ସମାଜରେ ଘଟୁଥିବା ଘଟଣାମାନ ମୋତେ ଆନ୍ଦୋଳିତ କରେ କଲମ ଧରିବା ପାଇଁ -ଡ଼. ସ୍ମୃତି ପଟ୍ଟନାୟକ

ସେ ଜଣେ ବିଜ୍ଞାନ ଗବେଷିକା ସତ କିନ୍ତୁ ସାହିତ୍ୟ ପ୍ରତି ତାଙ୍କ ମନରେ ରହିଛି ଅହେତୁକ ପ୍ରେମ ଏବଂ ଅନୁରାଗ l ତାଙ୍କ ମତରେ “ସାହିତ୍ୟ ଓ ବିଜ୍ଞାନ ପରସ୍ପର ପରିପୂରକ” l ଯେତେବେଳେ ସମାଜର କୌଣସି ଘଟଣା ତାଙ୍କ ମନକୁ ତୀବ୍ର ଆନ୍ଦୋଳିତ କରେ ସେ ବାଧ୍ୟ ହୁଅନ୍ତି କଲମ ଧରି କିଛି ବାର୍ତ୍ତା ଦେବାକୁ l ତେବେ ସେହି ସାହିତ୍ୟ ସାଧିକା ଜଣଙ୍କ ହେଉଛନ୍ତି ଡ଼. ସ୍ମୃତି ପଟ୍ଟନାୟକ l ଜଗତସିଂହପୁର ଜିଲ୍ଲାରେ ଜନ୍ମିତା ଡ଼.ସ୍ମୃତି ରାସାୟନ ଵିଜ୍ଞାନରେ ସମ୍ମାନଜନକ ପିଏଚଡି ଡିଗ୍ରୀ ହାସଲ କରିଥିବା ବେଳେ ବର୍ତମାନ ଉଦୟନାଥ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଅଧ୍ୟାପନା କରୁଛନ୍ତି l ତାଙ୍କ ସାହିତ୍ୟରେ ମିଳେ ଗ୍ରାମୀଣ ପରିବେଶରେ ସୁଗନ୍ଧ ଯାହାର ଜ୍ବଳନ୍ତ ଉଦାହରଣ ନିଜର ଛାତ୍ରୀ ଜୀବନର ପ୍ରଥମାର୍ଦ୍ଧରେ ଲେଖିଥିବା କବିତା “ମୋ କଲେଜ ଆସିବାର ପ୍ରଥମ ଦିନ”। ଯାହା ତାଙ୍କୁ ଆଗକୁ ବଢିବା ପାଇଁ ପ୍ରେରଣା ଯୋଗାଇଥିଲା l ଘଟଣାକ୍ରମେ ଉଚ୍ଚଶିକ୍ଷା ପାଇଁ ଯେତେବଳେ ଡ.ସ୍ମୃତି ରେଭେନ୍ସା ବିଶ୍ଵବିଦ୍ୟାଳୟର ମୁଖପାତ୍ରରେ “ସେବତୀ ଅପା” ଗଳ୍ପ ଲେଖିଥିଲେ ତାହା ଆଦୃତ ହୋଇଥିଲା ପ୍ରାଧ୍ୟାପକ ଦେବଦାସ ଛୋଟରାୟଙ୍କ ଆଶୀର୍ବାଦ ମାଧ୍ୟମରେ l ସେହି ଦିନଠୁ ସେ ଆଉ ପଛକୁ ନ ଫେରି ଆଗେଇ ଚାଲିଲେ ଅବିରତ ଭାବେ l ଓଡ଼ିଆ ଭାଷା ସାହିତ୍ୟରେ ଡ଼.ସ୍ମୃତି ବୀଣାପାଣି ମହାନ୍ତି ଏବଂ ଡ.ବିଭୂତି ପଟ୍ଟନାୟକଙ୍କୁ ନିଜର ଆଦର୍ଶ ରୂପେ ମଣନ୍ତି।

ଡ.ପଟ୍ଟନାୟକଙ୍କ କୃତି ଓ ପୁରସ୍କାର ବିଷୟରେ କିଛି-
ଗଳ୍ପ- ଚନ୍ଦ୍ରମାର ସ୍ବପ୍ନ,ଦାଗ,ସମ୍ଭାବନା ସକାଳ,ଦେବୀ ଓ ଅନ୍ୟାନ୍ୟ ଗଳ୍ପ,ଅନ୍ଧାରର ପ୍ରତିବିମ୍ବ,ପ୍ରେମିକା ଇତ୍ୟାଦି।
ଉପନ୍ୟାସ- ଗୋଧୂଳିର ଛାଇ,କରୋନା ଭାଇରସ୍ ର ଉଡାଣ, ସବୁଜ ରଙ୍ଗର ମାୟା।
କବିତା ସଙ୍କଳନ- ସ୍ମୃତିର ପାଖୁଡ଼ା,ତଥାବି ।

ପୁରସ୍କାର- ଓଡ଼ିଶା ଲେଖିକା ସଂସଦ ଗଳ୍ପ ସମ୍ମାନ,ଅମୃତାୟନ
ଗଳ୍ପ ସମ୍ମାନ,କାଦମ୍ବିନୀ ଗଳ୍ପ ସମ୍ମାନ,କବି ନାରାୟଣ ମୁଦୁଲି କବିତା ସମ୍ମାନ,ଯୁଗଧ୍ୱନି ସାହିତ୍ୟ ସଂସଦ ଉପନ୍ୟାସ ସମ୍ମାନ ଇତ୍ୟାଦି।

ଆଗାମୀ ଦିନରେ ଓଡ଼ିଆ ଭାଷା ସାହିତ୍ୟ କ୍ଷେତ୍ରକୁ ଆସୁଥିବା ନବାଗତଙ୍କୁ ଲେଖିକା ସ୍ମୃତି ପଟ୍ଟନାୟକ ଏହି ଉପଦେଶ ଦିଅନ୍ତି ଯେ “ଲେଖିବା ଆରମ୍ଭ କରିବା ପୂର୍ବରୁ ପ୍ରଚୁର ପଠନର ଆବଶ୍ୟକ l ତତ୍ ସହିତ ବରିଷ୍ଠ ସାହିତ୍ୟିକଙ୍କ ମାର୍ଗଦର୍ଶନକୁ ପାଥେୟ କରି ନିଜର ସାହିତ୍ୟ ଯାତ୍ରା କରିବା ଦରକାର l କାରଣ ସାହିତ୍ୟ ହେଉଛି ସମାଜର ପ୍ରତିବିମ୍ବ। ଯାହା ସମାଜରେ ଘଟୁଥିବା ଘଟଣାବଳୀକୁ ସ୍ପଷ୍ଟ ରୂପେ ଦେଖାଇଥାଏ”। ଭବିଷ୍ୟରେ ଏକ ଆତ୍ମଜୀବନୀ ମୂଳକ ଉପନ୍ୟାସ ଲେଖିବାର ଲକ୍ଷ୍ୟ ରଖିଛନ୍ତି ଲେଖିକା ତଥା ଅଧ୍ୟାପିକା ଡ.ସ୍ମୃତି ପଟ୍ଟନାୟକ ।

Leave a Reply

Your email address will not be published. Required fields are marked *