ଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା ଫଳାଫଳ ପ୍ରକାଶ ; ନିଟ୍‌ରେ ରାଜସ୍ଥାନ ଝିଅ ତନିସ୍କା ଅଲ୍‌ ଇଣ୍ଡିଆ ଟପ୍ପର, ସୋମଦତ୍ତ ଓଡ଼ିଶା ଟପର

ନୂଆଦିଲ୍ଲୀ : ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ବୁଧବାର ମେଡିକାଲ ଆଶାୟୀମାନଙ୍କ ନିଟ୍ ୟୁଜି (ନ୍ୟାସନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ ଅଣ୍ଡରଗ୍ରାଜୁଏଟ୍) ପରୀକ୍ଷା ୨୦୨୨ର ଫଳାଫଳ ଘୋଷଣା କରିଛି। ଏଥିରେ ୧୮ ଲକ୍ଷରୁ ଊର୍ଦ୍ଧ୍ବ ମେଡିକାଲ ଆଶାୟୀଙ୍କ ଫଳ ପ୍ରକାଶ ପାଇଛି। ଛାତ୍ରଛାତ୍ରୀମାନେ ନିଟ୍.ଏନ୍‌ଟିଏ.ନିକ୍.ଇନ୍ (neet.nta.nic.in) ୱେବ୍‌ସାଇଟ୍‌ରେ ଲଗ୍‌ଇନ୍ କରି ନିଜ ନିଜର ରୢାଙ୍କ ଜାଣିପାରିବେ। ୨୦୨୨ ନିଟ୍ ପରୀକ୍ଷାଫଳ ସହ ଏନ୍‌ଟିଏ ଅନ୍ତିମ ନିଟ୍ ଉତ୍ତରପତ୍ର ଓ ସର୍ବଭାରତୀୟ ରୢାଙ୍କ ମଧ୍ୟ ପ୍ରକାଶ କରିଛି। ରାଜସ୍ଥାନର ତନିସ୍କା ଦେଶରେ ଟପର ହୋଇଥିବାର ଗୌରବ ହାସଲ କରିଛନ୍ତି।

ସେହିଭଳି ସୋମଦତ୍ତ ନାୟକ ୯୯.୯୯ ପର୍ସଣ୍ଟାଇଲ୍‌ ସ୍କୋର ରଖି ଓଡ଼ିଶାରୁ ପ୍ରଥମ ହୋଇଥିବା ବେଳେ ଦେଶର ୩୯ ରୢାଙ୍କରେ ରହିଛନ୍ତି। ଚଳିତ ବର୍ଷ ଓଡ଼ିଆ ଭାଷାରେ ୮୨୨ ଜଣ ପରୀକ୍ଷା ଦେବା ପାଇଁ ପଞ୍ଜୀକରଣ କରିଥିଲେ। ଓଡ଼ିଶାରୁ ୪୪ ହଜାର ୯୪୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ପଞ୍ଜୀକରଣ କରିଥିଲା ବେଳେ ୪୩ ହଜାର ୮୦ ଜଣ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୨୬ ହଜାର ୨୭୯ ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି।

ଗତବର୍ଷ ତୁଳନାରେ ଏଥର ଓଡ଼ିଶାର ପିଲାମାନେ ଭଲ ପ୍ରଦର୍ଶନ କରିଛନ୍ତି। ୨୦୨୧ରେ ୩୮ ହଜାର ୯୪୫ ଜଣ ପରୀକ୍ଷା ଦେଇଥିବା ବେଳେ ୨୦ ହଜାର ୬୫୪ ଜଣ ପାସ କରିଥିଲେ। ଦେଶର ଶ୍ରେଷ୍ଠ ୧୦ ଜଣ ଦିବ୍ୟଙ୍ଗ ଛାତ୍ରଙ୍କ ମଧ୍ୟରେ ଓଡ଼ିଶାର ଦୁଇ ଜଣ ରହିଛନ୍ତି। ଦ୍ୱିତୀୟ ସ୍ଥାନରେ ପ୍ରୀତମ ଗୋଛାୟତ ଓ ୫ମ ସ୍ଥାନରେ ଚନ୍ଦନ ଦାସ ରହିଛନ୍ତି। ଉଭୟ ସର୍ବଭାରତୀୟ ସ୍ତରରେ ଯଥାକ୍ରମେ ୫୫୧୧ ଓ ୧୩,୩୨୩ ତମ ରାଙ୍କ ହାସଲ କରିଛନ୍ତି।

Leave a Reply

Your email address will not be published. Required fields are marked *