆଶଂକା ରହିଛି
-ପଂଚାୟତ ଅଫିସ ବଦଳରେ ବ୍ଲକରେ ଦକ୍ଷ ଏବଂ ନିରପେକ୍ଷ ଅଧିକାରୀଙ୍କ ଉପସ୍ଥିତିରେ ଅଭିଯୋଗ ବାକ୍ସ ଖୋଲାଯାଉ
-ଆଜ୍‌ବେଷ୍ଟସ ଘରେ ରହୁଥିବା ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ପକ୍କା ବାସଗୃହ ଯୋଗାଇ ଦିଆଯାଉ
-ପ୍ରଧାନମନ୍ତ୍ରୀ ଆବାସ ଯୋଜନା କେନ୍ଦ୍ର ସରକାରଙ୍କ ଏକ ଫ୍ଲାଗସିପ୍ ପ୍ରୋଗ୍ରାମ ହୋଇଥିବାରୁ କୌଣସି ମତେ ଏହାର ନାମକରଣ ଏବଂ ଲୋଗୋକୁ ପରିବର୍ତନ କରାଯାଇପାରିବ ନାହିଁ
-ଯୋଜନାର ନାମ କିମ୍ବା ଲୋଗୋ ପରିବର୍ତନ କରିବା ପାଇଁ ରାଜ୍ୟ ସରକାର କୌଣସି ଚକ୍ରାନ୍ତ କରୁଥିବେ, ତାହେଲେ ତାକୁ କେବେହେଲେ ବରଦାସ୍ତ କରାଯିବ ନାହିଁ ଏବଂ ଏହା ବିରୁଦ୍ଧରେ ରାଜ୍ୟବ୍ୟାପୀ ଆନ୍ଦୋଳନ ମଧ୍ୟ କରାଯିବ
-ରାଜନୀତିରୁ ଉର୍ଦ୍ଧ୍ୱରେ ରହି ରାଜ୍ୟ ସରକାର ସମସ୍ତଙ୍କୁ ବାସଗୃହ ଯୋଗାଇ ଦେବାର ଦାୟୀତ୍ୱ ନିଅନ୍ତୁ

ଭୁବନେଶ୍ୱର : ଆର୍ଥକ ଅନଗ୍ରସର ଓ ଦୁର୍ବଳ ଶ୍ରେଣୀର ଉତ୍‌ଥାନ ପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଅନେକ ଜନକଲ୍ୟାଣ ଯୋଜନାର ସଫଳ ରୂପାୟନ କରିଛନ୍ତି । ଲୋକେ କିପରି ସ୍ୱଚ୍ଛଳ ହେବେ ସେନେଇ ପ୍ରଧାନମନ୍ତ୍ରୀ ସର୍ବଦା ଚିନ୍ତା କରିବା ସହ ବିଭିନ୍ନ ଗରୀବକଲ୍ୟାଣ ଯୋଜନାକୁ କାର୍ଯ୍ୟାନ୍ୱୟନ କରୁଛନ୍ତିି । କିନ୍ତୁ ମୋଦୀଙ୍କ ଯୋଜନାକୁ ଆମ ରାଜ୍ୟ ଓଡ଼ିଶାରେ ସଫଳ କରିବାରେ ରାଜ୍ୟ ସରକାର ବାଧକ ସାଜିଛନ୍ତି । ରାଜ୍ୟରେ ଥିବା ବାସହୀନଙ୍କ ପାଇଁ ଘରଟିଏ ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ସଫଳ ରୂପାୟନ ପାଇଁ ଭାରତୀୟ ଜନତା ପାର୍ଟି ରାଜ୍ୟ ସରକାରଙ୍କୁ ବାରମ୍ବାର ଚେତାବନୀ ଦେବା ସହ ଆନ୍ଦୋଳନ କରୁଛି । ଓଡ଼ିଶାର ଯୋଗ୍ୟ ହିତାଧିକାରୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଲାଭ ଉଠାଇପାରିବେ ସେନେଇ ବିଜେପି ବଦ୍ଧପରିକର । କିନ୍ତୁ ରାଜ୍ୟ ସରକାର ବାସଗୃହ ଆବଂଟନରେ ଚଂଚକତାପୂର୍ଣ୍ଣ ବାତାବରଣ ସୃଷ୍ଟି କରିଛନ୍ତି । ବିଜେପିର ବାରମ୍ବାର ଅଭିଯୋଗ ଓ ଚେତାବନୀ ସତ୍ୱେ ରାଜ୍ୟ ସରକାର ଆଜି ପର୍ଯ୍ୟନ୍ତ ଦଳୀୟ ଆଧାରରେ ଘର ବାଂଟୁଛନ୍ତି । ଏହା ଦ୍ୱାରା ଆଜି ବି ଲକ୍ଷ ଲକ୍ଷ ଲୋକ ବାସହୀନ ହୋଇ ରହିଯାଇଛନ୍ତି । ଓଡ଼ିଶାରେ ୨୦୧୮-୧୯ରେ ଯେଉଁ ତାଲିକା ପ୍ରସ୍ତୁତ ହୋଇଥିଲା ସେଥିରୁ ରାଜନୈତିକ ଗନ୍ଧ ଆସୁଥିଲା । ଚଂଚକତା କରାଯାଇ କେବଳ ଶାସକ ବିଜେଡି ସହ ସଂପୃକ୍ତ ଥିବା ଲୋକମାନଙ୍କୁ ପକ୍କା ଘର ବଂଟନ କରାଯାଇଥିଲା । ୨୦୧୯ ମେ’ମାସରେ ହୋଇଥିବା ଫନିି ବାତ୍ୟା କାରଣରୁ ଯେଉଁ ଲୋକଙ୍କ ଘର ଭାଙ୍ଗିଥିଲା ତାହାର ତାଲିକା ମଧ୍ୟ ଯୋଡା ଯାଇଥିଲା । ୨୦୧୯ଅକ୍ଟୋବର ମାସରେ ଏନେଇ ବିଜେପି ଅଭିଯୋଗ କରିବା ପରେ ରାଜ୍ୟ ସରକାର ନିଜ ଭୁଲକୁ ସ୍ୱୀକାର କରିଥିଲେ । ୨୦୨୦ରେ ଯୋଗ୍ୟ ଅଯୋଗ୍ୟ ପାଇଁ ସବୁ ବ୍ଲକରେ ବାକ୍ସ ବସାଯାଇଥିଲେ ବି ଏଯାଏଁ ଅଧିକାଂଶ ସ୍ଥାନରେ ମଧ୍ୟ ବସାଯାଇନାହିଁ ବୋଲି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ।
ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଚଂଚକାତାକୁ ନେଇ ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଉଦାହରଣ ଦେଇ ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଚଣ୍ଡେଶ୍ୱର ପଂଚାୟତର ଦାରୁଗାଁର ଟିକିନା ଦେଇ ଓ ଦୁଃଖି ରାଉତଙ୍କ ଘର ୨୦୧୯ମସିହା ଫନିରେ ଭାଙ୍ଗି ଯାଇଥିଲା । ଏହି ଦୁଇ ଜଣଙ୍କ ନାମ ପିଡବ୍ଲ୍ୟୁଏଲ୍ ତାଲିକାରେ ମଧ୍ୟ ଥିଲା । କିନ୍ତୁ ୩ଥର ସର୍ଭେ ହେବା ପରେ ବର୍ତମାନ ପ୍ରକାଶ ପାଇଥିବା ସମ୍ଭାବ୍ୟ ତାଲିକାରେ ତାଙ୍କ ନାମ ନାହିଁ ଏବଂ ତାଙ୍କୁ ତାଲିକାରୁ ବାଦ୍ ଦିଆଯାଇଛି । ଏଭଳି ଦେଢ ଲକ୍ଷରୁ ଉର୍ଦ୍ଧ୍ୱ ଯୋଗ୍ୟ ହିତାଧିକାରୀଙ୍କୁ ସାମ୍ଭାବ୍ୟ ତାଲିକାରୁ ବାଦ୍ ଦିଆଯାଇଛି । ସେମାନଙ୍କ ଦୋଷ କଣ ବୋଲି ପ୍ରଶ୍ନ କରିବା ସହିତ ତୁରନ୍ତ ସେମାନଙ୍କ ନାମକୁ ତାଲିକାରେ ସାମିଲ କରାଇବାର ରାଜ୍ୟ ସରକାର ବ୍ୟବସ୍ଥା କରିବାକୁ ଶ୍ରୀ ହରିଚନ୍ଦନ ଦାବି କରିଛନ୍ତି । ଯଦି ଯୋଗ୍ୟ ହିତାଧିକାରୀଙ୍କୁ ଘର ନମିଳିବ ତେବେ ବିଜେପି ଆନ୍ଦୋଳନ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ନିବାସ ଘେରାଉ କରିବ ବୋଲି ଶ୍ରୀ ହରିଚନ୍ଦନ ଚେତାବନୀ ଦେଇଛନ୍ତି ।
ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ହଡପ ଏବଂ ଚଂଚକତା କରାଯିବାର ଅନେକ ଦୃଷ୍ଟାନ୍ତ ରହିଛି । ମୂଳ ଲକ୍ଷ୍ୟରୁ ଓହରି ଯାଇ ଶାସକ ବିଜେଡିର ନେତା ଓ କାର୍ଯ୍ୟକର୍ତାଙ୍କୁ ରାଜ୍ୟ ସରକାର ଅନ୍ଧ ଭାବେ ବାଡି ବୁଲାଇ ଦଳୀୟ ଆଧାରରେ ବାସଗୃହ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାଲିକା ପ୍ରସ୍ତୁତ କରନ୍ତୁ ନାହିଁ । ୨୦୧୮-୧୯ ପ୍ରୋଭିଜନାଲ ୱେଟିଂ ଲିଷ୍ଟ୍ (ପିଡବ୍ଲ୍ୟୁଏଲ୍‌) ଯୋଗ୍ୟ ତାଲିକାକୁ ଆଧାର କରି ବର୍ତମାନର ନୂତନ ତାଲିକା ପ୍ରସ୍ତୁତିର ଦାୟୀତ୍ୱ ରାଜ୍ୟ ସରକାର ନିଅନ୍ତୁ । ଦଳୀୟ ଆଧାରରେ ହିତାଧିକାରୀ ଚୟନ କରାନଯାଇ ଯୋଗ୍ୟ ଏବଂ ପ୍ରକୃତ ହିତାଧିକାରୀଙ୍କୁ ତାଲିକାରେ ସାମିଲ କରାଯାଉ ।
ବାସହୀନ ଏବଂ ଯୋଗ୍ୟ ହିତାଧିକାରୀଙ୍କ ସଂପୂର୍ଣ୍ଣ ଏବଂ ନିର୍ଭୁଲ ତାଲିକା ପ୍ରସ୍ତୁତି କରିବାର ଦାୟୀତ୍ୱ ହେଉଛି ରାଜ୍ୟ ସରକାରଙ୍କର । କିନ୍ତୁ ଏହା ନିଜେ ନକରି ୱିସିଲ ବ୍ଲୋୟାରଙ୍କ ମୁଣ୍ଡରେ ଦୋଷ ଲଦି ଦେବାର ଚକ୍ରାନ୍ତ ଗାଁ ଗାଁରେ ଗଣ୍ଡଗୋଳ ହେବାର ସମ୍ଭାବନାକୁ ଖୋରାକ୍ ଯୋଗାଇବ । ଅଯୋଗ୍ୟ ହିତାଧିକାରୀଙ୍କ ନାମ ପ୍ରକାଶ କରୁଥିବା କିମ୍ବା ଅଭିଯୋଗ କରୁଥିବା ବ୍ୟକ୍ତିମାନଙ୍କ ନାମକୁ ଗୋପନ ରଖିବା ସୁନିଶ୍ଚିତ କରନ୍ତୁ ରାଜ୍ୟ ସରକାର । ପଂଚାୟତ ଅଫିସ ବଦଳରେ ବ୍ଲକରେ ଅଭିଯୋଗ ବାକ୍ସ ଖୋଲିବାର ଦାୟୀତ୍ୱ ଦକ୍ଷ ଏବଂ ନିରପେକ୍ଷ ଅଧିକାରୀଙ୍କୁ ଦିଆଯାଉ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।
ରାଜ୍ୟ ସରକାରଙ୍କ ପକ୍ଷପାତିତା କାରଣରୁ ଚାଳ ଓ ଖପରା ଘରେ ରହୁଥିବା ବହୁ ହିତାଧିକାରୀ ଦୀର୍ଘ ୩ ବର୍ଷ ଧରି ଅପେକ୍ଷା କରି କରି ନିରାଶ ହୋଇ ଶେଷରେ ଋଣ କରଜ କରି ଆଜବେଷ୍ଟସ୍ ପକାଇଛନ୍ତି । ତେଣୁ ଆଜବେଷ୍ଟସ୍ ଘରେ ରହୁଥିବା ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ପକ୍କା ବାସଗୃହ ଯୋଗାଇ ଦିଆଯାଉ ବୋଲି ଶ୍ରୀ ହରିଚନ୍ଦନ ଦାବୀ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଆବାସ ଯୋଜନା କେନ୍ଦ୍ର ସରକାରଙ୍କ ଏକ ଫ୍ଲାଗସିପ୍ ପ୍ରୋଗ୍ରାମ ଅଟେ । କୌଣସି ମତେ ଏହାର ନାମକରଣ ଏବଂ ଲୋଗୋକୁ ପରିବର୍ତନ କରାଯାଇପାରିବ ନାହିଁ ବୋଲି ସ୍ପଷ୍ଟ ଭାବେ କେନ୍ଦ୍ରୀୟ ଗାଇଡଲାଇନରେ ଉଲ୍ଲେଖ ଅଛି । ଯଦି ନାମ କିମ୍ବା ଲୋଗୋ ପରିବର୍ତନ କରିବା ପାଇଁ ରାଜ୍ୟ ସରକାର କୌଣସି ଚକ୍ରାନ୍ତ କରୁଥିବେ, ତାହେଲେ ତାକୁ କେବେହେଲେ ବରଦାସ୍ତ କରାଯିବ ନାହିଁ ଏବଂ ଏହା ବିରୁଦ୍ଧରେ ରାଜ୍ୟବ୍ୟାପୀ ଆନ୍ଦୋଳନ ମଧ୍ୟ କରାଯିବ ।
ରାଜ୍ୟ ସରକାର ଘର ବଂଟନରେ ଯଦି ସ୍ୱଚ୍ଛତା ନଆଣନ୍ତି ତାହାଲେ ପରିସ୍ଥିତି ଭୟଙ୍କର ହେବ । କୋଭିଡ ପରେ ପରେ ତିନି ରାଉଣ୍ଡ ସର୍ଭେ କରିଥିଲେ ବି ତାଲିକା ଠିକ୍ ଢ଼ଙ୍ଗରେ ଉପସ୍ଥାପନ ହୋଇପାରିଲା ନାହିଁ । ରାଜ୍ୟରେ ଥିବା ବାସହୀନଙ୍କ ପାଇଁ ମୋଦି ସରକାର ପର୍ଯ୍ୟାପ୍ତ ପରିମାଣର ବାସଗୃହ ଆବଂଟନ କରିଛନ୍ତି । ରାଜନୀତିରୁ ଉର୍ଦ୍ଧ୍ୱରେ ରହି ରାଜ୍ୟ ସରକାର ସମସ୍ତଙ୍କୁ ବାସଗୃହ ଯୋଗାଇ ଦେବାର ଦାୟୀତ୍ୱ ନିଅନ୍ତୁ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପସଭାନେତ୍ରୀ ପ୍ରଭାତୀ ପରିଡା, ଗଣମାଧ୍ୟମ ମୁଖ୍ୟ ଦିଲ୍ଲୀପ ମଲ୍ଲିକ, ଓବିସି ମୋର୍ଚ୍ଚା ସଭାପତି ସୁରଥ ବିଶ୍ୱାଳ ଏବଂ ଗଣମାଧ୍ୟମ ସହମୁଖ୍ୟ ସୁଜିତ୍ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *